ଭଡ଼ାଘରେ ନକଲି ମଦ ପ୍ରସ୍ତୁତି, ୧୨ ପେଟି ସହ ଲେବଲ୍‌ ଜବତ

Advertisment
ଭଡ଼ାଘରେ ନକଲି ମଦ ପ୍ରସ୍ତୁତି, ୧୨ ପେଟି ସହ ଲେବଲ୍‌ ଜବତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବ୍ରାହ୍ମଣସାହିର ଏକ ଭଡ଼ାଘରେ ଚାଲିଥିଲା ନକଲି ମଦ ତିଆରି କାରଖାନା। ଖବର ପାଇ ସଂଧ୍ୟାରେ ପୁଲିସ ସେଠାରେ ଚଢ଼ଉ କରି ବିପୁଳ ପରିମାଣ ନକଲି ମଦ ଜବତ କରିଛି। ଏ ସଂକ୍ରାନ୍ତରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସେହି ଭଡ଼ାଘରେ ବିଭିନ୍ନ କମ୍ପାନିର ନକଲି ମଦ ତିଆରି କରାଯାଇ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ବ୍ରାହ୍ମଣସାହିର ଏକ ଘରେ କିଛି ମଦ ଗଚ୍ଛିତ ରହିଥିବା ନେଇ ପୁଲିସ ଖବର ପାଇଥିଲା। ସେ ନେଇ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ, ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ନାରାୟଣ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ଘରୁ ବିଭିନ୍ନ କମ୍ପାନିର ବିଦେଶୀ ମଦ ଜବତ ହୋଇଥିଲା। କିନ୍ତୁ ତାହା ନକଲି ବୋଲି ଜଣାପଡ଼ିଥିଲା।

ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ମଦ କମ୍ପାନିର ଲେବଲ୍‌ ମଧ୍ୟ ଜବତ କରିଛି। ସେହିପରି ବହୁ ଖାଲି ବୋତଲ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ହୋମିଓପାଥି ଔଷଧ ସହିତ ରଙ୍ଗ ଓ ଆସେନ୍ସ ମିଶ୍ରଣ କରି ନକଲି ମଦ ତିଆରି କରାଯାଉଥିଲା ବୋଲି ପୁଲିସ ତଦନ୍ତରେ ସ୍ପଷ୍ଟ ହୋଇଛି। ତେବେ ନକଲି ମଦ ବ୍ୟବହାର ହେଉଥିବା ହୋମିଓପାଥି ଔଷଧ କେଉଁଠୁ ଆସୁଥିଲା, ମଦ ପ୍ରସ୍ତୁତ ପରେ ତାହା କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି କାରବାର ପଛରେ ଆଉ କାହାର ହାତ ରହିଛି ସେ ନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe