କର୍କଟ ପୀଡ଼ିତ ବାପାଙ୍କ ଚିକିତ୍ସା ପାଇଁ ରାଜମିସ୍ତ୍ରୀ କାମ କଲେ ଦୁଇ ଭଉଣୀ

Advertisment
କର୍କଟ ପୀଡ଼ିତ ବାପାଙ୍କ ଚିକିତ୍ସା ପାଇଁ ରାଜମିସ୍ତ୍ରୀ କାମ କଲେ ଦୁଇ ଭଉଣୀ

ବାଲିଅନ୍ତା:ରାଜମିତ୍ସ୍ରୀ କାମରେ ନିପୁଣ ଜୟୀରାମ ପ୍ରଧାନ (୫୭)। ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ କଇଜଙ୍ଗା ଗ୍ରାମର ମୂଳ ବାସିନ୍ଦା । ହାତରେ କରଣୀ ଓ ଗଜ ଧରି କେତେ ଘର ଗଢ଼ିଛନ୍ତି । ହେଲେ ଏବେ ସେ ମୁଖ ଗହ୍ବର କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୀର୍ଘ ଦିନ ହେବ ସେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି । ରୋଗ ବଢ଼ିଯାଇଥିବାରୁ ଆଦୌ କଥା କହିପାରୁ ନାହାନ୍ତି କି ଭଲକରି ଖାଦ୍ୟ ଖାଇପାରୁ ନାହାନ୍ତି । ଅସ୍ତ୍ରୋପଚାର କରାଗଲେ ସୁସ୍ଥ ହୋଇଯିବେ ବୋଲି କଟକ ହରିହର କର୍କଟ ଗବେଷଣା କେନ୍ଦ୍ରର ଡାକ୍ତର କହିଛନ୍ତି । ବର୍ଷେ ହେଲା ରୋଗଶଯ୍ୟାରେ ପଡ଼ି ପଡ଼ି ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଦେହ ଭଲ ଥିଲା ବେଳେ ରାଜମିସ୍ତ୍ରୀ କାମ କରି ଯାହା କିଛି ରୋଜଗାର ମିଳୁଥିଲା, ସେଥିରେ ପତ୍ନୀ ଏବଂ ଦୁଇଝିଅଙ୍କୁ ମିଶାଇ ଚାରି ପ୍ରାଣୀ କୁଟୁମ୍ବ ଦୁଃଖକଷ୍ଟେ ଚଳି ଯାଉଥିଲେ। ଘର ଡିହ ଖଣ୍ଡକୁ ଛାଡ଼ିଦେଲେ ତାଙ୍କର ରୋଜଗାରର ଆଉ କୌଣସି ବିଳକ୍ପ ବାଟ ନାହିଁ । ଘରର ଛଣଚପର ଉଡ଼ିଯାଇଥିବାରୁ ପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି । ସତେ ଯେପରି ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିଛି । ପରିବାର ପୂରା ବେସାହାରା ହୋଇପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଜଇରାମଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ପତ୍ନୀ ଶୁଷମା ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ସହ ଘର ଖର୍ଚ୍ଚ ତୁଲାଇବା ପାଇଁ ଟଙ୍କା କେଉଁଠୁ ଯୋଗାଡ଼ କରିବେ ସେହି ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି । ଘରର ଏଭଳି ଦୁର୍ଦ୍ଦିନ ସମୟରେ ବାପାଙ୍କୁ ବଞ୍ଚାଇବା ପାଇଁ ଜଇରାମଙ୍କ ଦୁଇ ଝିଅ ଅଣ୍ଟା ଭିଡ଼ିଛନ୍ତି ।

ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବଡ଼ ଝିଅ ଶୁଭଶ୍ରୀ ଓ ସାନ ଝିଅ ଗାୟତ୍ରୀ ବାପାଙ୍କ ବୃତ୍ତିକୁ ଆପଣାଇ ରାଜମିସ୍ତ୍ରୀ କାମ କରୁଥିବା ଜଣାପଡ଼ିଛି । ବାପାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରିବାକୁ ପାଠପଢ଼ା ଛାଡ଼ି ମୁଣ୍ଡରେ ବାଲି ସିମେଣ୍ଟ ବୋହୁଛନ୍ତି । ଯଦି କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତି ଅବା ଅନୁଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଚାହୁଁଥାନ୍ତି ତା ହେଲେ ତାଙ୍କର ମୋ- ନଂ ୯୩୪୮୪୬୫୨୦୮ ରେ ଯୋଗାଯୋଗ କରିବାକୁ ସଂପୃକ୍ତ ପରିବାର ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe