ହଟିଲା ଜବରଦଖଲ: ଆର୍‌ଡିଏ ଭାଙ୍ଗିଲା ୧୦ ଘର ଓ ୨ ଗ୍ୟାରେଜ୍‌

Advertisment
ହଟିଲା ଜବରଦଖଲ: ଆର୍‌ଡିଏ ଭାଙ୍ଗିଲା ୧୦ ଘର ଓ ୨ ଗ୍ୟାରେଜ୍‌

ରାଉରକେଲା: ଦୀର୍ଘ ୨୬ ବର୍ଷ ପରେ ସିଭିଲଟାଉନସିପ୍‌ସ୍ଥ ସଞ୍ଜୟ ମାର୍କେଟରୁ ଜବଦରଖଲ ହଟିଛି। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଏନ୍‌‌ଫୋର୍ସ ଟିମ୍‌ ସଞ୍ଜୟ ମାର୍କେଟରୁ ୧୦ଟି ଘର ଓ ଦୁଇଟି ଗ୍ୟାରେଜକୁ ଭାଙ୍ଗି ଦେଇଛନ୍ତି। ଘରଗୁଡ଼ିକ ଭାଙ୍ଗିବେଳେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଆର୍‌ଡିଏ ଅଧିକାରୀ ଓ ଜବରଦଖଲକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ମାଜିଷ୍ଟ୍ରେଟ୍‌ ତଥା ବିଶ୍ରା ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ପ୍ରେମ ପ୍ରକାଶ ହରୋଙ୍କ ସମେତ ଆର୍‌ଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ, ପାନପୋଷ ଏସ୍‌ଡିପିଓ, ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଡେପୁଟି କମିସନର ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଜବରଦଖଲକାରୀଙ୍କୁ ଘର ଓ ଗ୍ୟାରେଜ୍‌ ଖାଲି କରିବାକୁ ଗତ ୨ ତାରିଖରେ ଆର୍‌ଡିଏ କର୍ତ୍ତୃପକ୍ଷ ନୋଟିସ୍‌ କରିଥିଲେ। ୫ ତାରିଖ ସୁଦ୍ଧା ଘର ଖାଲି କରିବା ସହ ୬ ଉଚ୍ଛେଦ କରାଯିବ ବୋଲି ନୋଟିସରେ ଦର୍ଶାଯାଇଥିଲା। ନୋଟିସ୍‌ ପାଇବା ପରେ ମଧ୍ୟ ଜବରଦଖଲକାରୀ ଘର ଓ ଗ୍ୟାରେଜ୍‌ଗୁଡ଼ିକ ଖାଲି କରି ନଥିଲେ। କୋର୍ଟ ନିର୍ଦ୍ଦେଶ ମୁତାବକ ଆଜି ଆର୍‌ଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ଉଚ୍ଛେଦ କାମ ଆରମ୍ଭ କରିଥିଲେ। ଯାହାକୁ ଜବରଦଖଲକାରୀ ଓ ସ୍ଥାନୀୟ ଅଞ୍ଚଳର କିଛି ଲୋକ କଡା ବିରୋଧ କରିଥିଲେ।

ଖାଲି ହୋଇଥିବା ଜାଗାରେ ଆର୍‌ଡିଏ ପକ୍ଷରୁ କିଛି ନୂଆ ପ୍ରକଳ୍ପ ହେବ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ସଞ୍ଜୟ ମାର୍କେଟ ନିକଟରେ କିଛି ଜାଗା ଖାଲି ପଡିଥିଲା। ଯେଉଁଠି କିଛି ଜବରଦଖଲକାରୀ ଘର ନିର୍ମାଣ କରି ରହିବା ସହ ଗ୍ୟାରେଜ କରିଥିଲେ। ୧୯୯୬ ଠାରୁ ରହି ଆସୁଥିବା ଜବରଦଖଲକାରୀଙ୍କୁ ଖାଲି କରିବାକୁ ଆର୍‌ଡିଏ ପକ୍ଷରୁ ବହୁବାର ନୋଟିସ୍‌ କରାଯାଇଥିଲା। ଜବରଦଖଲକାରୀ ଏହା ବିରୋଧରେ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ରହିତାଦେଶ ଦେଇଥିଲେ। ଗତ କିଛି ଦିନ ତଳେ କୋର୍ଟ ଜବରଦଖଲକାରୀଙ୍କ ମାମଲାକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ସିଭିଲଟାଉନସିପ୍‌ ରେସିଡେନ୍ସି ଆସୋସିଏସନ ପକ୍ଷରୁ ରହିଥିବା କଲ୍ୟାଣ ମଣ୍ଡପ ଓ କିଛି ଦୋକାନକୁ ଆରଡିଏ ଖାଲି ନିଜ ଅଧିନକୁ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe