ବାଲ୍ୟ ବିବାହ ବିରୁଦ୍ଧରେ ଲଢ଼ିଲେ କିଶୋରୀ, ବାଳିକା ଦିବସରେ ୧୧ ଜଣଙ୍କୁ ସମ୍ବର୍ଧିତ କଲା ପ୍ରଶାସନ

Advertisment
ବାଲ୍ୟ ବିବାହ ବିରୁଦ୍ଧରେ ଲଢ଼ିଲେ କିଶୋରୀ, ବାଳିକା ଦିବସରେ ୧୧ ଜଣଙ୍କୁ ସମ୍ବର୍ଧିତ କଲା ପ୍ରଶାସନ

ରାୟଗଡ଼ା: ବାଲ୍ୟ ବିବାହ ବିରୁଦ୍ଧରେ ଲଢ଼ିବା ସହ ନିଜ ଗୋଡ଼ରେ ଠିଆ ହେବାର ସଂକଳ୍ପ ନେଇ ପୁଣି ସ୍କୁଲ୍ ମୁହାଁ ହୋଇଥିବା ୧୧ କିଶୋରୀଙ୍କୁ ସମ୍ବର୍ଧିତ କରିଛି ପ୍ରଶାସନ। ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସାହାସୀ କିଶୋରୀଙ୍କୁ ସମ୍ବର୍ଧିତ କରି ଡିଜିଟାଲ ଯୁଗରେ ପ୍ରତ୍ୟେକ କିଶୋରୀ ନିଜକୁ ସଶକ୍ତ କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଆନ୍ତର୍ଜାତୀୟ ବାଳିକା ଦିବସରେ ମୁଖ୍ୟଅତିଥି ଭାବେ ଜିଳ୍ଲାପାଳ ଶ୍ରୀ ମିଶ୍ର ଯୋଗଦେଇ ଚଳିତ ବର୍ଷର ବିଷୟବସ୍ତୁ ଡିଜିଟାଲ ଜେନେରେସନ, ଆୱାର ଜେନେରେସନ ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ଝିଅମାନେ ନିଜେ ଦକ୍ଷ ହେବା ସହ ଆଗକୁ ଆସିବାକୁ ପଡ଼ିବ ବୋଲି କହିଥିଲେ।

ଆମ ଅଞ୍ଚଳର ଅନେକ ଝିଅ ବିଭିନ୍ନ ପ୍ରଶାସନିକ ପଦ ପଦବିରେ ରହିଲେଣି। କିଶୋରୀମାନେ ଆଗକୁ ଆସି କନ୍ୟା ସନ୍ତାନ ପରିବାର ପାଇଁ ବୋଝ ନୁହନ୍ତି ତାହାକୁ ପ୍ରମାଣିତ କରିବାକୁ ପଡ଼ିବ ବୋଲି କହିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ମନୋରଞ୍ଜନ ମିଶ୍ର ଆଇନଗତ ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରହିଛି। ପ୍ରତ୍ୟେକ କିଶୋରୀ ନିଜକୁ ଏକୁଟିଆ ନ ଭାବି ଏହାର ସୁଯୋଗକୁ ନେବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଅନେକ ଝିଅଙ୍କର ସଫଳତାର ଉଦାହରଣ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାୟକ ପ୍ରତ୍ୟେକ ଝିଅଙ୍କର ପୁଷ୍ଟି ପ୍ରତି ଧ୍ୟାନ ଦେବାକୁ ହେବ ବୋଲି କହିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରତ୍ୟେକ ଥାନାରେ ଝିଅଙ୍କ ଅଭିଯୋଗ ଶୁଣିବା ପାଇଁ ମହିଳା ଓ ଶିଶୁ ଡେସ୍କ ରହିଛି ଏବଂ ପ୍ରତ୍ୟେକ ଲୋକ ୧୧୨ ନମ୍ବରକୁ ଡାଏଲ କରି ନିଜର ଅଭିଯୋଗ କରିପାରିବେ ବୋଲି କହିଥିଲେ। ଉପସ୍ଥିତ ସିଡିପିଓଙ୍କୁ ନିଜ ବ୍ଲକର ଓଡିଶା ଜୀବିକା ମିଶନ ମାଧ୍ୟମରେ ୧୭ ବର୍ଷରୁ ଉର୍ଦ୍ଧ କିଶୋରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଅବଗତ କରାଯାଇଥିଲା।

ଆଇସିଡିଏସ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ଅଦ୍ୱିକା କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ସମସ୍ୟା ଶୁଣିବା ଓ ସମାଧାନ ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ପ୍ରତ୍ୟେକ ମାସର ୨୯ ତାରିଖକୁ ସ୍ଥିର କରାଯାଇଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନିଜର ବାଲ୍ୟ ବିବାହକୁ ନା କହିଥିବା, ବାଲ୍ୟ ବିବାହ ସଂପର୍କରେ ଚାଇଲଡ୍ ଲାଇନକୁ ଖବର ଦେଇ ପୁଣିଥରେ ବିଦ୍ୟାଳୟକୁ ଯାଇ ପାଠ ପଢିଥିବା ୧୧ କିଶୋରୀଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଧିତ କରିଥିଲା। ସେହିପରି ଅଦ୍ଵିକା କାର୍ଯ୍ୟକ୍ରମକୁ ଅଙ୍ଗନବାଡି କେନ୍ଦ୍ରରେ ଶନିବାର ଦିନ ସଫଳତାର ସହ ସମ୍ପାଦିତ କରିଥିବା ୩ ଜଣ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଛି। ଆକ୍ସନ୍ ଏଡ୍ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe