ଛତ୍ରପୁର : ପଞ୍ଚାୟତ ନିର୍ବାଚନ ଲାଗି ଗଞ୍ଜାମ ଜିଲ୍ଲାରେ ଗତ ୧୭ ତାରିଖଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ହେଲେ ଦୁଇଦିନ ଧରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜେଡିରୁ ଗୋଟିଏ ବି ନାମାଙ୍କନ ପଡ଼ି ନଥିଲା। ଆଜି ଦଳ ପକ୍ଷରୁ ଖଲ୍ଲିକୋଟ ବ୍ଲକ୍ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପାଇଁ ସୁଲୁ ସ୍ବାଇଁ ନାମକ ଜଣେ ଯୁବ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ହେଲେ ସୁଲୁଙ୍କ ନାମରେ ୧୦ଟି ଫୌଜଦାରୀ ଅପରାଧ ମାମଲା ରହିଥିବା ବେଳେ ଦଳ ତାଙ୍କୁ କେଉଁ ଆଧାରରେ ପ୍ରାର୍ଥୀ କଲା, ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
ସୁଲୁଙ୍କ ନାମରେ ଖଲ୍ଲିକୋଟ ଜେଏମ୍ଏଫ୍ସି କୋର୍ଟରେ ଜିଆର୍ କେସ୍ ନମ୍ବର ୫୧୨/୧୬, ୫୧୯/୧୬, ୩୬/୧୭, ୫୭/୧୭, ୨୩୨/୧୭, ୧୧/୧୯, ୧୪/୧୯, ୫୧୬/୧୯, ୧୪୩/୧୭ ଏବଂ ଜିଆର୍ ୨୨୬/୧୯ ଆଦି ବିଚାରାଧୀନ ରହିଛି। ସମସ୍ତ ମାମଲାରେ ୩୪୧, ୨୯୪, ୩୨୩, ୩୨୫, ୩୦୭, ୫୦୬, ୩୪, ୩୫୪ (ବି), ୩୫୩, ୪୨୭, ୪୫୨ ଓ ୩୭୯ ଭଳି ଭାରତୀୟ ପିଙ୍ଗଳ କୋଡ଼୍ର ଅନେକ ଧାରା ଲାଗିଛି। ଆଜି ସୁଲୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସର୍ଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ଏହାସହ ତାଙ୍କ ନାଁରେ ବିବାରାଧୀନ ଫୌଜଦାରୀ ଅପରାଧ ମାମଲା ସଂକ୍ରାନ୍ତରେ ଏକ ସତ୍ୟପାଠ ବି ଦାଖଲ କରିଛନ୍ତି।
ତେବେ ସୁଲୁଙ୍କ ପ୍ରାର୍ଥିତ୍ବକୁ ନେଇ ବିଭିନ୍ନ ମହଲରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ମାପକାଠିକୁ ଆଧାର କରି ଅପରାଧ ମାମଲାରେ ସଂପୃକ୍ତ ଜଣେ ଯୁବ ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ କରାଗଲା, ଏହାକୁ ନେଇ କିଛି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଜୋନ୍ରୁ ବର୍ତ୍ତମାନର ଜିଲ୍ଲା ପରିଷଦ ସୋନମ୍ ପଲାଇଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଶେଷ ସମୟରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ସୁଲୁଙ୍କୁ ସୁଯୋଗ ଦେଇଥିବାରୁ କିଛି ନେତା ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି।
Follow Us