ସିଲେରୁ ନଦୀ ଡଙ୍ଗା ବୁଡି ଘଟଣା : ଆଉ ୨ ଜଣଙ୍କ ଶବ ଉଦ୍ଧାର

ଘଟଣାସ୍ଥଳରେ ପହଞ୍ଚି ସହାୟତାର ପ୍ରତିଶ୍ରୁତି ଦେଲେ ଚିତ୍ରକୋଣ୍ଡା ବିଧାୟକ

ସିଲେରୁ ନଦୀ ଡଙ୍ଗା ବୁଡି ଘଟଣା :  ଆଉ ୨ ଜଣଙ୍କ ଶବ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଗତକାଲି ଦେଶୀ ଡଂଗା ବୁଡିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ବର୍ତ୍ତିଯାଇଛନ୍ତି।ଗତକାଲି ୫ ଜଣ ଶିଶୁ ସମେତ ଜଣେ ମହିଳାଙ୍କ ଶବକୁ ପ୍ରଶାସନ ଉଦ୍ଧାର କରିଥିବା ବେଳେ ଆଜି ଆଉ ୨ ଜଣଙ୍କ ଶବକୁ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଓଡ୍ରାଫ ଟିମର କର୍ମଚାରୀ ଉଦ୍ଧାର କରିଛନ୍ତି।ଆଜି ଉଦ୍ଧାର ହୋଇଥିବା ଶବ ମଧ୍ୟରୁ ଲକ୍ଷ୍ମୀ ଖରା(୨୮) ଏବଂ ଅନ୍ବେସାରାନ ଵେଲଗୁରୁ(୧)।ସମସ୍ତ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଂକା ଲେଖାଏଁ ପ୍ରଦାନ କରାଯାଇଛି।ଏଥିସହ ସରକାରଙ୍କ ତରଫରୁ ଏସଡିଆରଏଫ ଯୋଜନାରେ ଆଗାମୀ ଦିନରେ ୪ ଲକ୍ଷ ଟଂକା ଲେଖାଏଁ ମିଳିବ ବୋଲି ଜଣାପଡିଛି।ତେବେ ଦୁର୍ଘଟଣା ଘଟିବା ଖବର ମିଳିବା ପରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ସରକାରୀ ସହାୟତା ପ୍ରଦାନ ନେଇ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆଜି ଆଉ ଦୁଇ ଜଣଙ୍କ ଶବ ଉଦ୍ଧାର ହେବା ପରେ ପରିବେଶ ଶୋକାକୂଳରେ ପରିଣତ ହୋଇଯାଇଥିଲା।ବିଡିଓ ଟି.ପଦ୍ମନାଭ ଦୋରାଙ୍କ ସମେତ ପୁଲିସ ଆଇଆଇସି ଶ୍ରୀ ନାୟକ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ୟ୍ୟର ନେତୃତ୍ବ ନେଉଥିଲେ।ପ୍ରକାଶ ଥାଉକି ଗତକାଲି ଆନ୍ଧ୍ରରୁ ଲୁଚିଛପି ଦୁଇଟି ଦେଶୀ ଡଂଗାରେ ୧୧ ଜଣ ନିଜ ଘର ଗୁଣ୍ଠାଵାଡା ଏବଂ କନ୍ଧଗୁଡାକୁ ଫେରୁଥିବା ବେଳେ ନଦୀ ମଝିରେ ଦୁଇଟି ଡଂଗା ଓଲଟି ପଡିଥିଲା।ଯାହାଫଳରେ ୩ ଜଣ କୌଣସି ପ୍ରକାରେ ପହଁରି ପହଞ୍ଚିଥିବା ବେଳେ ୮ ଜଣ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ।ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମର କର୍ମଚାରୀମାନେ ଦିନରାତି ଏକ କରି ସମସ୍ତ ୮ଟି ଶବକୁ ପାଣିରୁ ଉଦ୍ଧାର କରିଥିଲେ।ତେବେ ତୁରନ୍ତ ମୃତ୍ୟୁବରଣ କରିଥିବା ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe