ସପ୍ତାହ ହେବ ମଣ୍ଡିରେ ଶୀତକାକରରେ ଧାନ ଧରି ଜଗି ବସିଛି ଚାଷୀ

Advertisment

୧୬ରେ ରାଜ୍ୟ ସରକାରଙ୍କୁ ଜଣାଇବ ଜିଲ୍ଲା ପ୍ରଶାସନ; ଟୋକେନ୍ ପାଇ ନଥିବା ଚାଷୀ ମୁଣ୍ଡରେ ଚଢ଼କ

୧୬ରେ ରାଜ୍ୟ ସରକାରଙ୍କୁ ଜଣାଇବ ଜିଲ୍ଲା ପ୍ରଶାସନ; ଟୋକେନ୍ ପାଇ ନଥିବା ଚାଷୀ ମୁଣ୍ଡରେ ଚଢ଼କ

ସପ୍ତାହ ହେବ ମଣ୍ଡିରେ ଶୀତକାକରରେ ଧାନ ଧରି ଜଗି ବସିଛି ଚାଷୀ

Sambad

ଜୟପୁର: ଖରା, ବର୍ଷା, ଶୀତ କାକରରେ ଜମିରେ ଖଟି ଧାନ ଅମଳ କରିଥିଲୁ। ବ୍ୟାଙ୍କ, ଲ୍ୟାମ୍ପ ଓ ହାତଉଧାର, ମହାଜନ, ବିହନ ଓସାର ବେପାରୀଙ୍କ ଠାରୁ ଧାର ଆଣି ଚାଷ କରିଥିଲୁ। ଦୀର୍ଘ ୧୦ବର୍ଷ ମଧ୍ୟରେ ଏଭଳି ଖରାଫ ସମୟ କେବେ ଦେଖି ନାହୁଁ। ଗତ ୭ଦିନ ହେବ ଉପରୋକ୍ତ ଚାଷୀ ମାନେ ପଲକାପୁଟ, ଟାଙ୍କୁଆ, ବଡଜିଉନା, ଅନ୍ତା ଆଦି ମଣ୍ଡିରେ ଧାନ ଜମା କରି ଜଗି ବସି ରହିଛନ୍ତି। ଟୋକେନରେ ଯେଉଁ ତାରିଖରେ ଧାନ କିଣାଯିବାର ଥିଲା କାର୍ଯ୍ୟକାରୀ ସଂସ୍ଥା ସେ ଦିନ କିଣି ନଥିଲେ। ଏବେ ଟାର୍ଗେଟ୍ ସରିଗଲା ବୋଲି କହୁଛନ୍ତି। ୧୫ରେ ସ୍ବତନ୍ତ୍ର ଦଳ ଯାଂଚ ପରେ ହିଁ ଧାନ ନିଆଯିବ ବୋଲି କହୁଛନ୍ତି। ଧାନ ଯଦି ସରକାର ନ ନେବେ ତେବେ ଆମେ ବାଧ୍ୟ ହୋଇ ଦଲାଲ ଓ ମଧ୍ୟସ୍ଥିଙ୍କ ନିକଟରେ ୧୩୫୦ ରୁ ୧୪୦୦ଟଙ୍କା ମଧ୍ୟରେ ବିକ୍ରୀ କରିବାକୁ ବାଧ୍ୟ ହେବୁ। ଅଭାବି ବିକ୍ରିର ଶୀକାର ହେବୁ। ଏହି ସ୍ଥିତିରେ କିଭଳି ଋଣ ଟଙ୍କା ପରିଶୋଧ କରିବୁ। କଣ ଖାଇବୁ, ବର୍ଷ ତମାମ ପରିବାର କିଭଳି ବଂଚିବ ବୋଲି କହିଛନ୍ତି ଚାଷୀ ସୁରେନ୍ଦ୍ର ଅମନାତ୍ୟ, ବୁଦୁ ପରଜା, ଚମ୍ପା ମୁଦୁଲି। ଠିକଣା ସମୟରେ ବିହନ କିମ୍ବା ସାର ମିଳିଲାନି। ତଥାଫି ଧାର ଉଧାର, ବିହନ ଓ ସାର ବେପାରୀଙ୍କ ଠାରୁ ବିହନ ଓ ଧାନ ବିଳମ୍ବରେ ଆଣି ଚାଷ କରିଥିଲି। ଏବେ ଟୋକେନ୍ ମିଳିନି।

କଣ କରିବୁ, କିଭଳି ଧାର ସୁଝିବୁ। ଦଲାଲ ମାନେ କମ୍ ଦରରେ ଧାନ ମାଗୁଛନ୍ତି। ଟୋକେନ୍ ନଥିଲେ ଧାନ ଯଦି ସରକାର କିଣିବେ ନାହିଁ ତେବେ ତାଙ୍କୁ ବିକିବୁ। ଏହି ସ୍ଥିତି ଲାଗି ରହିଲେ ଚାଷୀ ମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ପୁରଷତି ପୁଜାରୀ, ଭଦ୍ର ନାୟକ, ସୁବାସ ପେଣ୍ଟିଆ, ବୈଦ୍ୟ ଭତ୍ରା, ନବୀନ ହରିଜନ। ପ୍ରକାଶ ଯୋଗ୍ୟ, ଚଳିତ ବର୍ଷ ଖରିଫ ମଣ୍ଡି ଖୁବ ଶାନ୍ତି ଶୃଙ୍ଖଳାର ସହ ଚାଳିଥିଲା। ଚାଷୀ, କାର୍ଯ୍ୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ, ପାଣିପଂଚାୟତ ଓ ମିଲର ମାନଙ୍କ ମଧ୍ୟରେ ସଲାସୁତରା ହୋଇ କଟନିଛଟନିରେ ଧାନ କିଣା ଚାଳିଥିଲା। ତେବେ ଚାଷୀ ମାନେ ଶାନ୍ତିରେ ଧାନ ମଣ୍ଡିରେ ବିକ୍ରୀ କରୁଥିଲେ। ଏଥିରେ କେଁ ପୁରାଇଛି ସରକାର। ପଂଜୀକୃତ ଚାଷୀଙ୍କ ସଂଖ୍ୟା, ଜମିର ପରିମାଣ ଓ ଅମଳ ହେବାକୁ ଥିବା ଧାନ ସଂପର୍କରେ ଜାଣି ସୁଦ୍ଧା ରାଜ୍ୟ ସରକାର ଧାନ କିଣା ଟାର୍ଗେଟ ଆଉ ଜିଲ୍ଲା ଯୋଗାଣ ବିଭାଗକୁ ଦେଇନଥିଲେ। ଅନ୍ୟ ପକ୍ଷରେ ଏହାରି ମଧ୍ୟରେ ବହୁ ଚାଷୀଙ୍କୁ ଟୋକେନ୍ ବି ଇସ୍ୟୁ କରାଯାଇଛି। ଜିଲ୍ଲାରେ ଥିବା ୧୦୩ଟି ମଣ୍ଡିରୁ ୨୩ହଜାର ୪୧୨ଜଣ ଚାଷୀଙ୍କ ଠାରୁ ରାଜ୍ୟ ସରକାର ୨୦ଲକ୍ଷ ୮୦ହଜାର କୁଇଣ୍ଟାଲ ଧାନ କିଣିଛି। ଏବେ ବି ୯ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଛି। କିଛି ଚାଷୀଙ୍କୁ ଟୋକେନ୍ ଇସ୍ୟୁ କରାଯାଇଛି, କିନ୍ତୁ ଧାନ କିଣାଯାଇନି।

ଆଉ ବହୁ ଚାଷୀଙ୍କୁ ଟାର୍ଗେଟ ବିବାଦ ପରେ ଟୋକେନ୍ ମିଳି ପାରିନି,କିନ୍ତୁ ସେମାନଙ୍କ ଠାରେ ଧାନ ମହଜୁଦ ଅଛି। ଏଭଳି ଜିଲ୍ଲାରେ ୯ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଥିବା ପ୍ରଥମିକ ଆକଳନରୁ ଜଣା ପଡ଼ୁଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ଟୋକେନ୍ ପାଇଥିବା ଚାଷୀ ମାନେ ୧୫ତାରିଖ ସୁଦ୍ଧା ୧୪ଟି ବ୍ଲକର ୧୦୩ଟି ମଣ୍ଡିରେ ଧାନ ଜମା କରି ରଖିବାକୁ ଜିଲ୍ଲାପ୍ରଶାସନ ନିର୍ଦେଶ ଜାରୀ କରିଥିଲା। ଏହି ୧୦୩ଟି ମଣ୍ଡିକୁ ପ୍ରଶାସନର ବ୍ଲକ ଓ ରାଜସ୍ବବିଭାଗର କର୍ମଚାରୀଙ୍କୁ ନେଇ ଗଠନ କରାଯାଇଥିବା ୧୦୩ଟି ସ୍ବତନ୍ତ୍ର ଦଳ ଯାଇ କେତେ ଧାନ ମଣ୍ଡି ଗୁଡ଼ିକରେ ଗଚ୍ଛିତ ରହିଛି ତାହାର ରିପୋର୍ଟ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗକୁ ଦେବେ। ଏହି ୧୦୩ଟି ଦଳକୁ ବିଡିଓ ଓ ତହସିଲଦାର ମାନେ ସୁପରଭାଇଜ କରିବା ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବା ପରେ ନୂଆ ଟାର୍ଗେଟ୍ ଆସିବା ପରେ ଧାନ କିଣାଯିବ। ତେବେ ବହୁ ଚାଷୀ ଟୋକେନ୍ ପାଇ ନଥିବା ଏବଂ ସେମାନଙ୍କ ନିକଟରେ ଧାନ ରହିଥିବା ସଂପର୍କରେ ବି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ରାଜ୍ୟ ସରକାର ଟୋକେନ୍ ନ ପାଇ ଘରେ ଧାନ ଥିବା ଚାଷୀଙ୍କୁ ଟୋକେନ୍ ନ ଦେଲେ ଆଗାମୀ ଦିନରେ ବଡ଼ ଧରଣର ସମସ୍ୟାକୁ ବି ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe