ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ୨୦୨୨ ପଞ୍ଚାୟତ ନିର୍ବାଚନରେ କିଏ ହାତେଇବ ରାୟଗଡ଼ା ଜିଲ୍ଲା ପରିଷଦ? ବିଜେଡ଼ି, କଂଗ୍ରେସ ନା ବିଜେପି। ୩ ପ୍ରମୁଖ ଦଳ ଜିଲ୍ଲା ପରିଷଦ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଦଳୀୟ ରଣନୀତି ବିଗାଡ଼ିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅସନ୍ତୁଷ୍ଟ ପ୍ରାର୍ଥୀ। ୨୨ ଜିଲ୍ଲା ପରିଷଦ ଆସନରେ ୧୮ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବାରୁ ଫଳାଫଳ କେଉଁ ଦଳ ସପକ୍ଷରେ ଯିବ ତାହା ଆକଳନ କରିବା ମୁସ୍କିଲ୍ ହୋଇ ପଡିଛି।
ଫେବ୍ରୁଆରି ୧୬ରୁ ୫ଟି ପର୍ଯ୍ୟାୟରେ ୨୨ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ। ୨୨ ଆସନ ପାଇଁ ୧୧୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୮ ସ୍ବାଧୀନ ପ୍ରାର୍ଥୀ। ବିଜେଡ଼ି-କଂଗ୍ରେସ-ବିଜେପିରୁ ଟିକେଟ୍ ପାଇବା ଆଶାରେ ଥିବା ପ୍ରାର୍ଥୀ ଦଳୀୟ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ବହୁ ତୁଙ୍ଗ ନେତା ଥିବାରୁ ୩ ପ୍ରମୁଖ ଦଳର ଭୋଟ ବିଭାଜନରେ ସ୍ବାଧୀନ ପ୍ରାର୍ଥୀ ପ୍ରମୁଖ ଭୂମିକା ନେବେ। ଯାହା ଶାସକ ବିଜେଡ଼ି, ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।
ଚଳିତ ନିର୍ବାଚନରେ ୨୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩, ଅନୁସୂଚିତ ଜନଜାତି ପାଇଁ ୧୩ ଆସନ ସଂରକ୍ଷଣ ରହିଛି। ୬ ଆସନ ଅଣସଂରକ୍ଷିତ ରହିଛି। ଅସଂରକ୍ଷିତ ଆସନ ମଧ୍ୟରେ କଲ୍ୟାଣସିଂହପୁର ‘କ’ ଜୋନ୍, କୋଲନରା ‘କ’ ଜୋନ୍, ପଦ୍ମପୁର ‘ଖ’ ଜୋନ୍, ରାମନାଗୁଡା ‘କ’ ଜୋନ୍ ଥିବା ବେଳେ କଲ୍ୟାଣସିଂହପୁର ‘ଖ’ ଜୋନ୍, ଗୁଣପୁର ‘ଖ’ ଜୋନ୍ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କାଶୀପୁରର ୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ସର୍ବାଧିକ ୨୫ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ରାୟଗଡ଼ାର ୩ଟି ଜୋନ୍ ପାଇଁ ୧୫, କୋଲନରାର ୨ ଜୋନ୍ ପାଇଁ ୧୩ ପ୍ରାର୍ଥୀ, ବିଷମକଟକର ୨ ଜୋନ୍ ପାଇଁ ୧୧, କଲ୍ୟାଣସିଂହପୁର ୨ ଜୋନ୍ ପାଇଁ ୧୦ ପ୍ରାର୍ଥୀ, ପଦ୍ମପୁରରୁ ୨ ଜୋନ୍ ପାଇଁ ୧୦ ପ୍ରାର୍ଥୀ, ଗୁଣପୁରର ୨ ଜୋନ୍ ପାଇଁ ୧୦ ପ୍ରାର୍ଥୀ, ମୁନିଗୁଡ଼ାରୁ ୨ ଜୋନ୍ ପାଇଁ ୯, ରାମନାଗୁଡାର ୨ ଜୋନ୍ ପାଇଁ ୭ ପ୍ରାର୍ଥୀ, ଗୁଡାରିର ଗୋଟିଏ ଜୋନ୍ ପାଇଁ ୫ ପ୍ରାର୍ଥୀ, ଚନ୍ଦ୍ରପୁରର ଗୋଟିଏ ଜୋନ୍ ପାଇଁ ୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। କାଶୀପୁରର ୩ ଜୋନରୁ ସର୍ବାଧିକ ୮ ସ୍ବାଧୀନ ପ୍ରାର୍ଥୀ ଥିବା ବେଳେ କୋଲନରାରୁ ୩, ପଦ୍ମପୁରରୁ ୨, ବିଷମକଟକରୁ ୨, ରାମନାଗୁଡାରୁ ଜଣେ, ରାୟଗଡ଼ାରୁ ଜଣେ, କଲ୍ୟାଣସିଂହପୁରରୁ ଜଣେ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଲଢ଼ୁଥିବା ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ବହୁ ଅସନ୍ତୁଷ୍ଟ ନେତା ଥିବାରୁ ସଂପୃକ୍ତ ଦଳ ପାଇଁ ସ୍ବାଧୀନ ପ୍ରାର୍ଥୀ ଚିନ୍ତାର କାରଣ ହୋଇଛନ୍ତି। ବିଶେଷ କରି କାଶୀପୁରର ୩ ଜିଲ୍ଲା ପରିଷଦ ଜୋନ୍ ବିଜେଡ଼ି-କଂଗ୍ରେସ-ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି।
୨୦୧୭ ନିର୍ବାଚନରେ କାଶୀପୁରର ୩ ଜୋନ୍ ମଧ୍ୟରୁ ୨ଟିରେ କଂଗ୍ରେସ ଗୋଟିଏ ବିଜେଡ଼ି ବିଜୟୀ ହୋଇଥିଲା। କାଶୀପୁର ଭଳି ସ୍ବାଧୀନ ପ୍ରାର୍ଥୀଙ୍କ ଯୋଗୁ କୋଲନରା ‘କ’ ଜୋନରେ (ଅଣସଂରକ୍ଷିତ) ଲଢ଼େଇ ଜୋରଦାର୍ ହେବ। କଂଗ୍ରେସ ଛାଡ଼ି ଧବଳେଶ୍ବର ନାଇଡ଼ୁ ବିଜେଡ଼ିରେ ଯୋଗଦେବା ପରେ ବିଜେଡ଼ି, କଂଗ୍ରେସର ଅସନ୍ତୁଷ୍ଟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ପଦ୍ମପୁର ଖ ଜୋନରେ ମଧ୍ୟ ସମାନ୍ ସ୍ଥିତି। ଖ ଜୋନରୁ ବିଜେଡ଼ି ବ୍ଲକ୍ ସଭାପତି ମଣ୍ଟୁ ଆଚାର୍ଯ୍ୟ ପ୍ରାର୍ଥୀ ହେବା ପରେ ଦଳୀୟ କନ୍ଦଳକୁ ନେଇ ବିଜେଡ଼ିରୁ ଇସ୍ତଫା ଦେଇଥିବା ତୁଙ୍ଗ ନେତା ଗୋଦାବରୀ ରାଉତ ଏହି ଆସନରେ ନିର୍ବାଚନ ଲଢ଼ୁଛନ୍ତି। ବିଷମକଟକ ‘ଖ’ ଜୋନରେ ମଧ୍ୟ ନିର୍ବାଚନ ଲଢ଼ୁଥିବା ଦୁଇ ସ୍ବାଧୀନ ପ୍ରାର୍ଥୀ ବିଜେଡ଼ି ପ୍ରାର୍ଥିନୀକୁ ବିରୋଧ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ସୂଚନାଯୋଗ୍ୟ, ୧୯୯୭ରୁ ଇତି ମଧ୍ୟରେ ହୋଇଥିବା ୫ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ୪ ଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଦଖଲ କରିଥିବା ବେଳେ ବିଜେଡ଼ି ଥରଟିଏ ବିଜୟୀ ହୋଇଛି। ୨୦୧୭ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୦ଟି ଆସନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଦଖଲ କରିଥିଲା। କିନ୍ତୁ ନିର୍ବାଚନୀ ମାମଲାକୁ ନେଇ କୋର୍ଟ ୨୦୨୦ରେ ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା କରିବା ପରେ ଉପନିର୍ବାଚନରେ ବିଜେଡ଼ି ବିଜୟୀ ହୋଇଥିଲା।
Follow Us