ଓମିକ୍ରନ୍ ସମସ୍ତଙ୍କୁ ମାରିଦେବ; ଏଭଳି ଲେଖି ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କଲେ ଡାକ୍ତର

Advertisment
ଓମିକ୍ରନ୍ ସମସ୍ତଙ୍କୁ ମାରିଦେବ; ଏଭଳି ଲେଖି ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କଲେ ଡାକ୍ତର

ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ତୃତୀୟ ଲହର ଆଣିବ ବୋଲି ଆଶଙ୍କା କରାଗଲାଣି। ଏତେ ମାସ ଧରି କରୋନା ସହ ଲଢ଼ି କେବଳ ସାଧାରଣ ଲୋକେ ନୁହନ୍ତି ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଅବସାଦଗ୍ରସ୍ତ ହେଲେଣି, ଯାହା ଉତ୍ତରପ୍ରଦେଶ କାନପୁରରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଛି |

ଉତ୍ତରପ୍ରଦେଶ କାନପୁରରେ ରହୁଥିବା ଜଣେ ଡାକ୍ତର ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି | କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ସମୟରେ ପ୍ରତିଦିନ ପ୍ରାଣ ହରାଉଥିବା ରୋଗୀଙ୍କୁ ଦେଖି ଅତିଷ୍ଠ ହୋଇପଡିଥିବା ଡାକ୍ତର ଏବେ ଓମିକ୍ରନ ଭାରିଆଣ୍ଟ ବିଷୟରେ ଜାଣି ପରିବାରକୁ ହତ୍ୟା କରିଥିବା ଜଣାପଡିଛି | ମାନସିକ ଭାରସାମ୍ୟ ହରାଇ ନିଜ ୪୮ ବର୍ଷିୟା ପତ୍ନୀ,୧୮ ବର୍ଷର ପୁଅ ଓ ୧୫ ବର୍ଷର ଝିଅକୁ ହତ୍ୟା କରିଛନ୍ତି ଜନୈକ ଡାକ୍ତର ସୁଶୀଲ କୁମାର ।

କାନପୁର ଇନ୍ଦିରାନଗରର ଏକ ଆପାର୍ଟମେଣ୍ଟରେ ନିଜ ପରିବାର ସହ ରହୁଥିଲେ ଡାକ୍ତର ସୁଶୀଲ କୁମାର । ହେଲେ କରୋନା ସମୟରୁ ସେ ମାନସିକ ଚାପରେ ରହିଆସୁଥିଲେ । ଏବେ ପୁଣି ଚାରିଆଡେ ଓମିକ୍ରନର ଆତଙ୍କ ଖେଳିଯିବା ପରେ ସେ ଆହୁରି ବିଚଳିତ ହୋଇପଡିଥିଲେ । ଆଉ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ଅନ୍ୟତ୍ର ରହୁଥିବା ଭାଇକୁ ଫୋନ କରି ଘଟଣା ସମ୍ପର୍କରେ କହିବା ସହ ପୁଲିସକୁ ଖବର ଦେବାକୁ କହିଥିଲେ । ଏହାପରେ କୁଆଡେ ଚାଲିଯାଇଛନ୍ତି ଡାକ୍ତର ସୁଶୀଲ ।

ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ୩ଟି ମୃତଦେହ ପାଖରୁ ଏକ ମାରଣାସ୍ତ୍ର ଏବଂ ଡାକ୍ତର ସୁଶୀଲ କୁମାର ଲେଖିଥିବା ଡାଏରୀ ଜବତ କରିଛି।

ଡାକ୍ତର ନିଜ ଡାଏରୀରେ ଲେଖିଛନ୍ତି ଯେ, ସେ ଏକ ଅଜଣା ମାନସିକ ରୋଗରେ ଆକ୍ରାନ୍ତ, ଯାହାର ଚିକିତ୍ସା କାହାରି ପାଖରେ ନାହିଁ । ଏପରି ସ୍ଥିତିରେ ସେ ନିଜ ପରିବାରକୁ କଷ୍ଟରେ ଦେଖିବାକୁ ଚାହୁଁନାହାଁନ୍ତି । ସେ ସମସ୍ତଙ୍କୁ କଷ୍ଟରୁ ମୁକ୍ତି ଦେଇ ମୁକ୍ତିର ମାର୍ଗରେ ନେଇଯିବାକୁ ଚାହାଁନ୍ତି । ସେ ନିଜ ସହ ଘର ଲୋକଙ୍କୁ ଚିନ୍ତାରେ ଦେଖିବାକୁ ଚାହାଁନ୍ତି ନାହିଁ । ଆଗରୁ ବହୁତ ମରଣ ଦେଖିଦେଖି ଏବେ ଆଉ ଶବ ଗଣିବାକୁ ଚାହୁଁନାହାଁନ୍ତିି । ଓମିକ୍ରନ୍ ସମସ୍ତଙ୍କୁ ମାରିଦେବ…’ ।

ଡାକ୍ତର ସୁଶୀଲ କୁମାର କାନପୁରର ରାମା ମେଡିକାଲ କଲେଜର ଫରେନସିକ୍ ବିଭାଗର ଏଚଓଡି ଭାବେ କାର୍ଯ୍ୟରତ । ସେ କାନପୁର ମେଡିକାଲ କଲେଜରୁ ଡାକ୍ତରୀ ପଢିଛନ୍ତି । ଏହି ହତ୍ୟାକାଣ୍ଡକୁ ନେଇ କାନପୁର ପୁଲିସ ସୁଶୀଲଙ୍କୁ ଖୋଜିବାରେ ଲାଗିପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe