ଜବର ଦଖଲ ଜମିରେ ମାଟି ପୋତିବା ନେଇ ତହସିଲଦାରଙ୍କ ତଦନ୍ତ ଆରମ୍ଭ, ୧ ଲକ୍ଷ ୩୯ ହଜାର ଟଙ୍କା ଜରିମାନା ଆଦାୟ

Advertisment
ଜବର ଦଖଲ ଜମିରେ ମାଟି ପୋତିବା ନେଇ ତହସିଲଦାରଙ୍କ ତଦନ୍ତ ଆରମ୍ଭ, ୧ ଲକ୍ଷ ୩୯ ହଜାର ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ତ୍ରିଶୁଲମୁଣ୍ଡା ଠାରେ ଆବାସ ଅଯୋଗ୍ୟ ଅନାବାଦୀ ଜାଗାରେ ଜବର ଦଖଲ କରି ମାଟି ପୋତିବା ଘଟଣା ନେଇ ଆଜି ସମ୍ବାଦ ରେ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ତହସିଲଦାର ଘଟଣା ସ୍ଥଳକୁ ଯାଇ ସର ଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ୨ ଜଣ ଜମି ମାଲିକଙ୍କ ଠାରୁ ୧ ଲକ୍ଷ ୩୯ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଛାଞ୍ଚଲ୍ୟ ଖେଳି ଯାଇଛି ।

ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ଭବାନୀପାଟଣା ସହରସ୍ଥିତ ତ୍ରିଶୂଳମୁଣ୍ଡା ଠାରେ ମାଟି ପକାଇ ଅନାବାଦୀ ଜାଗାକୁ ଅକ୍ତିଆର ପାଇଁ ମସୁଧା ଚାଲିଥିଲା । ସହରର ଜାତୀୟ ରାଜପଥ ୨୬ ପାର୍ଶ୍ୱ ରେ ଥିବା ତ୍ରିଶୁଲମୁଣ୍ଡା ର ୫୪ ଡ଼ିସିମିଲ ଜମିକୁ ହାତେଇବା ପାଇଁ ମାଟି ପକାଇ ସମତଲ କରାଯାଉଥିଲା । ଅନାବାଦୀ ଜାଗାକୁ ଘରୋଇ ଜମିରେ ମିଷେଇବା ପାଇଁ ଜମି ମାଫିଆଙ୍କ ଚକ୍ରାନ୍ତ ନେଇ ଆଜି ସମ୍ବାଦ ରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ତହସିଲ ପକ୍ଷରୁ ତନାଘନା ଉଦ୍ୟମ ଆରମ୍ଭ ହୋଇଥିଲା । କଳାହାଣ୍ଡି ତହସିଲଦାର କ୍ଷୀରୋଦ ବିହାରୀ ଭରତ ନାଗ, ନଜୁଲ ଆରଆଇ ରାକେଶ କୁମାର ସାହୁ ଓ ସଦର ଆରଆଇ ବୈକୁଣ୍ଠ ନାଥ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ପ୍ରାଥମିକ ତଦନ୍ତ ପରେ ସରକାରୀ ଜମିରେ ମାଟି ପୋତି ହଡ଼ପ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଜଣା ପଡିଥିଲା ।

ଏନେଇ ମାଟି ରୟାଲଟି ଓ ପେନାଲଟି ବାବଦକୁ ୧ ଲକ୍ଷ ୩୯ ହଜାର ୭୫୦ ଟଙ୍କା ସରକାରୀ ଜମିକୁ ଲାଗି ରହିଥିବା ୨ ଜଣ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଅନ୍ୟ ପକ୍ଷରେ ଏହି ଜରିମାନ ରାଶି ଅଧିକ ହୋଇଥିବା ବେଳେ ଜମି ମାଫିଆଙ୍କୁ ଅନୁକମ୍ପା ଦେଖାଇ କମ ଜରିମାନା ଆଦାୟ ହୋଇଥିବା ଅଭିଯୋଗ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଏପର୍ଯ୍ୟନ୍ତ ଜମି ଜବରଦଖଲ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା କିମ୍ବା ଜବରଦଖଲ ଜମିରେ ନାଲି ପତାକା ଲଗା ଯାଇନାହିଁ । ଘଟଣାକୁ ଚପାଇ ଦେବାକୁ ତହସିଲ ଉପରେ ରାଜନୈତିକ ଚାପ ପଡୁଥିବା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି ।

ଏନେଇ କଳାହାଣ୍ଡି ତହସିଲଦାରଙ୍କୁ ପଚାରିବାରୁ ଆଜି ଜବର ଦଖଲ ସ୍ଥାନ ପରିଦର୍ଶନ କରି ସରଜମିନ ତଦନ୍ତ କରାଯାଉଛି । ପ୍ରଥନ ପର୍ଯ୍ୟାୟରେ ବାହାରୁ ମାଟି ଆଣିବା ଓ ସରକାରୀ ଜମିରେ ମାଟି ପୋତିବା ନେଇ ରୟାଲଟି ଓ ପେନାଲଟି ବାବଦକୁ ୧ ଲକ ୩୯ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜମି ଜବରଦଖଲ ନେଇ ନୋଟିସ ଦିଆଯିବା ସହିତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe