YouTube
ଭଦ୍ରକ: ଜିଲ୍ଲାରୁ ଆଜି ୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଇ ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୧୮ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ମାତ୍ର ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ କୋଭିଡ୍ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଜିଲ୍ଲାରେ ମୋଟ ୭୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୩୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ୨୫ ହଜାର ୨୨୭ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଛି। ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ଯାଉଛି।
ଭଦ୍ରକ ସହରରେ ଦୋକାନ ବଜାର ଖୋଲା ରହିବା ବେଳକୁ ଅମାନିଆ ଲୋକମାନେ ଆଦୌ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି। କୋଭିଡ୍ ନିୟମକୁ ଭଦ୍ରକବାସୀ ଫ୍ୟୁ କରି ଉଡାଇଦେଉଥିବା ବେଳେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକ ସହରର ଦୋକାନ ବଜାର ଖୋଲା ଉପରେ ଅଙ୍କୁଶ ଲାଗାଇଛନ୍ତି। ଆସନ୍ତାକାଲି ୧୩ ତାରିଖ ସକାଳ ୫ଟାରୁ ଅପରାହ୍ନ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏହାପରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଜରୁରୀ କାଳୀନ ସେବା ଯୋଗାଉଥିବା ଦୋକାନ ଗୁଡିକ ଖୋଲା ରହିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି। କୋଭିଡ ନିୟମକୁ ମାନି ଚଳିବା ପାଇଁ ଜିଲ୍ଲାପାଳ ସହରବାସୀଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ଅଧିକ ସଂଖ୍ୟକ କୋଭିଡ ପଜିଟିଭ୍ କେସ୍ ବାହାରୁଥିଲେ ବି ଏଥିପାଇଁ ଆତଙ୍କିତ ନହେବା ପାଇଁ ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲାରେ ପୂର୍ବରୁ ୪୦୦ ସ୍ୱାବ ଟେଷ୍ଟ କରାଯାଉଥିଲା। ଏଇ କିଛିଦିନ ହେଲା ସ୍ୱାବ ଟେଷ୍ଟ ଏକ ହଜାରରୁ ପନ୍ଦର ଶହକୁ ବୃଦ୍ଧି କରାଯାଇଥିବାରୁ ପ୍ରତିଦିନ ଏଣିକି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏଥିପାଇଁ ଆତଙ୍କିତ ହେବାର କିଛି ନାହିଁ। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।
-------
Follow Us