ଧାର୍ ଟଙ୍କା ଫେରି ପାଇବାକୁ ଅପହରଣ : ୨ ଅପହର୍ତ୍ତା ଗିରଫ, ଅପହୃତ ଉଦ୍ଧାର

Advertisment
ଧାର୍ ଟଙ୍କା ଫେରି ପାଇବାକୁ ଅପହରଣ : ୨ ଅପହର୍ତ୍ତା ଗିରଫ, ଅପହୃତ ଉଦ୍ଧାର

ଖଣ୍ଡଗିରି : ଧାର ଟଙ୍କା ଫେରି ପାଇବାକୁ ଅପହରଣ ମାଧ୍ୟମ ଆପଣେଇବା ମହଙ୍ଗା ପଡ଼ିଛି କରଜଦାତାଙ୍କୁ। ଟଙ୍କା ତ ମିଳିଲା ନାହିଁ, ବରଂ ଆଇନକୁ ହାତକୁ ନେଇଥିବା ଅପରାଧରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଭୁବନେଶ୍ବରରୁ ଅପହରଣ କରି ଢେଙ୍କାନାଳରେ ବନ୍ଦୀ କରି ରଖିଥିବା ଅଭିଯୋଗରେ ପୁଲିସ ଦୁଇ ଅଭିଯୁକ୍ତ ଢେଙ୍କାନାଳ ଗନ୍ଦିଆର ସୌଭାଗ୍ୟ ରାଉତ(୨୩) ଓ ତାଙ୍କ ସହଯୋଗୀ ବାଲେଶ୍ବରର ଶ୍ରୀକାନ୍ତ ସାହୁ(୨୯)ଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ବରମୁଣ୍ଡା ରୁଚିକା ମାର୍କେଟ୍‌ ଅଞ୍ଚଳରେ ବ୍ୟବସାୟ କରୁଥିବା ପ୍ରଭାତ କୁମାର ସେଠୀ ସୌଭାଗ୍ୟଙ୍କ ସହ ପରିଚିତ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ପରେ ପ୍ରଭାତ ତାଙ୍କୁ ବ୍ୟବସାୟ ପାଇଁ ଏକ ଲକ୍ଷ ଟଙ୍କା ଧାର ମାଗିଥିଲେ ଓ ସୌଭାଗ୍ୟ ଦେଇଥିଲେ। ମାତ୍ର ଟଙ୍କା ଫେରାଇବା‌ ବେଳକୁ ପ୍ରଭାତ ଆଉ ଧରାଛୁଆଁ ଦେଲେ ନାହିଁ। ଦିନ ଗଡ଼ାଇ ଚାଲିଲେ। ତେଣୁ ଗତ ୨୦ ତାରିଖରେ ସେ ଶ୍ରୀକାନ୍ତ ସହଯୋଗରେ କୌଶଳକ୍ରମେ ପ୍ରଭାତଙ୍କୁ ରୁଚିକା ମାର୍କେଟ୍‌ ନିକଟରୁ ଅପହରଣ କରି ନେଇଥିଲେ। କପିଳାସ ନିକଟରେ ରଖି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସୁଧମୂଳ ସହ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ଖବର ପାଇ ପ୍ରଭାତଙ୍କ ସ୍ତ୍ରୀ କପିଳାସ ଯାଇଥି‌ଲେ ମଧ୍ୟ ସେମାନେ ୩ ଲକ୍ଷ ଟଙ୍କା ନ ପାଇଲେ ତାଙ୍କୁ ଛାଡ଼ିବେ ନାହିଁ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ ପ୍ରଭାତଙ୍କ ସ୍ତ୍ରୀ ଗତ ୨୩ ତାରିଖ ରାତିରେ ଖଣ୍ଡଗିରି ଥାନା ଦ୍ବାରସ୍ଥ ହୋଇଥିଲେ। ଆଜି ପ୍ରଭାତଙ୍କୁ ଆହତ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe