ଶ୍ରୀକ୍ଷେତ୍ର ରଥକାଠ ପାଇଁ ଲାଗିଲା ୧୩ ହଜାର ଚାରା

Advertisment
ଶ୍ରୀକ୍ଷେତ୍ର ରଥକାଠ ପାଇଁ ଲାଗିଲା ୧୩ ହଜାର ଚାରା

କଣ୍ଟାମାଳ: ଶ୍ରୀକ୍ଷେତ୍ର ରଥ ନିର୍ମାଣରେ ଆବଶ୍ୟକ ହେଉଥିବା କାଠ ସଂଗ୍ରହ ପାଇଁ କଣ୍ଟାମାଳ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଜଗନ୍ନାଥ ବନ ପ୍ରକଳ୍ପ ନାଁରେ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ହେଲେ ବନ ବିଭାଗୀୟ କର୍ମଚାରୀଙ୍କ ଅବହେଳା ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଅଣଦେଖା ଯୋଗୁଁ ଶହ ଶହ ହେକ୍ଟର ଜମିରେ ଲାଗିଥିବା ରଥକାଠ ପାଇଁ ଉଦ୍ଦିଷ୍ଟ ଗଛ ଧ୍ୱଂସ ପାଇ ଏବେ ଟାଙ୍ଗରା ଭୂଇଁ ପାଲଟିଛି। ତଥାପି ଚଳିତ ବର୍ଷ ମନମୁଣ୍ଡା ରେଞ୍ଜ ଗୁନ୍ଦୁଳିଆ ସେକ୍ସନ ଅନ୍ତର୍ଗତ ମାଳତୀ ଗୋଛାପଡ଼ା ଜଙ୍ଗଲରୁ ୪ଟି ପର୍ଯ୍ୟାୟରେ ୩୨୦ ଖଣ୍ଡ ଧଉରା, ଅସନ ଓ ଫାଶୀ ଗଣ୍ଡି ରଥକାଠ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଛି।

କ୍ରମାଗତ ଭାବେ ଜଗନ୍ନାଥ ବନ ପ୍ରକଳ୍ପ ହ୍ରାସ ପାଉଥିବାରୁ ଏହାକୁ ଲକ୍ଷ୍ୟ କରି ବୌଦ୍ଧ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ଉଦ୍ୟମରେ ଶଗଡ଼ା ସେକ୍ସନ ଅନ୍ତର୍ଗତ ଗମ୍ଭାରୀପଦରଠାରେ କାମ୍ପା ଯୋଜନାରେ ୮ହେକ୍ଟର ପରିମିତ ଜଙ୍ଗଲ ଜମିରେ ୧୨ ହଜାର ୮୦୦ ଫାଶୀ ଚାରା ରୋପଣ କରାଯାଇଛି। ଆଗାମୀ ଦିନରେ ଏହାର ଭଲ ଭାବରେ ଦେଖାଶୁଣା କରି ରଥକାଠ ପାଇଁ ଏଠାରୁ ପର୍ଯ୍ୟାପ୍ତ ପରିମାଣରେ କାଠଗଣ୍ଡି ଶ୍ରୀକ୍ଷେତ୍ରକୁ ପଠାଯାଇ ପାରିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଗୁରୁବାର ବ୍ରହ୍ମପୁରରୁ ଆର୍‌ସିସିଏଫ୍‌ ପ୍ରଶାନ୍ତ ମିଶ୍ର ଆସି ଏହି ପ୍ରକଳ୍ପକୁ ବୁଲି ଦେଖିଥିଲେ। ମନମୁଣ୍ଡା ସେକ୍ସନ ଦୀନବନ୍ଧୁପୁର ଗ୍ରାମରେ ନବ ନିର୍ମିତ ବନ ସୁରକ୍ଷା ସମିତି ଗୃହକୁ ଶ୍ରୀ ମିଶ୍ର ଉଦଘାଟନ କରିଥିଲେ। ଏହି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିସରିଲା ପରେ ମନମୁଣ୍ଡା ଫରେଷ୍ଟ ରେଞ୍ଜ ଅଫିସରେ ବସି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବୌଦ୍ଧ ଡିଏଫଓ ଶ୍ରୀ ସେଠୀ, ଏସିଏଫ୍‌ ରାଜେନ୍ଦ୍ର ଗୋଛାୟତ, ଜିତେନ୍ଦ୍ର ବେହେରା, ମନମୁଣ୍ଡା ଫରେଷ୍ଟ ରେଞ୍ଜ ଅଫିସର ନାରାୟଣ ସ୍ୱାଇଁ, ମନମୁଣ୍ଡା ଫରେଷ୍ଟର ଶେଷଦେବ ମେହେର, ଶଗଡ଼ା ଫରେଷ୍ଟର ଦେବକାନ୍ତ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe