ଟ୍ରାକ୍‌ ଯନ୍ତ୍ରଣା: ଖଲ୍ଲିକୋଟରୁ ସୋରଳ, ୭୫ କିମି ରେଳଧାରଣା ଭିତରେ ୨୫ ଫାଟକ; ସବୁ ଆର୍‌ଓବି ପ୍ରସ୍ତାବରେ ଅଟକିଛି

ବ୍ରହ୍ମପୁର ରାମନଗର ଲେବଲକ୍ରସିଂ ଅତି ସମ୍ବେଦନଶୀଳ

ଟ୍ରାକ୍‌ ଯନ୍ତ୍ରଣା: ଖଲ୍ଲିକୋଟରୁ ସୋରଳ, ୭୫ କିମି ରେଳଧାରଣା ଭିତରେ ୨୫ ଫାଟକ; ସବୁ ଆର୍‌ଓବି ପ୍ରସ୍ତାବରେ ଅଟକିଛି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ରେଳ ସୀମା ଖଲ୍ଲିକୋଟ ଷ୍ଟେସନ୍‌ରୁ ଆରମ୍ଭ ହୋଇ ଆନ୍ଧ୍ର ସୀମାବର୍ତ୍ତୀ ସୋରଳ ରୋଡ଼ରେ ସମାପ୍ତ ହେଉଛି। ପ୍ରାୟ ୭୫କିମି ଏହି ରେଳଧାରଣାରେ ୨୫ଟି ରେଳ ଫାଟକ ରହିଛି। ତନ୍ମଧ୍ୟରୁ ଅତି ସମ୍ବେଦନଶୀଳ ଫାଟକ ହେଉଛି ବ୍ରହ୍ମପୁର ସହର ଭିତରେ ଥିବା ରାମନଗର ଲେବଲ୍‌ କ୍ରସିଂ। ଜନବସତି ଭିତରେ ରହିଥିବା ଏହି ଫାଟକ ଦେଇ ସବୁବେଳେ ଲୋକଙ୍କ ଯାତାୟାତ ରହିଥାଏ। ଏଣୁ ଏଠାରେ ବିଗତ ଦିନରେ ନାନା ଦୁର୍ଘଟଣା ଘଟିଥିବାର ନଜିର ରହିଛି। ହେଲେ, ପ୍ରସ୍ତାବରେ ଅଟକିଛି ଆର୍‌ଓବି (ରେଲୱେ ଓଭର୍‌ବ୍ରିଜ୍‌) ର୍ମାଣ।

୧୮୯୬ରେ ବ୍ରିଟିସ୍‌ ଶାସନ ଅମଳରେ ବ୍ରହ୍ମପୁର ରେଳଷ୍ଟେସନ୍‌ ଆରମ୍ଭ ହୋଇଥିଲା। ମାଲ୍‌ ପରିବହନ ସହିତ ସୈନ୍ୟବାହିନୀ ଯାତାୟାତ ପାଇଁ ବ୍ରିଟିସ୍‌ ସରକାର ଏହି ଷ୍ଟେସନ୍‌ ପ୍ରତିଷ୍ଠା କରିଥିଲେ। ପ୍ରାୟ ୧୨୬ବର୍ଷ ଏହି ପୁରୁଣା ଷ୍ଟେସନ୍‌ ବର୍ତ୍ତମାନ ମଧ୍ୟ ସେହି ସମାନ ଅବସ୍ଥାରେ ରହିଛି। ବ୍ରିଟିସ୍‌ ଅମଳରେ ତିଆରି ହୋଇଥିବା କୋଠାରେ ରେଳଷ୍ଟେସନ୍‌ କାର୍ଯ୍ୟକ୍ଷମ କରୁଛି। ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଷ୍ଟେସନ୍‌ର ନବୀକରଣ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ କରାଯାଉ ନାହିଁ। ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ଜିଆର୍‌ପି ଥାନାର ଅବସ୍ଥା ନକହିବା ଭଲ। ଥାନା ପାଇଁ ନୂତନ କୋଠା ତିଆରି କରିବା ପାଇଁ ବହୁବାର ରେଳ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ହେଲେ, ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଜିଆର୍‌ପି ବାରାକ୍‌ ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ଥାନା ଏବେ ନିଜର ଦୟନୀୟ ସ୍ଥିତିକୁ ନେଇ ସଂଘର୍ଷ କରୁଛି।

publive-image

ବ୍ରହ୍ମପୁର ସହରରେ ୫ଟି ରେଲୱେ ଓଭର୍‌ବ୍ରିଜ୍‌ ରହିଛି। ଗୋପାଳପୁର ଜଙ୍କସନ୍‌, ଇଂଜିନିୟରିଂ ସ୍କୁଲ ଛକ, କମାପଲ୍ଲୀ, ଗୁଡ୍‌ସେଡ୍‌ ରୋଡ଼ ଓ ଗୋସାଇଁ ନୂଆଗାଁରେ ଏହି ଆର୍‌ଓବି ରହିଛି। ସର୍ବପ୍ରଥମେ କମାପଲ୍ଲୀ ଆର୍‌ଓବି ନିର୍ମାଣ ହୋଇଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଆର୍‌ଓବି ନିର୍ମାଣ କରାଯାଇଥିଲା। ସେ ସମୟରେ ରାମନଗର ଲେବଲ୍‌ କ୍ରସିଂରେ ମଧ୍ୟ ଆର୍‌ଓବି ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ, ସ୍ଥାନ ଅଭାବରୁ ସେଠାରେ ଆର୍‌ଓବି ନିର୍ମାଣ ହୋଇପାରି ନଥିଲା। ଦୀର୍ଘବର୍ଷ ପରେ ପୁଣିଥରେ ରାମନଗର ଲେବଲ୍‌ କ୍ରସିଂରେ ଆର୍‌ଓବି ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗତବର୍ଷ ପୂର୍ତ୍ତ ବିଭାଗ ତରଫରୁ ରେଳ ବିଭାଗ ନିକଟରେ ନକ୍ସା ଦାଖଲ କରାଯାଇଛି। ହେଲେ, ତାହା ମଂଜୁର ହୋଇ ନାହିଁ। ରାମନଗର ଲେବଲ୍‌ କ୍ରସିଂ ଜନଗହଳି ଅଞ୍ଚଳରେ ରହୁଥିବାରୁ ଗେଟ ପଡ଼ିଥିବା ସମୟରେ ମଧ୍ୟ ଲୋକମାନେ ଗଳି ଯାତାୟାତ କରିଥା’ନ୍ତି। ଫଳରେ, ବିଭିନ୍ନ ସମୟରେ ସେମାନେ ଟ୍ରେନ୍‌ ଧକ୍କାର ଶିକାର ହେଉଥିବା ଦେଖିବାକୁ ମିଳୁଛି। କେବଳ ରାମନଗର ନୁହେଁ, ଗଞ୍ଜାମ ଜିଲ୍ଲାରେ ଥିବା ୨୫ଟି ରେଳ ଫାଟକ ପାଇଁ ଆର୍‌ଓବି, ଅଣ୍ଡର୍‌ ପାସ୍‌ କରିବା ପାଇଁ ରେଳ ବିଭାଗକୁ ପ୍ରସ୍ତାବ ଦିଆଯାଇ ସାରିଛି। ‌ହେଲେ, ସେଥିରେ ରେଳ ବିଭାଗର ମୋହର ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe