ମୟୂରଭଞ୍ଜକୁ ଫେରିବେ କୋଟାରେ ଫସିଥିବା ୧୮ ଛାତ୍ରଛାତ୍ରୀ, ବାରିପଦାରୁ ଯିବ ଏକ ସ୍ୱତନ୍ତ୍ର ବସ୍

Advertisment
ମୟୂରଭଞ୍ଜକୁ ଫେରିବେ କୋଟାରେ ଫସିଥିବା ୧୮ ଛାତ୍ରଛାତ୍ରୀ, ବାରିପଦାରୁ ଯିବ ଏକ ସ୍ୱତନ୍ତ୍ର ବସ୍

ବାରିପଦା: ମୟୂରଭଞ୍ଜକୁ ଫେରିବେ ରାଜସ୍ଥାନର କୋଟାରେ ଫସିଥିବା ଜିଲ୍ଲାର ୧୮ଜଣ ଛାତ୍ରଛାତ୍ରୀ। ଏମାନଙ୍କ ସହିତ ସେଠାରେ ଥିବା ୩ଜଣ ମହିଳା ଅଭିଭାବକ ମଧ୍ୟ ଫେରିବେ। ଏନେଇ ବାରିପଦାରୁ ଆସନ୍ତାକାଲି (ଶୁକ୍ରବାର) ଏକ ଘରୋଇ ବସ୍ କୋଟା ଅଭିମୁଖେ ଯାତ୍ରା କରିବ। କୋଟାରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ମୟୂରଭଞ୍ଜ ଫେରାଇଆଣିବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଅନୁମତି ପ୍ରଦାନ କରିଛନ୍ତି। ଜିଲ୍ଲାର ବାରିପଦା, ଡୁକୁରା, ଉଦଳା, ବେତନଟୀ, ବହଳଦା ଆଦି ସ୍ଥାନରୁ ପ୍ରାୟ ୨୦ଜଣ ଛାତ୍ରଛାତ୍ରୀ କୋଟାରେ ରହି ଡାକ୍ତରୀ ଏବଂ ଇଞ୍ଜିନିୟରିଂ ନିମନ୍ତେ କୋଚିଂ ନେଉଛନ୍ତି। ମାତ୍ର କରୋନା କାରଣରୁ ହୋଇଥିବା ଲକଡାଉନ ଫଳରେ ଏହି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସହିତ ଥିବା ଅଭିଭାବକମାନେ ଆଉ ମୟୂରଭଞ୍ଜ ଫେରିପାରି ନ ଥିଲେ।

ତେବେ କରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇଆଣିବାକୁ ସେମାନଙ୍କର ପରିବାରବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ। ବିଭିନ୍ନ ରାଜ୍ୟରେ ଫଶିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କଲାପରେ ଏହି ଛାତ୍ରଛାତ୍ରୀମାନଙ୍କୁ ଘରକୁ ଫେରାଇଆଣିବାକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ତେବେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଫେରିବାକୁ ମନାକରିବାରୁ ୧୮ଜଣ ଛାତ୍ରଛାତ୍ରୀ ଏବଂ ୩ ଜଣ ଅଭିଭାବକ ମୟୂରଭଞ୍ଜ ଫେରିବେ ବୋଲି ଜଣାପଡ଼ିଛି।

ବାରିପଦାରୁ କୋଟା ଅଭିମୁଖେ ଯିବାକୁ ଅନୁମତି ପାଇଥିବା ଏକ ଘରୋଇ ବସରେ ଦୁଇ ଜଣ ଅଭିଭାବକଙ୍କ ସହିତ ୪ଜଣ ବସ୍ କର୍ମଚାରୀ ରହିବେ। ଉକ୍ତ ଛାତ୍ରଛାତ୍ରୀମାନେ ମୟୂରଭଞ୍ଜ ଫେରିବା ପରେ ସେମାନଙ୍କୁ ଆଇସୋଲେସନ୍ରେ ରଖାଯିବା ସହିତ ସମସ୍ତଙ୍କର କରୋନା ପରୀକ୍ଷା କରାଯିବାନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। କରୋନା ପରୀକ୍ଷା ନେଗେଟିଭ୍ ଆସିଲେ ସମସ୍ତଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଗସ୍ତର ସମସ୍ତ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବହନ କରୁଥିବା ଜଣାପଡ଼ିଛି। ଏସମ୍ପର୍କରେ ସବିଶେଷ ତଥ୍ୟ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କୋଟା ଜିଲ୍ଲାପାଳ ଏବଂ କୋଟାର ସଂପୃକ୍ତ କୋଚିଂ ସଂସ୍ଥାକୁ ଜଣାଇଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe