କୋକୁଆ ଭୟ: ପାଗଳ କୁକୁର କାମୁଡ଼ାରେ ୧୪ ଆହତ, ତିନି ଜଣଙ୍କୁ ସୋନପୁର ସ୍ଥାନାନ୍ତରିତ

କୋକୁଆ ଭୟ: ପାଗଳ କୁକୁର କାମୁଡ଼ାରେ ୧୪ ଆହତ, ତିନି ଜଣଙ୍କୁ ସୋନପୁର ସ୍ଥାନାନ୍ତରିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ଛକ ଠାରେ ପାଗଳ କୁକୁର କାମୁଡ଼ାରେ ବୁଧବାର ଦିନ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୋନପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ବୁଧବାର ଦିନ ପ୍ରାୟ ୧୦ଟାରେ ବୀରମହାରାଜପୁର ମୁଖ୍ୟ ଛକଠାରେ ଥିବା ବ୍ୟବସାୟୀ ଶରଣ କୁମାର ଅଗ୍ରୱାଲଙ୍କୁ ପ୍ରଥମେ କୁକୁର କାମୁଡ଼ି ଥିଲା। ଏହା ପରେ ଅନ୍ୟମାନଙ୍କୁ କୁକୁର କାମୁଡ଼ି ଥିଲା। ସନ୍ଧ୍ୟାରେ ପାର୍ବଣ ପାଇଁ ବଜାର ଭିଡ଼ ଥିବା ସମୟରେ ପୁଣି କୁକୁର ଆତଙ୍କ ସୃଷ୍ଟି କରି ପାଞ୍ଚଜଣଙ୍କୁ କୁକୁର କାମୁଡ଼ିଥିଲା। ଏମାନଙ୍କ ମଧ୍ୟରେ ଝାରକୁମୁଣ୍ଡା ଗ୍ରାମର ଦିଲ୍ଲୀପ କୁମାର ଦଳେଇ (୪୦), ଉଫୁଲାର ବିକାଶ ଭୋଇ(୩୨), ବିଲାସିନି କୁମୁଡିଆ (୬୦), ଏନ୍ ଜି କୁମୁଡିଆ (୪୨)ଙ୍କୁ ଅଧିକ ଚିକିତ୍ସା ସହିତ ଇମିନୋ ଗ୍ଳୋବୁଲିଙ୍ଗ୍ ଇଞ୍ଜେକସନ ଦେବାପାଇଁ ଚିକିତ୍ସା କରୁଥିବା ଡାକ୍ତର ସରୋଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ସହିତ ମୁର୍ଷୁଣ୍ଢୀର ଜଣେ ୧୧ ବର୍ଷର ଝିଅ ଏସ୍‌ଆର୍ ମହାକୁଡ଼ଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ କୁକୁର କାମୁଡିଛି।

ଏବେ ଦଶହରା ଛୁଟି ପାଇଁ ବଜାର ଭିଡ଼ ଥିବା ବେଳେ କୁକୁର ଆତଙ୍କ ଯୋଗୁଁ ସାରା ବୀରମହାରାଜପୁରରେ ଆତଙ୍କ ଖେଳି ଯାଇଛି। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ରାଜେଶ୍ବରୀ ଭୋଇ ଅଗ୍ନିଶମ ବିଭାଗ ଓ ବନ ବିଭାଗ ସହ ଆଲୋଚନା କରିଥିଲେ। କିନ୍ତୁ ଟ୍ରାଙ୍କୁଲାଇଜର କରିବା ପାଇଁ କେବଳ ପ୍ରାଣୀ ସମ୍ପଦ ବିଭାଗ ହାତରେ କ୍ଷମତା ଅଛି। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରାଣୀ ସମ୍ପଦ ବିଭାଗର କୌଣସି ଅଧିକାରୀଙ୍କ ଦେଖା ମିଳିନାହିଁ । ଏଣୁ ତୁରନ୍ତ ଏହି ସମାସ୍ୟାର ସମାଧାନ କରାନଗଲେ ଆହୁରି ଅନେକ ଲୋକ ଏହି ପାଗଳା କୁକୁର କାମୁଡ଼ାର ଶିକାର ହେବାର ଆସଙ୍କା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଏଠାରେ ସୂଚାଇ ଦିଆଯାଇପାରେ ଯେ କିଛି ଦିନ ପୂର୍ବରୁ ଜିଲ୍ଲା ବାହାରୁ ଏକ ବଡ଼ ଚାରି ଚକିଆ ଯାନରେ କିଛି ଲୋକ ଆସି ବୀରମହାରାଜପୁର ଅଞ୍ଚଳରେ କିଛି କୁକୁର ଛାଡ଼ି ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe