ଯାଜପୁରସଦର: ମୌସୁମୀ ବର୍ଷାକୁ ସଭିଏଁ ଅପେକ୍ଷା କରିଥିଲେ। ମାତ୍ର ଏହା ଆସିବା ପରଠାରୁ ଆଷାଢ଼ ସାରା ଲୁଚକାଳି ଜାରି ରହିଥିଲା। ଏବେ ଶ୍ରାବଣ ପହିଲାରୁ ପ୍ରଥମ ଲଗାଣ ବର୍ଷା ଆରମ୍ଭ ହୋଇଛି। ଆଜି ଭୋର ସମୟରୁ ଦିନସାରା ବର୍ଷା ଜାରି ରହିଛି। ଏହାକୁ ନେଇ ଚାଷୀ ମହଲରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ଅନ୍ୟପଟେ ବିଭିନ୍ନ ସହରରେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଜଳଯନ୍ତ୍ରଣା ଆରମ୍ଭ ହୋଇଛି। ସରକାରୀ ତଥ୍ୟାନୁସାରେ ଆଜି ବିଂଝାରପୁରରେ ୪୪ ମିମି, ଦାନଗଦିରେ ୧୯.୫, ଦଶରଥପୁରରେ ୩୩, ଧର୍ମଶାଳାରେ ୨୦, ଯାଜପୁରରେ ୩୫, କୋରେଇରେ ୪୬.୨, ରସୁଲପୁର ୩୦ ଓ ସୁକିନ୍ଦାରେ ୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଚଳିତ ବର୍ଷ ମୌସୁମୀର ବିଳମ୍ବିତ ପ୍ରବେଶ ସହ ନିଅଣ୍ଟିଆ ବର୍ଷା ମୂଳରୁ ଚାଷୀଙ୍କୁ ଦୁଃଖୀ କରିଥିଲା। ଏମିତିକି ବହୁ ଚାଷୀ ତଳି ମଧ୍ୟ ପକାଇ ପାରିନାହାନ୍ତି। ଯେଉଁମାନେ ତଳି ପକାଇଥିଲେ, ତାକୁ ବଞ୍ଚାଇ ରଖିବାକୁ ସଂଘ​ର୍ଷ କରୁଥିଲେ। ବିଗତ ବର୍ଷରେ ଜୁଲାଇ ମାସରେ ପ୍ରବଳ ବର୍ଷାର ରେକର୍ଡ ରହିଥିଲା। ମାତ୍ର ଚଳିତ ବର୍ଷ ଜୁଲାଇ ଅଧା ହୋଇଥଲେ ବି ବର୍ଷା ନଥିଲା। ଏହା ଭିତରେ ହଠାତ ଗତକାଲି ରାତିରୁ ଜିଲ୍ଲା ସାରା ଲଗାଣ ବର୍ଷା ଜାରି ରହିଛି। ଜୁନ ୧୫ ପରଠାରୁ ଅନେକ ଚାଷୀ ବିଲରେ ତଳି ପକାଇଥିଲେ। ବର୍ଷା ଅଭାବରୁ ଅନେକ ଜାଗାରେ ତାହା ନଷ୍ଟ ହେଲା ତ ପୁଣି କେଉଁଠି ବୁଢ଼େଇଗଲା। ଏହି ବର୍ଷା ପରେ ଏବେ ଅନେକ ଚାଷୀ ରୁଆପୋତା ଆରମ୍ଭ କରିବାକୁ ଜମି ସଜିଲ କଲେଣି।
ଯାଜପୁର ଜିଲ୍ଲାର ମୋଟ ୧ ଲକ୍ଷ ୪୨ ହଜାର ୫୭୫ ହେକ୍ଟର ଚାଷ ଜମି ରହିଥିବାବେଳେ ୮୦ ପ୍ରତିଶତ ଲୋକେ ଧାନ ଚାଷ କରନ୍ତି। ଚଳିତ ବର୍ଷ ପାଖାପାଖି ୧ ଲକ୍ଷ ୯ ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ଧାନଚାଷ ହେବ ବୋଲି କୃଷି ବିଭାଗ ଲକ୍ଷ୍ୟ ରଖିଛି। ଜିଲ୍ଲାରେ ସରକାରୀ ଭାବେ ୭୯ ହଜାର ୭୮୮ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ଥିବାବେଳେ ନାଳରେ ମଧ୍ୟ ଜଳ ଯୋଗାଣ ଆରମ୍ଭ ହୋଇଛି। ଅନ୍ୟପଟେ ବର୍ଷା ଉପରେ ନିର୍ଭର କରୁଥିବା ୩୦ ହଜାର ହେକ୍ଟର ଚାଷଜମି ପାଇଁ ଏବେ ପାଣି ମିଳିଯାଇଛି। ବର୍ଷା ଦେଖି ଖୁସିରେ ଚାଷୀ ତରତର ହୋଇ ବିଲକୁ ଓହ୍ଲାଇଗଲେଣି।
ଅନ୍ୟପଟେ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ସହରାଞ୍ଚଳରେ। ବେପରୁଆ ନିର୍ମାଣ, ଜଳ ନିଷ୍କାସନ ପାଇଁ ବାଟ ନରଖିବା, ଡ୍ରେନ୍ ନିର୍ମାଣରେ ଦୁର୍ନୀତି କାରଣରୁ ଗୋଟିଏ ଦିନ ବର୍ଷାରେ ଅନେକ ସହରବଜାର ପାଣିରେ ବୁଡ଼ିଛି। ଯାଜପୁର ସହରର ବିଭିନ୍ନ ସ୍ଥାନରେ ପାଣି ଜମିରହିଛି। କୋର୍ଟ, ଜେଲ, ଟାଉନ ଥାନା, ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଆଣ୍ଠୁଏଲେଖାଏଁ ପାଣିରେ ବୁଡ଼ିଥିଲା। ତଳିଆ ଅଞ୍ଚଳରେ ମଧ୍ୟ ରାସ୍ତାଘାଟ ବୁଡ଼ିରହିଛି। ତୁହାକୁ ତୁହା ବର୍ଷା ଜାରି ରହିଥିବାରୁ ସହରବାସୀଙ୍କ ଦୁଃଖ ବଢ଼ିଛି।
Follow Us