ନଗର ଉନ୍ନୟନ ସଚିବଙ୍କ ସମୀକ୍ଷା: ୧୫,୫୧୬ ପରିବାରଙ୍କୁ ମିଳିଛି ଶହେ ଦିନର କାମ

Advertisment

ମନରେଗାରେ ସୃଷ୍ଟି ହେଲା ୧.୨୧ କୋଟି ଶ୍ରମଦିବସ, ସରିଲା ଅଷ୍ଟମ ପର୍ଯ୍ୟାୟ ସ୍ବାସ୍ଥ୍ୟ ଯାଞ୍ଚ୍‌, ୩୩ ସଂକ୍ରମିତ ଚିହ୍ନଟ

ମନରେଗାରେ ସୃଷ୍ଟି ହେଲା ୧.୨୧ କୋଟି ଶ୍ରମଦିବସ, ସରିଲା ଅଷ୍ଟମ ପର୍ଯ୍ୟାୟ ସ୍ବାସ୍ଥ୍ୟ ଯାଞ୍ଚ୍‌, ୩୩ ସଂକ୍ରମିତ ଚିହ୍ନଟ

ନଗର ଉନ୍ନୟନ ସଚିବଙ୍କ ସମୀକ୍ଷା: ୧୫,୫୧୬ ପରିବାରଙ୍କୁ ମିଳିଛି ଶହେ ଦିନର କାମ

ଛତ୍ରପୁର: ଗଞ୍ଜାମରେ କୋଭିଡ୍ ପରିଚାଳନା ନୋଡାଲ ଅଧିକାରୀ ତଥା ନଗର ଉନ୍ନୟନ ସଚିବ ଜି.ମାଥିଭାଥାନନ୍‌ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ତାମ୍ପରାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧୀକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସଚିବ ଶ୍ରୀ ମାଥିଭାଥ୍‌ନନ୍‌ କହିଥିଲେ, ମାର୍ଚ୍ଚରୁ ଜଟିଳ ପରିସ୍ଥିତିରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସଫଳ କୋଭିଡ୍‌ ପରିଚାଳନା ଦ୍ବାରା ସାରା ବିଶ୍ୱରେ ଗଞ୍ଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛି ଟିମ୍‌ ଗଞ୍ଜାମ। ଏହି ଦଳରେ ସାମିଲ୍ ହୋଇ ସେ ଗର୍ବିତ ମନେ କରୁଥିବା କହିଥିଲେ। ଆଗାମୀ ଦିନରେ ଦ୍ବିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚ୍ୟା‌ଲେଞ୍ଜ୍‌ର ସହ ପରିଚାଳନା କରିବା ଦିଗରେ ପ୍ରସ୍ତୁତ ରହିବା ଓ ଦଳଗତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇବା ଦିଗରେ ଅନେକ ଯୋଜନା କରି ସେମାନଙ୍କ ଜୀବନଜୀବିକା ଓ ଅର୍ଥନୈତିକ କାର୍ଯ୍ୟଧାରାକୁ ପୁନର୍ଜୀବିତ କରାଯାଉଛି।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଜଣାଇ ଜିଲ୍ଲାରେ ଆଜି ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୭୭ ସକ୍ରିୟ ସଂକ୍ରମିତ ଥିବା କହିଥିଲେ। ବର୍ତ୍ତମାନ ଦ୍ୱିତୀୟ ଲହର୍‌କୁ ରୋକିବା ଲକ୍ଷ୍ୟ ନେଇ କାର୍ଯ୍ୟ ଚାଲିଛି। ଲୋକମାନଙ୍କ ମଧ୍ୟରେ ସଚେନତତା ସୃଷ୍ଟି କରାଯିବା ସହ କୋଭିଡ଼୍‌ ନିୟମ ଉଲଘଂନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଥିବା ସୂଚନା ଦେଇଥିଲେ। ଜିଲ୍ଲାରେ ଅଷ୍ଟମ ପର୍ଯ୍ୟାୟ ସ୍ବାସ୍ଥ୍ୟ ଯାଞ୍ଚ୍‌ରେ ମାତ୍ର ୩୩ ଜଣ ସାମାନ୍ୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ସିଟି ହସ୍ପିଟାଲରେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବଭଳି ଜଟିଳ ନାହିଁ। ଟାଟା କୋଭିଡ୍ ହସ୍‌ପିଟାଲ୍‌ର‌ ଆବଶ୍ୟକତା ନ ଥିବାରୁ ଚଳିତ ମାସ ଶେଷ ସୁଦ୍ଧା ତାହା ବନ୍ଦ କରିବା ଯୋଜନା ରହିଛି। କେବଳ ଏମ୍ଏ‌କେସିଜି ଓ ଅଶ୍ୱିନୀ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସା ଚାଲିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉମା ଶଙ୍କର ମିଶ୍ର ଏବଂ ବଡ଼ ମେଡିକାଲ ଅଧୀକ୍ଷକ ଡା.ସନ୍ତୋଷ କୁମାର ମିଶ୍ର କୋଭିଡ଼୍‌ ଦ୍ବିତୀୟ ଲହର୍‌କୁ ମୁକାବିଲା ସକାଶେ ନିଆ ଯାଉଥିବା ରଣକୌଶଳ ଉପରେ ମତ ରଖିଥିଲେ।

publive-image

ଜିଲ୍ଲାକୁ ୪ ଲକ୍ଷ ପ୍ରବାସୀ ଫେରିଛନ୍ତି। ସେମାନଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଅନେକ ଗୁଡିଏ କାର୍ଯ୍ୟ ହାତକୁ ନିଆଯାଇଛି। ମନରେଗାର ଅଗ୍ରଗତି ସଂକ୍ରାନ୍ତରେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ, ବାର୍ଷିକ ୨କୋଟି ୧୨ଲକ୍ଷ ୬୮୦୩୦ ଶ୍ରମଦିବସ ସୃଷ୍ଟି ଲକ୍ଷ୍ୟ ରହିଛି। ସେଥିରୁ ଏଯାବତ୍ ୧ କୋଟି ୨୧ଲକ୍ଷ ୫୪୪୫ ଶ୍ରମଦିବସ ସୃଷ୍ଟି ହୋଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୫୭ ପ୍ରତିଶତ। ସମୁଦାୟ ୨୭୮ କୋଟି ୧୯ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୧୫ ହଜାର ୫୧୬ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। ୩୫୯୮ଟି ଆଦର୍ଶ ଗୁହାଳରୁ ୨୫୦ ଶେଷ ହୋଇଛି, ୩୩୪୮ ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ୯୬୬ଟି ମୋ ଉପକାରୀ ବଗିଚା ସୃଷ୍ଟି ହୋଇଛି। ୧୧୦୩ ସେଚ କୂପ ଖନନ ଲକ୍ଷ୍ୟ ଥିବା ବେଳେ ୧୬୭ଟିର କାର୍ଯ୍ୟ ଶେଷ ହୋଇଛି, ୯୩୬ଟିର କାର୍ଯ୍ୟ ଚାଲିଛି। ୪୮୯ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଲକ୍ଷ୍ୟ ଥିବା ବେଳେ ୨୪ ଟିର କାର୍ଯ୍ୟ ଶେଷ ହୋଇଛି। ୭୬୫ଟି ମୋ ଫାର୍ମପୋଖରୀ ମଧ୍ୟରୁ ୭ଟିର କାର୍ଯ୍ୟ ସରିଛି। ବ୍ରହ୍ମପୁର ମହାନଗର ନିଗମ କମିସନର ଡ.ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ ବ୍ରହ୍ମପୁର ସହରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍‌ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe