କାଶୀପୁରରେ କାନ୍ଦୁଛି ଜନନୀ: ୧୦୨ ଗାଁକୁ ନାହିଁ ଆମ୍ବୁଲାନସ୍ ସେବା, ଦୋଳା ଭରସା

Advertisment

୬ ମାସରେ ଗଛମୂଳରେ ପ୍ରସବ କଲେଣି ୯ ପ୍ରସୂତୀ, ୨ ବର୍ଷରେ ଆଖି ବୁଜିଲେଣି ୧୧ ଗର୍ଭବତୀ

୬ ମାସରେ ଗଛମୂଳରେ ପ୍ରସବ କଲେଣି ୯ ପ୍ରସୂତୀ, ୨ ବର୍ଷରେ ଆଖି ବୁଜିଲେଣି ୧୧ ଗର୍ଭବତୀ

କାଶୀପୁରରେ କାନ୍ଦୁଛି ଜନନୀ: ୧୦୨ ଗାଁକୁ ନାହିଁ ଆମ୍ବୁଲାନସ୍ ସେବା, ଦୋଳା ଭରସା

ରାୟଗଡ଼ା: ୧୦୨ ଗାଁକୁ ନାହିଁ ଆମ୍ବୁଲାନସ୍ ସେବା। ନିତିଦିନିଆ ରାସ୍ତା ନଥିବାରୁ ଗର୍ଭବତୀଙ୍କ ପାଇଁ ସାହା ଭରସା ପାଲଟିଛି ଦୋଳା ଓ ଷ୍ଟ୍ରେଚର୍। ସୁରକ୍ଷିତ ପ୍ରସବ ପାଇଁ ଗାଁ ନିକଟରେ ଥିବା ମା’ ଗୃହକୁ ପ୍ରସବ ତାରିଖ ପୂର୍ବରୁ ଆସିବାକୁ ରାଜି ହେଉ ନାହାନ୍ତି ପ୍ରସୂତୀ। ଶେଷ ମୁହୂର୍ତରେ ଛଟପଟ ହୋଇ ଅଧା ରାସ୍ତାରେ ଜନ୍ମ ଦେଉଛନ୍ତି ନବଜ‌ାତକକୁ। ଫଳରେ ରାସ୍ତାକଡ଼ ଏବଂ ଗଛମୂଳରେ ଶୁଭୁଛି ନବଜାତକର କୁ.. ଆଁ.. କୁ.. ଆଁ.. ଶବ୍ଦ।

ଜନନୀ ଯନ୍ତ୍ରଣାର ଏପରି ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ଶିଳ୍ପ ସମୃଦ୍ଧ କାଶୀପୁର ବ୍ଲକରେ। ଗତ ୬ ମାସରେ ୯ ଗର୍ଭବତୀ ରାସ୍ତାକଡ଼ରେ ସନ୍ତାନ ଜନ୍ମ ଦେବା ପରେ ଜନନୀ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ହାର ବୃଦ୍ଧି ସହ ସୁରକ୍ଷିତ ମାତୃତ୍ବ ପାଇଁ ସରକାର କାହିଁ କେତେ ଯୋଜନା କରିଛନ୍ତି। ହେଲେ ବ୍ଲକର ୧୦୨ ଗାଁକୁ ସବୁ ଦିନିଆ ରାସ୍ତା ନଥିବାରୁ ବିକାଶ ଅପହଞ୍ଚ ହୋଇ ରହିଛି। ପାଦ ଚଲା ରାସ୍ତା, ପାହାଡ଼, ନଦୀ ନାଳ ଡେଇଁ ଏହି ସବୁ ଗାଁକୁ ଯିବାକୁ ପଡ଼ୁଥିବାରୁ ଠିକ୍ ସମୟରେ ଗର୍ଭବତୀଙ୍କୁ ମେଡ଼ିକାଲରେ ପହଞ୍ଚାଇବା ଦିଗରେ ଆଶାକର୍ମୀ, ଆମ୍ବୁଲାନସ୍ କର୍ମଚାରୀ ଓ ଗ୍ରାମବାସୀ ସକ୍ଷମ ହୋଇପାରୁ ନାହାନ୍ତି।

