ଶିଳ୍ପ ରାଜଧାନୀକୁ ସେତୁ ସଙ୍କଟ, ଭୂଇଁରୁ ଉଠିପାରୁନି ଦ୍ବିତୀୟ ବ୍ରାହ୍ମଣୀ ସେତୁ

ଶିଳ୍ପ ରାଜଧାନୀକୁ ସେତୁ ସଙ୍କଟ, ଭୂଇଁରୁ ଉଠିପାରୁନି ଦ୍ବିତୀୟ ବ୍ରାହ୍ମଣୀ ସେତୁ

କବାଟବନ୍ଧ: ଶିଳ୍ପ ରାଜଧାନୀ କଳିଙ୍ଗନଗରକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଡୁଥିବା ୬୦ ବର୍ଷର ବ୍ରାହ୍ମଣୀ ସେତୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦ୍ବିତୀୟ ବ୍ରାହ୍ମଣୀ ସେତୁ ପାଇଁ ବାରମ୍ବାର ଆନ୍ଦୋଳନ ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦ୍ବିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଠିକାସଂସ୍ଥା ଏମ୍ଏସ୍‌ ଆଇଏଲ ଦ୍ବାରା କରାଯାଉଛି। ମାତ୍ର ୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଭୂଇଁରୁ ଉଠିପାରୁନି ସେତୁ କାର୍ଯ୍ୟ। ଟେଷ୍ଟ ପାଇଲ ସରିଯାଇ ଏବଂ ଆଙ୍କର ପାଇପ୍ ଚାଲିଛି ହେଲେ ଲୋଡ ଟେଷ୍ଟ ହୋଇ ପାରିନି। ସେତୁ ନିର୍ମାଣ ପାଇଁ ୩ରୁ ୪ ବର୍ଷ ଅବଧି ଲାଗିବ ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ପିଲାର ହୋଇପାରିଲା ନାହିଁ । ଆଗକୁ ବର୍ଷାଋତୁ ଆସୁଥିବାରୁ ପ୍ରାୟ ୩ ମାସ କାମ ହୋଇପାରିବ ନାହିଁ।

ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟରେ ଥିବା ୬୦ ବର୍ଷର ପୁରୁଣା ବ୍ରାହ୍ମଣୀ ସେତୁ ଉପରେ ପ୍ରତ୍ୟହ ବିଭିନ୍ନ ଜିଲ୍ଲାରୁ ଶହଶହ ଭାରୀଯାନ ଯାତାୟତ ହେବା ସହ ଶିଳ୍ପରାଜଧାନୀ କଳିଙ୍ଗନଗରରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଶତାଧିକ ଭାରୀଯାନ ପରିବହନ କରାଯାଉଛି। ଢେଙ୍କାନାଳ, ଯାଜପୁର, କେନ୍ଦୁଝର ତଥା ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ଖଣିଖାଦାନରୁ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ୍ ଏବଂ କଳାପଥର ପରିବହନ ହେଉଛି। ଏହାଛଡା ବିଭିନ୍ନ ଜିଲ୍ଲାରୁ ୮୦ରୁ ଅଧିକା ଯାତ୍ରୀବାହୀ ବସ ସମେତ ହଜାର ହଜାର ୪ ଚକିଆ ଯାନ ଓ ବାଇକ ଯାତାୟତ କରୁଛି। ଯାହାଦ୍ବାରା ରାଜ୍ୟ ତଥା କେନ୍ଦ୍ର ସରକାର କୋଟିକୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବ୍ରାହ୍ମଣୀ ସେତୁ ଭୁଶୁଡ଼ି ପଡ଼ିବାର ଆାଙ୍କା ଥିବାବେଳେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ପାଇଁ କାହାର ଚିନ୍ତା ନାହିଁ।

ଏ ୫ଶହ କୋଟି ବ୍ୟୟ ବରାଦରେ ଚଣ୍ତିଖୋଲ–ଡୁବୁରି ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ୫ ବର୍ଷ ହେଲା ଚାଲିଥିଲେ ସୁଦ୍ଧା ଏହା ସରିବାର ନାଁଗନ୍ଧ ଧରୁନି। ଇତିମଧ୍ୟରେ ୩ ଟି ଠିକାସଂସ୍ଥା ବଦଳି ହୋଇଥିଲା ବେଳେ ରାସ୍ତା କାମ ସରିବାକୁ ଆଉ କେତେବର୍ଷ ଲାଗିବ ସେ ସୂଚନା କାହାପାଖରେ ନାହିଁ। ରାସ୍ତା ତଥା ପୋଲ କାର୍ଯ୍ୟ ବିଳମ୍ବ ନେଇ ଏନ୍ଏଚ଼ଏଆଇର ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ। ଦ୍ବିତୀୟ ବ୍ରାହ୍ମଣୀ ସେତୁର ବିଳମ୍ବ ସଂପର୍କରେ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe