ବୈଶିଙ୍ଗା: ବେତନଟୀ ଅଞ୍ଚଳରେ ହାତୀ ଆତଙ୍କ ଥମିବାର ନାମ ଧରୁନି। କେତେବେଳେ ଜାତୀୟ ରାଜପଥ ୧୮କୁ ଅବରୋଧ କରୁଛନ୍ତି ତ କେତେବେଳେ ଏକର ଏକର ପାଚିଲା ଧାନ କ୍ଷେତ ଉଜାଡୁଛନ୍ତି, ପୁଣି କେତେବେଳେ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି ୪୯ ଟିକିଆ ଝାଡ଼ଖଣ୍ଡି ହାତୀପଲ। ଏହି ପଲରେ ୨ଟି ବିରାଟ ଦନ୍ତା ସହିତ ୮ରୁ ଅଧିକ ଶିଶୁହାତୀ ରହିଥିବା ଦେଖାଯାଉଛନ୍ତି।

Advertisment

ତେବେ ବିଗତ ୩ଦିନ ଧରି ଏହି ହାତୀପଲ କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ ରହୁଛନ୍ତି। ପୂର୍ବାହ୍ନରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଚିଲା ଧାନ କ୍ଷେତରେ ଉତ୍ପାତ କରୁଥିବାବେଳେ ଅପରାହ୍ନ ହେଲେ ସ୍ଥାନୀୟ ପାଟୁଳିପୁରା ପଞ୍ଚାୟତର ସାନ କ୍ଷୀରପଦା ଓ କେନ୍ଦୁଆ ପଞ୍ଚାୟତର ଭୁଡୁ଼ରୁବଣି ଗ୍ରାମକୁ ଚାରିପଟୁ ଘେରି ଯାଉଛନ୍ତି। ଫଳରେ ହାତୀ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ପ୍ରଚୁର ମାତ୍ରାରେ ଖାଦ୍ୟ ମିଳିଯାଉଥିବାରୁ ତଥା ରହିବାକୁ ସୁରକ୍ଷିତ ସ୍ଥାନ ମିଳି ଯାଉଥିବାରୁ ୩ଦିନ ପରେ ବି ସ୍ଥାନ ଛାଡି ଯିବାକୁ ନାଁ ଧରୁନାହାନ୍ତି ହାତୀପଲ। 

ହାତୀ ଭୟରେ ସନ୍ଧ୍ୟା ନ ହେଉଣୁ ତାଟି କବାଟ ପଡୁଛି । ସାରା ଗାଁ ଅନ୍ଧକାରମୟ ହେଉଛି। ସନ୍ଧ୍ୟା ନ ହେଉଣୁ ତାଟି କବାଟ ପକାଇ ଘର ଭିତରେ ଭୟଭୀତ ହୋଇ ରାତି କାଟୁଛନ୍ତି ଦୁଇ ଗ୍ରାମର ପ୍ରାୟ ୧୭୫ ପରିବାରର ୫୦୦ରୁ ଉର୍ଦ୍ଧ ଲୋକ। ଅନ୍ୟପଟେ ହାତୀପଲ ଥିବା ଯୋଗୁଁ ରାତି ସାରା ବିଦ୍ୟୁତ ସରବରାହ ବନ୍ଦ ରହୁଛି, ଯେଉଁଥିପାଇଁ ପୁରା ଗାଁ ଅନ୍ଧକାରମୟ, ଯାହା ସାଧାରଣ ଲୋକଙ୍କ ଭୟକୁ ଦ୍ବିଗୁଣିତ କରୁଛି।

ନିଜ ପରିବାରକୁ ହାତୀ କବଳରୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଗ୍ରାମର ପୁରୁଷ। ସନ୍ଧ୍ୟା ନ ହେଉଣୁ ଶୁକଦେବ ମୁର୍ମୁ, ଲସ ବେସ୍ରା, ରଜନୀକାନ୍ତ ସିଂ, ହରିହର ସାସମଲ, ସିପୁନ ସାସମଲଙ୍କ ନେତୃତ୍ୱରେ ୧୫୦ରୁ ଉର୍ଦ୍ଧ ଲୋକ ହାତରେ ନିଆଁ ହୁଳା ଓ ଟର୍ଚ୍ଚ ଧରି ବାହାରି ଘରୁ ଯାଉଛନ୍ତି। ନିଆଁ ହୁଳା ଧରି ଗାଁ ଚାରିପଟେ ଘେରି ରହି ହାତୀମାନଙ୍କୁ ଗାଁକୁ ପଶିବାରୁ ରୋକୁଛନ୍ତି। ଫଳରେ ତାଙ୍କ ପରିବାର ଟିକେ ଘରେ ଶାନ୍ତିରେ ରାତି କାଟୁଛନ୍ତି ।

ନିଆଁ ହୁଳା ଦେଖାଇ ଗାଁ ଭିତରକୁ ସିନା ହାତୀ ପଲକୁ ପଶିବାକୁ ଦେଉନାହାନ୍ତି ଗ୍ରାମବାସୀ। ହେଲେ ଦିନ ତମାମ ତାଙ୍କ ପାଚିଲା ଧାନ କ୍ଷେତରେ ହାତୀ ଫସଲ ନଷ୍ଟ କରୁଛନ୍ତି। ବନବିଭାଗ ଓ ସ୍ଥାନୀୟ ସରପଞ୍ଚଙ୍କ ସୂଚନା ଅନୁଯାଇ ଏଯାବତ ୩ଦିନରେ ୫୦ଏକରରୁ ଉର୍ଦ୍ଧ ପାଚିଲା ଧାନ କ୍ଷେତକୁ ଖାଇବା ସହିତ ହାତୀପଲ  ଦଳି ଚକଟି ଉଜାଡି ଦେଲେଣି। 

ଏନେଇ ମମତା ନାଏକ, ସରପଞ୍ଚ, ପାଟୁଳିପୁରା ପଞ୍ଚାୟତ.କୁହନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ୪୯ଟିକିଆ ହାତୀପଲ ଆମ ସାନକ୍ଷୀରପଦା ଗାଁକୁ ଗତ ୩ଦିନ ଘେରି ରହିଥିବାବେଳେ ଭୟରେ ରାତି ଅନିଦ୍ରା ରହୁଛନ୍ତି ୧୩୫ପରିବାର। ବିଳମ୍ବିତ ରାତିରେ  ଗାଁରେ ପଶିବାକୁ ଉଦ୍ୟମ କରୁଥିବାବେଳେ ଅପରାହ୍ନରେ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ। ତେବେ ହାତୀପଲ ଘଉଡାଇବାରେ ବିଫଳ ବନବିଭାଗ କେବଳ ଲୋକଙ୍କୁ ସଚେତନ କରୁଛି। 

ଏସମ୍ପର୍କରେ ମନମୋହନ ମାଝୀ, ସରପଞ୍ଚ, କେନ୍ଦୁଆ ପଞ୍ଚାୟତ କୁହନ୍ତି. ଆମ ଅଞ୍ଚଳରେ ହାତୀପଲ ରହି ବ୍ୟାପକ ଧାନ ଚାଷ ଜମିଗୁଡ଼ିକ ନଷ୍ଟ କରୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଧ୍ୟାହ୍ନ ପରେ ଗାଁ ପାଖ ଜମିକୁ ଆସୁଥିବାବେଳେ ରାତି ହେଲେ ହାତୀପଲ ଗାଁକୁ ପଶିବାକୁ ଚେଷ୍ଟା କରୁଥିବା ଆମ ଗ୍ରାମବାସୀ କହୁଛନ୍ତି। ତେବେ ଭୁଡୁ଼ରୁବଣି ଗ୍ରାମର ୪୦ରୁ ଉର୍ଦ୍ଧ ପରିବାରର ଚାଷ ଜମିଗୁଡ଼ିକ ନଷ୍ଟ କରିଦେଥିବାରୁ ଚିନ୍ତାରେ ଏହି ପରିବାର ଲୋକେ ରହିଛନ୍ତି।

WhatsApp Image 2024-11-25 at 8.43.55 PM

ଅଧିକ ପଢ଼ନ୍ତୁ: ମା’ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ତେବେ ଯଥାଶୀଘ୍ର ଏହି ପରିବାର ଗୁଡିକର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପଟେ ନୂଆ ସରକାରଙ୍କ ପକ୍ଷରୁ ଚଳିତ ବର୍ଷଠାରୁ ଧାନ କ୍ୱିଣ୍ଟାଲ ୩୧୦୦ଟଙ୍କା କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ହାତୀ ଜନିତ କ୍ଷୟକ୍ଷତି ପାଇଁ ଏକ ଏକରକୁ ମିଳୁଥିବା ୨୦ହଜାର ଟଙ୍କା ପର୍ଯ୍ୟାପ୍ତ ନୁହଁ ‌ବୋଲି କହିଛନ୍ତି। ତେଣୁ ଉକ୍ତ ରାଶିକୁ ଯଥାଶୀଘ୍ର ବଢ଼ାଯାଉ ବୋଲି ସେ ଦାବି କରିଛନ୍ତି।

ଏନେଇ ମନୁୱାର ଖାନ, ବେତନଟୀ ବନାଞ୍ଚଳ ଅଧିକାରୀ କୁହନ୍ତି, ହାତୀପଲ ଆସିବା ଦିନରୁ ଘଟଣା ସ୍ଥଳରେ ଆମ ବନ ବଭାଗର ଏକାଧିକ କର୍ମଚାରୀ ପହଞ୍ଚି ହାତୀ ବାହାରିଥିବା ଅଞ୍ଚଳରେ ଲୋକଙ୍କୁ ବୁଝାସୁଝା କରିଵା ସହିତ ହାତୀପଲ ଉପରେ ତୀକ୍ଷଣ ନଜର ରଖିଛନ୍ତି। ତେବେ ହାତୀଙ୍କୁ ଘୋଉଡ଼ାଇବା ଆଇନ ବିରୁଦ୍ଧ ହୋଇଥିବାରୁ ଆମେ ମଧ୍ୟ ନିରୁପାୟ। ତେବେ କ୍ଷୟକ୍ଷତି ହୋଇଥିବା ପରିବାରଙ୍କୁ କେମିତି ଯଥାଶୀଘ୍ର ଆର୍ଥିକ ସହାୟତା ଦିଆଯିବ ସେ ନେଇ ଆମେ ଚେଷ୍ଟା କରୁଛୁ। ତତସହିତ ଲୋକଙ୍କୁ ସଚେତନତା କରି ତାଙ୍କ ବହୁମୂଲ୍ୟ ଜୀବନକୁ କେମିତି ସୁରକ୍ଷା ଦିଆଯିବ ସେ ନେଇ ଆମେ ତତ୍ପର।

ଅଧିକ ପଢ଼ନ୍ତୁ: ସରକାରଙ୍କୁ ଘେରିବାକୁ କଂଗ୍ରେସର ସ୍ବତନ୍ତ୍ର ରଣନୀତି