ଘର ଲୁଟିଲେ, ଚୋରି ଏଟିଏମ୍‌ କାର୍ଡରୁ ଟଙ୍କା ଉଠାଇଲେ

ପୁଣି ମାତିଲେ ସିନ୍ଧିଚୋର

ଘର ଲୁଟିଲେ, ଚୋରି ଏଟିଏମ୍‌ କାର୍ଡରୁ ଟଙ୍କା ଉଠାଇଲେ

ଖଣ୍ଡଗିରି: ପୁଣି ମାତିଲେ ସିନ୍ଧିଚୋର। ପୂର୍ବରୁ ରାତିରେ ସ୍ଥାନୀୟ ଅଞ୍ଚଳରେ ଦୁଇ ଦୁଇଟି ଘରର ଗ୍ରିଲ ଓ ତାଲା କାଟି କଳକନା ବୁଲାଇଥିଲେ। କିନ୍ତୁ ଆଜି ସିନ୍ଧିଚୋରମାନେ ଦିନ ଦି’ପହରରେ ଜଣେ ଶିକ୍ଷୟିତ୍ରୀଙ୍କ ଘରେ କଳାକନା ବୁଲାଇଛନ୍ତି। ଘର ଲୁଟିବା ପରେ ଦୁର୍ବୃତ୍ତମାନେ ଘରୁ ନେଇଯାଇଥିବା ଏଟିଏମ୍‌ କାର୍ଡକୁ ବ୍ୟବହାର କରି ୧୨.୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଚୋରମାନଙ୍କ ପତ୍ତା ମିଳିନାହିଁ।

ସ୍ଥାନୀୟ ଯଦୁପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଭାବେ କାମ କରୁଥିବା ସୂର୍ଯ୍ୟପ୍ରଭା ଶତପଥୀ ଓ ତାଙ୍କ ସ୍ୱାମୀ ଈଶ୍ୱରପ୍ରସାଦ କର ଡୁମୁଡୁମା ଫେଜ୍‌-୫ରେ ଏକ ଭଡ଼ା ଘର ନେଇ ରହୁଛନ୍ତି। ଈଶ୍ୱର ଏକ ବୀମା କମ୍ପାନିରେ କାମ କରନ୍ତି ଓ ତାଙ୍କ ପୁଅ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପଢ଼େ। ତେଣୁ ସେମାନେ ସମସ୍ତେ ସକାଳ ୧୦ଟାରେ ଘରେ ତାଲା ପକାଇ ଚାଲିଯାଆନ୍ତି। ଆଜି ଅପରାହ୍ଣ ପ୍ରାୟ ୨ଟାବେଳେ ଶ୍ରୀମତୀ ଶତପଥୀଙ୍କ ଫୋନ୍‌କୁ ଏଟିଏମ୍‌ରୁ ଟଙ୍କା ଉଠିଥିବା ନେଇ ୩ଥର ମେସେଜ୍‌ ଆସିଲା। ମୋଟ୍‌ ୧୨.୫ ହଜାର ଟଙ୍କା ଉଠା ଯାଇଥିଲା। ଘରେ ଏଟିଏମ୍‌ ଥିବାବେଳେ ଟଙ୍କା ଉଠୁଥିବାରୁ ଶ୍ରୀମତୀ ଶତପଥୀ ତୁରନ୍ତ ସ୍ଥାନୀୟ ବ୍ୟାଙ୍କ ଶାଖାକୁ ଯାଇ ପଚାରି ବୁଝିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଏଟିଏମ୍‌ ଯାଞ୍ଚ କରିବାକୁ କହିବା ପରେ ସେ ଘରକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ ଘରୁ ଚୋରି ହୋଇଛି। ଘରର କବାଟ ଖୋଲା ଥିଲା ଓ ଭଙ୍ଗା ତାଲା ତଳେ ପଡ଼ିଥିଲା। ଘରୁ ଗୋଟିଏ ଲାପ୍‌ଟପ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌, ପ୍ରାୟ ୩ ହଜାର ଟଙ୍କା, କିଛି ରୁପା ଅଳଙ୍କାର ଓ ଏଟିଏମ୍‌ କାର୍ଡ ଚୋରି ହୋଇଛି। ଶ୍ରୀମତୀ ଶତପଥୀ ଏଟିଏମ୍‌ କାର୍ଡ ପଛରେ ପାସ୍‌ଓ୍ଵାର୍ଡ ଲେଖି ରଖିଥିଲେ। ଫଳରେ ଦୁର୍ବୃତ୍ତ ସହଜରେ ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe