ଫରିଦାବାଦ: ପ୍ରତିଶୋଧ ନେବା ଲକ୍ଷ୍ୟରେ ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କର ଏକ ନକଲି ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ତିଆରି କରି ସେଥିରୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ କମ୍ପ୍ୟୁଟର ସାହାଯ୍ୟରେ ଛାତ୍ରୀଙ୍କର ନଗ୍ନ ଫଟୋ ତିଆରି କରି ସେଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଜନୈକ ୨୫ ବର୍ଷ ବୟସ୍କ ଯୁବକକୁ ପୁଲିସ୍ ଗିରଫ କରିଛି। ସୋସିଆଲ ମିଡିଆରେ ତାଙ୍କୁ ଭେଟିଥିବା ବନ୍ଧୁଙ୍କୁ ହଇରାଣ କରିବା ଅଭିଯୋଗରେ ଅଭିଯୁକ୍ତ ଜଣକ ସଂପୃକ୍ତା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା। ଏବଂ ଏହି ଉଦ୍ଦେଶ୍ୟରେ ସେ ଏପରି କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଛି। ଅଭିଯୁକ୍ତ ଜଣଙ୍କର ନାମ ଭରତ ଖତର ଏବଂ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବି.କମ୍ ସମ୍ମାନରେ ସ୍ନାତକୋତ୍ତର ପାସ କରବା ପରେ ଗତ ଦୁଇ ବର୍ଷ ଧରି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିରେ କାର୍ଯ୍ୟ କରୁଥିଲେ ବୋଲି ପୁଲିସ୍ କହିଛି।
ଅଭିଯୁକ୍ତର ଏପରି କାରନାମା ସଂପର୍କରେ ଫରିଦାବାଦରେ ରହୁଥିବା ଛାତ୍ରୀଙ୍କ ମା’ ଜାଣିବା ପରେ ସେ ଘଟଣା ସଂପର୍କରେ ପୁଲିସ୍ରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯୁବକ ଚଳାଇଥିବା ଏପ୍ରକାର ଜଘନ୍ୟ କାରବାରର ପର୍ଦ୍ଦାଫାସ୍ କରିଛି କେଏମ ପୁର ପୁଲିସ।
ଡେପୁଟି ପୁଲିସ୍ କମିସନର (ଦକ୍ଷିଣ) ଅତୁଲ କୁମାର ଠାକୁର କହିଛନ୍ତି ଯେ ଏହି ଅଭିଯୋଗ ମିଳିବା ପରେ ଅନୁସନ୍ଧାନର ଏକ ଅଂଶ ଭାବରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ ସବିଶେଷ ତଥ୍ୟ ମାଗି ଫେସବୁକକୁ ଚିଠି ପଠାଯାଇଥିଲା। ଫେସବୁକ୍ ନିକଟରୁ ବୈଷୟିକ ଇନପୁଟ ମିଳିବା ପରେ ଅନୁସନ୍ଧାନକାରୀ ଦଳ ଆଇପି ବିଶ୍ଳେଷଣ କରି ସନ୍ଦିଗ୍ଧ ଉପରେ ନଜର ରଖିଥିଲେ। ପରେ ଅଭିଯୁକ୍ତକୁ ଫରିଦାବାଦର ଏନଆଇଟି କଲୋନୀରେ ଥିବା ତା’ ବାସଭବନରୁ ଗିରଫ କରାଯାଇଥିବା ସେ କହିଛନ୍ତି। ନକଲି ପ୍ରୋଫାଇଲ୍ ତିଆରି ପାଇଁ ବ୍ୟବହୃତ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।
Follow Us