ଭୁବନେଶ୍ୱର : ନୂଆପଲ୍ଲୀ ନୂଆସାହିରୁ କାହ୍ନ ଚରଣ ସାହୁ ନାମକ ଜଣେ ଯୁବକଙ୍କୁ ଅପହରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣ ଅପହର୍ତାଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପ୍ରଶାନ୍ତ ବାରିକ ଓ କଟକ ବଙ୍କି ଅଞ୍ଚଳର ମୁନା କର।
ପୁଲିସ ସୂଚନା ମୁତାବକ, କାହ୍ନ ଓ ତାର ଦୁଇ ସହଯୋଗୀ ମିଶି ପ୍ରଶାନ୍ତ ଓ ମୁନାଙ୍କ ସହ ପୁରୁଣା ସୁନା ବ୍ୟବସାୟ କରୁଥିଲେ। କାହ୍ନର ଦୁଇ ସହଯୋଗୀ ପ୍ରଶାନ୍ତ ଓ ମୁନାଙ୍କୁ ପୁରୁଣା ସୁନା ଦେବେ କହି ଏକ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଥିଲେ। ହେଲେ ନା ସୁନା ଦେଇଥିଲେ ନା ଟଙ୍କା ଫେରାଇଥିଲେ। ଯାହାକୁ ନେଇ ପ୍ରଶାନ୍ତ ଓ ମୁନାଙ୍କ ସହ କାହ୍ନର ପାଟିତୁଣ୍ଡ ହୋଇଥିଲା। କାହ୍ନର ସହଯୋଗୀମାନେ ଟଙ୍କା ନଫେରାଇବାରୁ ଗତ ୬ତାରିଖ ରାତିରେ ପ୍ରଶାନ୍ତ ଓ ମୁନା କାହ୍ନଙ୍କୁ ଅପହରଣ କରି ବାଙ୍କି ନେଇଯାଇଥିଲେ।
ଏ ନେଇ କାହ୍ନଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ମୋବାଇଲ୍ ଟ୍ରାକିଂ କରି ପୁଲିସ ସେମାନଙ୍କ ଠିକଣା ଠାବ କରିଥିଲା। ଗତକାଲି ରାତିରେ ପୁଲିସର ଏକ ଟିମ୍ ବାଙ୍କିରେ ପହଞ୍ଚି ସେଠାରୁ ପ୍ରଶାନ୍ତ ଓ ମୁନାକୁ ଗିରଫ କରିବା ସହ କାହ୍ନଙ୍କୁ ଉଦ୍ଧାର କରିଥିଲେ। ଆଜି ପ୍ରଶାନ୍ତ ଓ ମୁନାକୁ ଥାନାରେ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି। ସେହିପରି ଫେରାର୍ ଥିବା ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
Follow Us