ଜୁଆ ଖେଳ ଉପରେ ଚଢଉ: ୨୫ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ

Advertisment
ଜୁଆ ଖେଳ ଉପରେ ଚଢଉ: ୨୫ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଭଞ୍ଜନଗର: ପାର୍ବଣ ଋତୁ ଆସିଲେ ସଭିଙ୍କ ପରିବାରରେ ଖେଳିଯାଏ ହର୍ଷ ଉଲ୍ଲାସର ବାତାବରଣ। ଆଉ ଏହି ପାର୍ବଣ ସମୟରେ ଗାଁ ଠାରୁ ଆରମ୍ଭ କରି ସହର ସବୁଠି‌ ପରମ୍ପରା ନାମ‌ରେ ଚାଲେ ଜୁଆର ଆସର। ଜୁଆଡି ମାନେ ମଧ୍ୟ ଏହି ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଲୋଭ ଆଶାରେ ଜୁଆ ଖେଳରେ ଲଗାଇ ଦିଅନ୍ତି ନିଜର ସର୍ବସ୍ବ ପୁଞ୍ଜି। ବାଜିରେ ଲାଗୁଛି ଲକ୍ଷାଧିକ ଟଙ୍କା। ଏହାକୁ ନେଇ ବର୍ତ୍ତମାନ ପୁଲିସ୍‌ ଆକ୍ସନ୍‌ ମୁଡକୁ ଆସିଥିବା ବେଳେ ଜୁଆ ଖେଳ ଉପରେ ହୋଇଛି ବ୍ୟପକ ଚଢଉ ଆଉ ପୁଲିସ୍‌କୁ ମିଳିଛି ବଡ ସଫଳାତା। ଭଞ୍ଜନଗର ପୁଲିସ୍ ଗତକାଲି ଗୋଟିଏ ଦିନରେ ୪ଟି ଜୁଆ ଖେଳରେ ଚଢଉ କରି ୧ ଲକ୍ଷ ୬୨ ହଜାର ୨୨୫ ଟଙ୍କା ଜବତ କରିଛି

ଭଞ୍ଜନଗର ସହର ମଧ୍ୟରେ ଥିବା ମହମ୍ମଦିଆନ ସ୍କୁଲ ପିଣ୍ଡାରେ ଚାଲିଥିବା ଚଢଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪,୬୨୫ ଟଙ୍କା ଜବତ କରିଛି। ସେହିପରି ଲାଲସିଂ ଠାରେ ଚଢଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୩୪,୫୫୦ ଟଙ୍କା। ସାନକୋଦଣ୍ଡା ଏକ ଘରେ ଚାଲିଥିବା ଜୁଆ ଆଡ୍ଡାରେ ଚଢଉ କରି ୧୫,୧୦୦ ଟଙ୍କା ଏବଂ ବାହାଡାପଦର ଠାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢଉ କରି ୪୧,୯୬୦ ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

publive-image

ଦଶହରା ପୂର୍ବରୁ ଆରମ୍ଭ ହେଉଥିବା ଏହି ଆସର କୁମାର ପୂର୍ଣ୍ଣମୀର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ। ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା କିଛି ଅପରାଧି ବର୍ଷତମାମ୍‌ ଏହି ଜୁଆ ଆସର ଜମାଇଥାନ୍ତି। ପୁଲିସ୍‌ ନଜରରୁ ବଞ୍ଚିବା ପାଇଁ ନିଛାଟିଆ, ପରିତ୍ୟକ୍ତ ବା ନିର୍ମାଣାଧିନ କୋଠାରେ ଜୁଆର ଆସର ଜମିଥାଏ। ପାର୍ବଣ ସମୟରେ ଜୁଆ ଖେଳରେ ରୋକ ଲଗାଇବା ପାଇଁ ପୁଲିସ୍‌ ପକ୍ଷରୁ ଚଢଉକୁ ବ୍ୟପକ କରାଯାଇଥାଏ। ତଥାପି ବନ୍ଦ କୋଠରୀ ଭିତରେ ଚାଲୁଥିବା ଲକ୍ଷାଧିକ ଟଙ୍କାର ଖେଳରେ ରୋକ୍‌ ଲଗାଇ ହୁଏନି। ଅନେକ ସ୍ଥାନରେ ଚଢଉ କରି ଟଙ୍କା ଜବତ କରିବା ସହ ଜୁଆଡି ମାନଙ୍କୁ ଗିରଫ କରୁଥିବା ବେଳେ ଜୁଆ ଖେଳ ଏକ ଧର୍ତବ୍ୟ ଅପରାଧ ହୋଇନଥିବାରୁ ସେମାନେ ଅତି ସହଜରେ ଜାମିନ୍ ପାଇ ପୁଣି ଖେଳରେ ମାତୁଥିବା ଅଭିଯୋଗ ହେଉଛି।

publive-image

କିଛି ଲୋକଙ୍କ ପାଇଁ ଏହା ନିଶା ପାଲଟିଯାଇଛି। ଅଳ୍ପ ସମୟ ମଧ୍ୟରେ ଅଧିକା ଟଙ୍କା ପାଇବା ନିଶା ରେ ଏହି ଖେଳ ପ୍ରତି ବହୁ ଲୋକ ଆସକ୍ତ ହୋଇ ନିଜର ସର୍ବସ୍ବ ହରାଇବା ଦେଖିବାକୁ ମିଳିଛି। ଯାହା ଫଳରେ ସେମାନଙ୍କ ପରିବାରରେ ବିଶୃଙ୍ଖଳା ଦେଖାଯିବା ସହ ଏହି ଖେଳ ପାଇଁ ଗାଁ ଓ ସାହିରେ ଗଣ୍ଡଗୋେଳର ସୁତ୍ରପାତ ହୋଇଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe