ତରବୋଡ଼ରେ ମକା ଓ କପା ମଣ୍ଡି ଦାବି; ୨ ଘଣ୍ଟା ରାଜରାସ୍ତା ଅବରୋଧ

Advertisment
ତରବୋଡ଼ରେ ମକା ଓ କପା ମଣ୍ଡି ଦାବି; ୨ ଘଣ୍ଟା ରାଜରାସ୍ତା ଅବରୋଧ

ତରବୋଡ଼: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ତରବୋଡ଼ ଗ୍ରାମରେ ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ରାଜରାସ୍ତା ଅବରୋଧ କରାଯାଇଛି। ଅଞ୍ଚଳରେ ମକା ଓ କପା ମଣ୍ଡି ଖୋଲିବାକୁ ଦାବି କରି ୩୫୩ ନମ୍ବର ଜାତୀୟ ରାଜପଥକୁ ୨ଘଣ୍ଟା ଧରି ଅବରୋଧ କରିଥିଲେ।

କୋମନା ବ୍ଲକ୍‌ରେ ଗତ କିଛିବର୍ଷ ହେବ ସ୍ବଳ୍ପ ବୃଷ୍ଟି କାରଣରୁ ଧାନ ଚାଷ ଭଲ ନହେବାରୁ ଚାଷୀମାନେ ମରୁଡ଼ିର ଶିକାର ହେଉଥିଲେ। ତେଣୁ ଅଧିକାଂଶ ଚାଷୀ ଧୀରେଧୀରେ ମକା ଏବଂ କପା ଚାଷ ଉପରେ ଅଧିକ ଗୁରୁତ୍ବ ଦେଲେ। ଏହି ଚାଷ କରିବା ପରେ ସେମାନଙ୍କ ଆୟ ବୃଦ୍ଧି ପାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ କପା ଓ ମକା ବିକ୍ରି ପାଇଁ ସରକାରୀ ମଣ୍ଡିର ବ୍ୟବସ୍ଥା ନଥିବାରୁ ଚାଷୀ ପ୍ରତ୍ୟେକ ବର୍ଷ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବାଧ୍ୟହୋଇ କମ୍ ଦରରେ ଦଲାଲ୍ ପାଖରେ ଫସଲକୁ ବିକ୍ରି କରୁଛନ୍ତି।

ମକା ଚାଷ ଆରମ୍ଭରୁ କେଜି ପ୍ରତି ୨୦୦ ରୁ ୩୦୦ ଟଙ୍କା ଦେଇ ଚାଷୀ ବିହନ କିଣି ଚାଷ କରିବା ପରେ ମାତ୍ର ୧୦ ଟଙ୍କାରେ ବିକ୍ରି କରୁଛନ୍ତି। ସେଥିପାଇଁ ପ୍ରତ୍ୟେକ ବର୍ଷ ଚାଷୀମାନେ ରାଜରାସ୍ତା ଅବରୋଧ କରିଥାନ୍ତି। ଏହାସହ ଜିଲ୍ଲାପାଳଙ୍କ ଅଫିସ୍ ମଧ୍ୟ ଘେରାଉ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ଆରଆଇ ଅଫିସ ଏବଂ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ଏନେଇ ଚାଷୀଙ୍କୁ କୌଣସି ସକରାତ୍ମକ ପ୍ରତିଶ୍ରୁତି ଦିଆ ନଯିବାରୁ ବାଧ୍ୟ ହୋଇ ବୁଧବାର ପୁଣି ରାଜପଥ ଅବରୋଧ କରିଥିଲେ।

ଉକ୍ତ ସମୟରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ ଏହି ରାସ୍ତାରେ ଯାଉଥିଲେ। ଚାଷୀମାନେ ତାଙ୍କ ଗାଡ଼ି ପାଖକୁ ଯାଇ ଦାବି ଜଣାଇଥିଲେ। ଜିଲ୍ଲାପାଳ ଅଫିସକୁ ଆସ, କଥା ହେବା ବୋଲି କହିବାରୁ ଚାଷୀମାନେ ରାସ୍ତା ଅବରୋଧରୁ ହଟିଥିଲେ।

ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀ ଏହାର ନେତୃତ୍ବ ନେଇଥିଲେ। ଚାଷୀନେତା ଦୟାସାଗର ପ୍ରଧାନ, ସୁରେଶ ବେହେରା, ଜୟ ହଂସ, ଭାସ୍କର ପ୍ରଧାନ, ଗୟା ବାଗ, ପଦ୍ମନ ବନଛୋରଙ୍କ ସମେତ ଅଞ୍ଚଳର ଅନେକ ଚାଷୀ ଧାରଣାରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe