୨୨ ଲକ୍ଷ ଟଙ୍କା ପାଇଁ ସୁରକ୍ଷାକର୍ମୀଙ୍କୁ ଅପହରଣ, ବାରିପଦାରୁ ନେଇଗଲେ ପଶ୍ଚିମବଙ୍ଗର ମାଲ୍‌ଦା

Advertisment

୫ ଦିନର କସରତ ପରେ ଉଦ୍ଧାର, ଜଣେ ଅପହରଣକାରୀ ଗିରଫ

୫ ଦିନର କସରତ ପରେ ଉଦ୍ଧାର, ଜଣେ ଅପହରଣକାରୀ ଗିରଫ

୨୨ ଲକ୍ଷ ଟଙ୍କା ପାଇଁ ସୁରକ୍ଷାକର୍ମୀଙ୍କୁ ଅପହରଣ, ବାରିପଦାରୁ ନେଇଗଲେ ପଶ୍ଚିମବଙ୍ଗର ମାଲ୍‌ଦା

Sambad

ବାରିପଦା: ବକେୟା ଟଙ୍କା ଅସୁଲ ପାଇଁ ମାଲିକ ଉପରେ ଚାପ ସୃଷ୍ଟି ନିମନ୍ତେ ସୁରକ୍ଷା କର୍ମୀଙ୍କୁ ଅପହରଣ। ବାରିପଦାରୁ ‌ନେଇଗଲେ ପଶ୍ଚିମବଙ୍ଗର ମାଲ୍‌ଦା। ଆଉ ମୁଣ୍ଡ ଜାମିନ ରଖି ଦାବି କରିଥିଲେ ପ୍ରାୟ ୨୨ଲକ୍ଷ ଟଙ୍କା। ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ସକ୍ରିୟ ହୋଇପଡ଼ିଥିଲା ପୁଲିସ। ଆଉ ପ୍ରାୟ ପାଞ୍ଚ ଦିନର କସରତ୍‌ ପରେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲା ମାନିକଚକ୍‌ ଥାନା ଅଧୀନ ଧରମପୁର ଗ୍ରାମରୁ ଉଦ୍ଧାର ହୋଇଛନ୍ତି ଅପହୃତ ସୁରକ୍ଷା କର୍ମୀ। ଏହି ଅପହରଣ ମାମଲାରେ ଜଣେ ଅପହରଣକାରୀ ସେକ୍‌ ସାକିରୁଲ(୩୨)ଙ୍କୁ ଗିରଫ କରିଛି ବାରିପଦା ସଦର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌। ଉଲ୍ଲେଖଯୋଗ୍ୟ, ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆଠାରେ ଥିବା ଏକ ଘରୋଇ କାରଖାନାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଜୟପ୍ରକାଶ ମହାନ୍ତଙ୍କୁ ଚଳିତ ମାସ ୧୪ ବିଳମ୍ବିତ ରାତିରେ ଅପହରଣ କରିନିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ। ଉକ୍ତ ସଂସ୍ଥାରେ କାମ କରୁଥିବା କିଛି କର୍ମଚାରୀ ବକେୟା ଟଙ୍କା ପାଇବାକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ହୋଇଥିଲା। ଅପହର୍ତ୍ତାମାନେ ଉକ୍ତ ଘରୋଇ ସଂସ୍ଥାରୁ ପ୍ରାୟ ୨୨ଲକ୍ଷ ଟଙ୍କା ବକେୟା ପାଇବାକୁ ଥିବା ପୁଲିସକୁ ସୂଚନା ମିଳିଥିଲା। ପରେ ଅପହରଣକାରୀମାନେ ଫୋନ୍‌ ଜରିଆରେ ଅପହୃତ ଜୟପ୍ରକାଶଙ୍କ ଘରକୁ ଟଙ୍କା ଦାବି କରିଥିଲେ। ଉକ୍ତ ଫୋନ୍‌ କଲ୍‌କୁ ଟ୍ରାକିଂ କରି ଅପହର୍ତ୍ତାମାନେ ପଶ୍ଚିମବଙ୍ଗର ମାଲ୍‌ଦାରେ ଥିବା ପୁଲିସକୁ ସୂଚନା ମିଳିଥିଲା।

publive-image Sambad

ଅତ୍ୟନ୍ତ ସତର୍କତାର ସହିତ ସଦର ଥାନା ପୁଲିସ ଏସଆଇ ସନ୍ତୋଷ ବିଶୋଇ, ଏସଆଇ କ୍ଷୀରୋଦ କୁମାର ଖୁଣ୍ଟିଆ, କନେଷ୍ଟବଳ କାଦମ୍ବନୀ ବେହେରା ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ସ୍ଥାନୀୟ ପୁଲିସ ସହାୟତାରେ ଅପହରଣକାରୀଙ୍କ ନିକଟରେ ପହଞ୍ଚିଥିଲା। ଅପହୃତ ସୁରକ୍ଷା କର୍ମୀ ଏବଂ ଅଭିଯୁକ୍ତ ସାକିରୁଲ୍‌କୁ ଗତକାଲି ବିଳମ୍ବିତ ରାତିରେ ବାରିପଦା ଅଣାଯାଇଛି। ତେବେ ଏହି ଘଟଣାରେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେଣୁ ଏନେଇ ଅଧିକ ତଦନ୍ତ ଜାରି ରହିଛି। ସେହିପରି ବକେୟା ଟଙ୍କା ପ୍ରଦାନକୁ ନେଇ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଛି। ସଂସ୍ଥାର ମାଲିକ ବକେୟା ଟଙ୍କା ଦେଇଥିବା କହୁଥିବାବେଳେ କର୍ମଚାରୀମାନେ ପାଇନଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବାରିପଦା ସଦର ଥାନାରେ ଲିଖିତ ଆଇପିସି ଧାରା ୩୬୩, ୩୬୫ ଅନୁସାରେ ୫୮/୧୫.୦୩.୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe