ଭୁବନେଶ୍ୱର: ଶିବରାତ୍ରିରେ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କଠାରୁ ଛିନ୍ତାଇ ଘଟଣାରେ ଆଜି ପୁଲିସ ଲୁଟେରା ଗ୍ୟାଙ୍ଗର ଜଣେ ନାବାଳକ ସମତେ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିଆସାହି ଅଞ୍ଚଳର ହିନ ଡାକୁଆ ଓ ଜିତେନ୍ଦ୍ର ପ୍ରଧାନ। ପୁଲିସ ସେମାନଙ୍କ ଠାରୁ ଗୋଟିଏ ରୁପା ଚେନ୍ ଓ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ଗତ ୧୪ ତାରିଖ ଶିବରାତ୍ରିରେ ଅଞ୍ଜଳି ଲାକ୍ରା ନାମକ ଜଣେ ଯୁବତୀ ତାଙ୍କ ଦୁଇ ସାଙ୍ଗଙ୍କ ସହ ଆଇଆରସି ଭିଲେଜରେ ଥିବା ସ୍ୱପ୍ନେଶ୍ୱର ମନ୍ଦିରରୁ ପୂଜା ସାରି ଫେରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସି ଅଞ୍ଜଳିଙ୍କ ହାତରେ ଥିବା ମୋବାଇଲ୍ ଫୋନକୁ ଛଡ଼ାଇ ନେଇଥିଲେ। ଅଞ୍ଜଳି କିଛି ବୁଝିବା ପୂର୍ବରୁ ତିନି ଯୁବକ କେଉଁ ଆଡ଼େ ଉଭାନ ହୋଇଯାଇଥିଲେ। ଏ ନେଇ ଅଞ୍ଜଳି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସେଠାରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ଶୁକ୍ରବାର ରାତିରେ ହିନ, ଜିତେନ୍ଦ୍ର ଓ ନାବାଳକ ସାଲିଆସାହି ଘରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ସମସ୍ତ ୩ଜଣଙ୍କୁ ଗିରଫ କରିଥିଲା। ଆଜି ଲୁଟେରାମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ହିନ ଓ ଜିତେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ନାବାଳକ ଜଣଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି। ଅନ୍ୟପଟେ ଫେରାର୍ ଥିବା ଏହି ଗ୍ୟାଙ୍ଗ୍ର ଅନ୍ୟ ଦୁଇ ଲୁଟେରାଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us