ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବାଙ୍ଗରମଉର ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କ ଉପରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାଙ୍କ ପିତାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କି ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ପୁଲିସ କର୍ମଚାରୀ ଓ ଚିକିତ୍ସକମାନେ ଚିକିତ୍ସା ସମୟରେ ମଜା ନେଉଥିବା ଭିଡ଼ିଓରେ ଦେଖାଯାଉଛି। ଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କ ସହିତ ଏହି ଅସମ୍ବେଦନଶୀଳ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାଙ୍କ ପିତା ସୋମବାର (ଏପ୍ରିଲ ୯)ରେ ପୁଲିସ ଥାନାରେ ମୃତ୍ୟୁ ହୋଇଥିଲା। ପିତା ବିଧାୟକଙ୍କ ଭାଇ ଅତୁଲ ସିଂହ ସେଙ୍ଗର ଓ ତାଙ୍କ ସମର୍ଥକମାନେ ମାଡ଼ମାରିଥିବା କଥା ଥାନାରେ ଅଭିଯୋଗ କରିଥିଲେ। ମାଡ଼ମାରିବା ପରେ ଥାନାରେ କେସ କରି ଜେଲ ପଠାଇବାକୁ ବିଧାୟକଙ୍କ ଭାଇ ଓ ସମର୍ଥକମାନେ ଚେତାବନୀ ଦେଇଥିଲେ।
ପୋଷ୍ଟମର୍ଟମ ରିପୋର୍ଟରେ ପୀଡ଼ିତାଙ୍କ ପିତାଙ୍କ ଶରୀରର ୧୫ଟି ସ୍ଥାନରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ, ଅତ୍ୟଧିକ ମାଡ଼ର ଶିକାର ହୋଇଥିବାରୁ ଶରୀରରେ ସେଫଟିସିମିୟା ବ୍ୟାପୀ ଯାଇଥିଲା। ଫଳରେ ମୃତ୍ୟୁ ହୋଇଥିଲା। ପୀଡ଼ିତାଙ୍କୁ ଯେତେବେଳେ ଚିକିତ୍ସା ଲାଗି ପୁଲିସ ଜିଲ୍ଲା ହସ୍ପିଟାଲ ଅଣାଯାଇଥିଲା, ସେହି ସମୟରେ ଜରୁରିକାଳୀନ ଅଧିକାରୀ ଚୌକିରେ ବସି କିଛି ବ୍ୟକ୍ତି ଓ ପୁଲିସ କର୍ମଚାରୀ ହସୁଥିଲେ। ଅନ୍ୟପକ୍ଷରେ ଦୁଷ୍କର୍ମ ପୀଡ଼ିତାଙ୍କ ପିତା ଯନ୍ତ୍ରଣାରେ ଛଟପଟ ହେଉଥିଲେ।
ଭିଡିଓରେ ଦେଖାଯାଉଛି ଯେ, ପିତାଙ୍କ ଶରୀରରେ ବହୁ ସ୍ଥାନରେ ଆଘାତ ଲାଗିଛି। ପାଦରୁ ରକ୍ତ ବାହାରୁଛି। ଏହି ଘଟଣା ପ୍ରଘଟ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ଶାସନ ପ୍ରତି ପ୍ରଶ୍ନ ଉଠିଛି।
Follow Us