ବୌଦ୍ଧ,: ବୌଦ୍ଧ ଥାନା ମାତାଗାଡୁ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଦୁର୍ଗମ ପାହାଡ଼ିଆ ଡଙ୍କଣି ଗାଁ’ରେ ପୁଲିସ ଚଢ଼ଉ କରି ସାଢ଼େ ୨୮ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ଜବତ କରିଛି। ଗାଁ’କୁ ପୁଲିସ ଗାଡ଼ି ପହଞ୍ଚିବା କ୍ଷଣି ସଂପୂର୍ଣ୍ଣ ଗାଁ ଜନଶୂନ୍ୟ ହୋଇ ଯାଇଥିଲା। ଫଳରେ କାହାକୁ ଗିରଫ କରାଯାଇ ପାରିନାହିଁ। ଏ ନେଇ ଥାନା କେସ୍ ନଂ. ୨୦୨/୨୩ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଏସ୍ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏସ୍ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଡଙ୍ଗଣି ଗାଁ’ରେ ପୁଲିସ୍ ଟିମ୍ ଚଢ଼ଉ କରିଥିଲା। ତେବେ ଚଢ଼ଉ ବେଳେ ଅଭିନବ ଉପାୟରେ ଗାଁ’ର ବିଭିନ୍ନ ସ୍ଥାନରେ ମାଟି ତଳେ ପ୍ଲାଷ୍ଟିକ ଡ୍ରମରେ ସଂରକ୍ଷିତ ଗଞ୍ଜେଇ ଜବତ କରାଯାଇଛି। ଏଥି ସହିତ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ମାତ୍ର ଫେରିବା ବେଳେ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ପାହାଡ଼ିଆ ରାସ୍ତାରେ ଗାଡ଼ି ସମତଳ ଅଞ୍ଚଳକୁ ଓହ୍ଲାଇବା ବେଳେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପଥର ଫାଙ୍କାରେ କୌଶଳ କରି ଲୁହା କଣ୍ଟା ପୋତା ଯାଇଥିଲା। ଫଳରେ ସମସ୍ତ ଚାରିଚକିଆ ଯାନର ଚକ ପଂକ୍ଚର ହୋଇଯାଇଥିବା ଜଣାପଡ଼ିଛି।
ପ୍ରକାଶଥାଉ କି ଜିଲ୍ଲା ପୁଲିସ ଗଞ୍ଜେଇ ପ୍ରତି ଶୂନ୍ୟ ସହନଶୀଳ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଗତ ୩ ମାସରେ ୩୪ ଟନ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୮୭ଟି ମାମଲା ରୁଜୁ ​ହୋଇଛି। ୮୯ ଜଣ ଗିରଫ ହୋଇ ଜେଲ ଯାଇଛନ୍ତି। ଚଢ଼ଉ ବେଳେ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ବି ଜବତ ହୋଇଛି। ଚୋରାଚାଲାଣ ମାମଲାରେ ୩୦ଟି ବାଇକ, ୬ଟି କାର, ୩ଟି ପିକ୍ଅପ୍ ଭ୍ୟାନ, ୨ଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ ହୋଇଥିବା ଶ୍ରୀ ଗୁରୁ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସହ ବୌଦ୍ଧ ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକ ଓ ଏସ୍ଆଇ ତପନ ସ୍ବାଇଁ ଉପସ୍ଥିତ ଥିଲେ।
Follow Us