କେଉଁ ଗାଁରୁ ୩ କିମି ତ କେଉଁଠୁ ୫ କିମି ଦୋଳା, ଷ୍ଟ୍ରେଚରରେ ବୋହିବା ପରେ ଆମ୍ବୁଲାନସ୍ ନିକଟରେ ପହଞ୍ଚୁଛନ୍ତି ଗ୍ରାମବାସୀ। ୟା, ଭିତରେ ଯଦି ପ୍ରସବ ବେଦନା ବଢ଼େ ତାହାହେଲେ ରାସ୍ତାରେ ଛୁଆ ଜନ୍ମ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ରାସ୍ତାନଥିବା ଗାଁ ଗୁଡ଼ିକୁ ଚିହ୍ନଟ କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳର ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତି ମାସରେ ଆଶା ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଗାଁକୁ ପଠାଯାଉଛି। ପ୍ରସବ ସମୟ ପାଖେଇ ଆସିଲେ ନିକଟସ୍ଥ ମା’ ଗୃହକୁ ଆସିବାକୁ ପରାମର୍ଶ ଦେଉଛନ୍ତି। ଏହା ସତ୍ତ୍ବେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନି।

ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଚଳିତ ବର୍ଷ ମେ’ ମାସ ସୁଦ୍ଧା କାଶୀପୁର ବ୍ଲକର ୨୫୬ ଗର୍ଭବତୀ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି। ସେଥି ମଧ୍ୟରୁ ୯ ଜଣ ରାସ୍ତାକଡ଼ ଓ ଘରେ ପ୍ରସବ କରିଛନ୍ତି। ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି। ୨୦୧୯-୨୦ ରେ ୧୫୯୪ ଗର୍ଭବତୀଙ୍କ ମଧ୍ୟରୁ ୧୮୦୮ ମେଡ଼ିକାଲରେ ଏବଂ ୨୧ ଜଣ ଘରେ ପ୍ରସବ କରିଛନ୍ତି। ଅସାବଧାନତା କାରଣରୁ ୫ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି। ୨୦୧୮-୧୯ ରେ ୧୫୯୪ ଗର୍ଭବତୀଙ୍କ ମଧ୍ୟରୁ ୧୫୦୬ ମେଡ଼ିକାଲରେ ଓ ୮୮ ଜଣ ଘରେ ପ୍ରସବ କରିଛନ୍ତି। ଉକ୍ତ ବର୍ଷ ମଧ୍ୟ ୫ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଏପରି ଭାବେ କାଶୀପୁର ବ୍ଲକରେ ଗତ ୨ ବର୍ଷରେ ୧୧ ଗର୍ଭବତୀଙ୍କ ମୃତ୍ୟୁ ହେବା ସହ ୧୧୮ ଜଣ ମେଡ଼ିକାଲ୍ ବାହାରେ ନିଜ ଛୁଆଙ୍କୁ ଜନ୍ମ ଦେଇଛନ୍ତି। ଯାହା ଚିନ୍ତାର ବିଷୟ।

ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ସୁବିଧାରୁ ବହୁ ଦୂରରେ ଥିବା କାଶୀପୁର ବ୍ଲକ୍ ଶିଳ୍ପ କ୍ଷେତ୍ରରେ ବେଶ୍ ଆଗୁଆ। ଖଣିଜ ସଂପଦରେ ପରିପୂର୍ଣ ଏହି ବ୍ଲକରେ ଅର୍ନ୍ତରାଷ୍ଟ୍ରୀୟ ଆଲୁମିନା କଂପାନି ପ୍ରତିଷ୍ଠା ହୋଇଛି। ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ଶିଳ୍ପ ସଂସ୍ଥା ଓ ଖଣିଜ ଅନୁଦାନ ପାଣ୍ଠିରୁ ବାର୍ଷିକ ଶହ ଶହ କୋଟି ଖର୍ଚ୍ଚ ହେଉଛି। ହେ‌ଲେ ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଚିତ୍ର ବଦଳି ପାରୁନି। ଏବେ ବି ବ୍ଲକର ୧୦୨ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତା ହିଁ ଯାତାୟାତର ମାଧ୍ୟମ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe