କୋଟାରେ ଫସିଛନ୍ତି ରାୟଗଡ଼ାର ୧୩ ଛାତ୍ରଛାତ୍ରୀ: ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ନିବେଦନ କଲେ ଅଭିଭାବକ

ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ କଲେ ନରସିଂହ ମିଶ୍ର

କୋଟାରେ ଫସିଛନ୍ତି ରାୟଗଡ଼ାର ୧୩ ଛାତ୍ରଛାତ୍ରୀ: ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ନିବେଦନ କଲେ ଅଭିଭାବକ

ରାୟଗଡ଼ା: ରାଜସ୍ଥାନର କୋଟାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ୁଛି। ବହୁତ ଅସୁବିଧାରେ ଅଛୁ। ଖାଇବା ଭଲ ମିଳୁନି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ସରକାର ଘରକୁ ଫେରାଇ ନେଲେଣି। ଯେତେ ଶୀଘ୍ର ହେବ ଓଡ଼ିଶା ସରକାର ଓ ରାୟଗଡ଼ା ଜିଲ୍ଲାପାଳ ପଦକ୍ଷେପ ନିଅନ୍ତୁ। ଆମେ ଘରକୁ ଫେରିବାକୁ ଚାହୁଁଛୁ। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାୟଗଡ଼ା ଜିଲ୍ଲାପାଳଙ୍କୁ ଏପରି ନିବେଦନ କରିଛନ୍ତି ରାଜସ୍ଥାନର କୋଟାରେ ଫସିଥିବା ରାୟଗଡ଼ାର ଛାତ୍ରୀ ଜି. ମୌନିକା।

ଓଡ଼ିଶା ଫେରିବା ପାଇଁ ଛାତ୍ରଛାତ୍ରୀ ପଞ୍ଜିକରଣ କରିବା ସତ୍ତ୍ବେ କୌଣସି ସୂଚନା ରାଜ୍ୟ ସରକାରଙ୍କ ତରଫରୁ ନ ପାଇବା ପରେ ଆଜି ଅଭିଭାବକ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଯଦି ପ୍ରଶାସନିକ ସ୍ତରରେ ବ୍ୟବସ୍ଥା ହୋଇପାରୁନି, ତେବେ ନିଜ ବ୍ୟବସ୍ଥାରେ ଆଣିବାକୁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକ। ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ବେହେରା। ସେପଟେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଦିଗରେ ତୁରନ୍ତ ପଦକ୍ଷେପ ନ‌େବାକୁ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

publive-image

ରାୟଗଡ଼ା, ଜେକେପୁର ଅଞ୍ଚଳର ୧୩ ଜଣ ଛାତ୍ରଛାତ୍ରୀ ମେଡ଼ିକାଲ୍ କୋଚିଂ ପାଇଁ ବର୍ଷକ ତଳେ କୋଟା ଯାଇଥିଲେ। କୋଟାର ଆଲିନ୍ କ୍ୟାରିୟର୍ ଇନଷ୍ଟିଚ୍ୟୁଟରେ ଲିପସାରାଣୀ ବାତ୍ରିଆ, ଜ୍ୟୋର୍ତିମୟୀ ବେହେରା, ଜି. ମ‌ୌନିକା, ଏ. ପ୍ରଶାନ୍ତ, ଏ. ନିଖିଲ୍ କୁମାର, ଲକ୍ଷ୍ମୀପ୍ରିୟା ସୋରେନଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ନାମ ଲେଖାଇ ବିଭିନ୍ନ ହଷ୍ଟେଲରେ ରହି ଅଧ୍ୟୟନ କରୁଛନ୍ତି। ‌କରୋନା ମହାମାରୀ ଯୋଗୁ ସରକାର ଲକଡାଉନ୍ ଘୋଷଣା କରିବା ପରେ ଛାତ୍ରଛାତ୍ରୀ ଘରକୁ ଫେରିନପାରି କୋଟାରେ ଫସି ରହିଛନ୍ତି। ଫସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାୟଗଡ଼ାର ୧୧ ଝିଅ, ୨ ପୁଅ ଅଛନ୍ତି।

ଏଥି ସହିତ ଜିଲ୍ଲାର ଅନ୍ୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଫସିଥିବା ଅଭିଭାବକ ଜିଲ୍ଲା ପ୍ରଶାସନକୁ ଅବଗତ କରିଛନ୍ତି। ରାଜସ୍ଥାନରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଉତ୍ତରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର, ବିହାର, ମଧ୍ୟପ୍ରଦେଶ ସରକାର ନିଜ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବସରେ ନେଇ କ୍ବାରାଣ୍ଟିନରେ ରଖିଛନ୍ତି। କିନ୍ତୁ ଏଯାବତ୍ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ହଷ୍ଟେଲ ଗୁଡ଼ିକରେ ପିଲା ସଂଖ୍ୟା ୮୦ରୁ କମି ୧୫ରେ ପହଞ୍ଚିବା ପରେ ମେସ୍ ଚଲାଉଥିବା କର୍ତ୍ତୃପକ୍ଷ ବାକି ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ଖାଇବାକୁ ଦେଉ ନାହାନ୍ତି। ସ୍ଥିତି ଭଲ ନଥିବାରୁ ଘରକୁ ଫେରିବାକୁ ଛାତ୍ରଛାତ୍ରୀ ବ୍ୟାକୁଳ ହେଉଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକ ପି. ସିଏଚ୍. ବାତ୍ରିଆ, ଜେ. ଏନ୍. ବେହେରା, ଏ. ଗୌରୀ ଶଙ୍କର, ଜି. ପି. କାକଶ, ଏ. ପାପା ରାଓ, କେ. କେ. ସୋରେନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe