ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳରେ ଏକ ଗଣଦୁଷ୍କର୍ମ ମାମଲାର ୨ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଜିଲ୍ଲା ଓ ଦୌରାଜଜ୍ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ୨୦୨୧ରେ ଜଣେ ବିବାହିତାଙ୍କୁ ସ୍ୱାମୀଙ୍କ ଅନୁପସ୍ଥିତିରେ ନେତ୍ରାବାହାଳ ଗ୍ରାମର ଶିବ ମହନ୍ତ ଓ ବମପରଡ଼ା ଗ୍ରାମର ବିଜୁ ମହାକୁଳ ବଳପୂର୍ବକ ଦୁଷ୍କର୍ମ କରିବା ସହ ମୋବାଇଲ୍ରେ ମହିଳାଙ୍କ ନଗ୍ନ ଫଟୋ ଉଠାଇଥିଲେ। ଘଟଣା ପ୍ରଘଟ କଲେ ସେମାନେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।
ଫଳରେ ପୀଡ଼ିତା ନିଜ ଗାଁ ଛାଡ଼ି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳକୁ ଚାଲି ଯାଇଥିଲେ। କିନ୍ତୁ ପରେ ବି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଫୋନ କରି ଡାକିବା ସହ ନ ଆସିଲେ ନଗ୍ନ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେ। ପୀଡ଼ିତା ଧମକକୁ କର୍ଣ୍ଣପାତ ନ କରିବାରୁ ସେମାନେ ଫଟୋଗୁଡ଼ିକ ଭାଇରାଲ କରି ଦେଇଥିଲେ।
ଏ ନେଇ ପୀଡ଼ିତା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଆଜି ଜିଲ୍ଲା ଓ ଦୌରାଜଜ ଗୌତମ ଶର୍ମା ଅଭିଯୁକ୍ତ ଦ୍ୱୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମନୋଜ ପାଢ଼ୀ ଓ ଜନ୍ମାଜୟ ପ୍ରଧାନ ମାମଲା ପରିଚାଳନା କରୁଥିଲେ।
Follow Us