ଗଞ୍ଜାମ ଜିଲ୍ଲାରେ ୧୧୮ ଝିଅ ନିଜ ବିବାହକୁ ନିଜେ ରୋକିଛନ୍ତି, ୫୭ଜଣଙ୍କୁ ଥଇଥାନ କରାଯାଇଛି

Advertisment

୫୧୪୧ ନିର୍ଭୟ କଢ଼ି କ୍ଲବ୍‌ ଗଠନ, ୫୭୫୫ କୁଳ ସମାଜ ସଦସ୍ୟ ସାମିଲ

୫୧୪୧ ନିର୍ଭୟ କଢ଼ି କ୍ଲବ୍‌ ଗଠନ, ୫୭୫୫ କୁଳ ସମାଜ ସଦସ୍ୟ ସାମିଲ

ଗଞ୍ଜାମ ଜିଲ୍ଲାରେ ୧୧୮ ଝିଅ ନିଜ ବିବାହକୁ ନିଜେ ରୋକିଛନ୍ତି, ୫୭ଜଣଙ୍କୁ ଥଇଥାନ କରାଯାଇଛି

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଦିଗରେ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସରକାର ବି ବିଭିନ୍ନ ନିୟମ ଲାଗୁ କରିଛନ୍ତି। ପ୍ରଶାସନର ସମୟୋଚିତ ପଦକ୍ଷେପ ଗ୍ରହଣ ସାଙ୍ଗକୁ ଟାସ୍କ୍‌ ଫୋର୍ସ ଅଧିକ ସକ୍ରିୟ ହେବା ଫଳରେ ଗତବର୍ଷ ୨୨୮ ଓ ଚଳିତବର୍ଷ ଆଜି ସୁଦ୍ଧା ୧୩୯ ଏଭଳି ଭାବେ ମୋଟ ୩୬୭ଟି ବାଲ୍ୟ ବିବାହକୁ ରୋକାଯାଇଛି। ସବୁଠୁ ଉଲ୍ଲେଖନୀୟ କଥା ହେଲା, ଗତ ୪ ବର୍ଷ ମଧ୍ୟରେ ଅଧିକ ସଂଖ୍ୟାରେ ବିବାହକୁ ବନ୍ଦ କରାଯାଇଛି।୨୦୧୮ରେ ମାତ୍ର ୨୭ ଓ ୨୦୧୯ରେ ୫୫ଟି ବାଲ୍ୟ ବିବାହ ବନ୍ଦ ହୋଇଥିବା ୨୦୨୦ ଓ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି।୧୧୮ ଜଣ ନାବାଳିକା ସାହସ ଜୁଟାଇ ସେମାନଙ୍କ ବିବାହକୁ ରୋକିବାରେ ପ୍ରଶାସନକୁ ସୂଚନା ଦେଇ ସଫଳ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି।

ସେହିପରି ବାଲ୍ୟ ବିବାହରୁ ନିବୃତ୍ତ ହୋଇ ନଥିବା ଅଭିଭାବକ ଏବଂ ପରିବାରବର୍ଗଙ୍କ ବିରୋଧରେ ଗତବର୍ଷ ୩ଟି ଓ ଚଳିତବର୍ଷ ଆଜି ସୁଦ୍ଧା ୧୯ଟି ମାମଲା ସଂପୃକ୍ତ ଥାନାରେ ରୁଜୁ ହୋଇଛି। ବାଲ୍ୟ ବିବାହ ଓ କନ୍ୟାଭ୍ରୁଣ ହତ୍ୟାତୁ ରୋକିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 'ନିର୍ଭୟ କଢ଼ି' ଓ 'ମୋ ଗେହ୍ଲା ଝିଅ' କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତାକୁ ବ୍ୟାପକ କରାଯାଇଛି। ବାଲ୍ୟ ବିବାହକୁ ରୋକିବା ଲାଗି ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ଟାସ୍କ୍‌ଫୋର୍ସ ଗଠିତ ହୋଇଛି। ଜିଲ୍ଲାରେ ୫୧୪୧ ଶୈଶବାବସ୍ଥା ତଥା (ନିର୍ଭୟ କଢ଼ି) କ୍ଲବ୍ ଗଠିତ କରାଯାଇ ବିଭିନ୍ନ କୁଳ ସୁମାଜର ୫୭୫୫ ସଦସ୍ୟଙ୍କୁ ସାମିଲ କରି ସଚେତନତାକୁ ବ୍ୟାପକ କରାଯାଇଛି। ଏହାର ଫଳ ସ୍ବରୂପ, ଜିଲ୍ଲା ପ୍ରଶାସନ ଗତବର୍ଷଠୁ ଆଜି ସୁଦ୍ଧା ମୋଟ ୩୬୭ ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି। ଏହାସହ ଲିଙ୍ଗ ଅନୁପାତରେ ମଧ୍ୟ ବୃଦ୍ଧି ପାଇଛି। ୧୦୦୦ ପୁଅ ତୁଳନାରେ ଝିଅ ସଂଖ୍ୟା ୯୩୭ ରହିଛି।

ଗଞ୍ଜାମ ଜିଲ୍ଲାର ୧୦୩୨ ବାଲ୍ୟ ବିବାହ ମୁକ୍ତ ଗାଁ ଏବଂ ସହରାଞ୍ଚଳର ୧୪୦ଟି ବାଲ୍ୟ ବିବାହ ମୁକ୍ତ ୱାର୍ଡ ରହିଛି। ଆଜି ସୁଦ୍ଧା ଜିଲ୍ଲାରେ ଅଧାରୁ ପାଠ ଛାଡ଼ିଥିବା ୧୯୯୭ ଜଣ ନାବାଳିକାଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ୪୧୬ ଜଣ ୧୧ରୁ ୧୪ ବର୍ଷ ବୟସର ଝିଅଙ୍କୁ ବିଭିନ୍ନ ସ୍କୁଲରେ ପୁନଃ ନାମ ଲେଖାଯାଇ ପଢ଼ିବା ପାଇଁ ସୁଯୋଗ ଦିଆଯାଇଛି। ୫୭ ଜଣ ଝିଅଙ୍କୁ ଥଇଥାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପୃଷ୍ଠପୋଷକ ଯୋଜନାରେ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ୨ ହଜାର ଟଙ୍କା ପ୍ରୋତ୍ସାହନ ସହାୟତା ରାଶି ଏବଂ ପରବର୍ତ୍ତୀ ଯତ୍ନ ଯୋଜନାରେ ସେମାନଙ୍କୁ ଦିନଦୟାଲ ଉପାଧ୍ୟାୟ ରୋଜଗାର ଯୋଜନାରେ ତାଲିମ ପ୍ରଦାନ କରାଯାଇ ରୋଜଗାରକ୍ଷମ କରାଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe