ପାଞ୍ଚ ମାସ ପରେ ବି ଡିଏଚଏଚର ଦ୍ବିତୀୟ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନି

ପାଞ୍ଚ ମାସ ପରେ ବି ଡିଏଚଏଚର ଦ୍ବିତୀୟ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନି

ଜୟପୁର: ଗତ ୫ ମାସ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପେସର୍ ସ୍ୟୁଇଙ୍ଗ ଅଡଜରପସନ୍ (ପିଏସ୍ଏ) ଅକ୍ସିଜେନ୍ ପ୍ଲାଣ୍ଟ ଓ ଲିକ୍ୟୁଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲଏମ୍ଓ) ପ୍ଲାଣ୍ଟ ଖରାପ ହୋଇଥିଲା। ୨ମାସ ତଳେ ପିଏସଏ ତିଆରି ହେଲା କିନ୍ତୁ ଏ ପର୍ଯ୍ୟନ୍ତ ଏଲଏମଓ ପ୍ଲାଣ୍ଟ ମରାମତି ହୋଇ ନ ପାରି ଖତ ଖାଇବାକୁ ଲାଗିଲାଣି। ସୂଚନା ଅନୁଯାୟୀ, କୋଭିଡ୍ ସଂକ୍ରମଣ ସମୟରେ ଅକ୍ସିଜେନ ସିଲଣ୍ଡରର ଅଭାବ ସମଗ୍ର ଦେଶରେ ଦେଖାଦେଇଥିଲା। ଏହାକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପୃଥକ ପୃଥକ ଭାବେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିଥିଲେ। ଏହି କ୍ରମରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଏହି ଦୁଇ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଗତ ୫ମାସ ତଳେ ଅଚାନକ ଭାବେ ଦୁଇଟି ଯାକ ପ୍ଲାଣ୍ଟର ଯନ୍ତ୍ରାଂଶ ଖରାପ ହୋଇଥିଲା।

ଏହାର ମରାମତି ପାଇଁ ଡିଏଚଏଚ୍ କର୍ତ୍ତୃପକ୍ଷ ବାରମ୍ବାର କଂପାନୀଗୁଡିକୁ ଚିଠି କରିଥିଲେ। ଉଭୟ କଂପାନୀର ବୈଷୟିକ କର୍ମଚାରୀ ଆସିଥିଲେ। ପିଏସଏ ପ୍ଲାଣ୍ଟକୁ ସଜାଡ଼ିଥିଲେ। ତେବେ ଏ ଯାଏଁ ଏଲଏମଓ ପ୍ଲାଣ୍ଟକୁ ସଜାଡ଼ିବା ସମ୍ଭବପର ହୋଇନି। ଏଥିରେ ଥିବା ଗୋଟିଏ ଯନ୍ତ୍ରାଂଶ ମିଳୁନଥିବାରୁ ଏହାକୁ ସଜଡ଼ାଯାଇନଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ସୂଚନା ମିଳିଛି। ସଂପ୍ରତି ଗୋଟିଏ ପ୍ଲାଣ୍ଟରୁ ହିଁ ଅସ୍ତ୍ରୋପଚାର କକ୍ଷ(ଓଟି), ସଦ୍ୟ ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏସଏନସିୟୁ), ପୁରୁଷ, ମହିଳା ଅନ୍ତଃବିଭାଗ, ସର୍ଜରୀ, ଶିଶୁ, ଅସ୍ଥିଶଲ୍ୟ ଓ ଜରୁରୀ ବିଭାଗକୁ ପାଇପ ଯୋଗେ ଅକ୍ସିଜେନ୍ ଯୋଗାଯାଉଛି। ତେବେ ୨ଟି ପ୍ଲାଣ୍ଟ ଚାଲିଲେ ଗୋଟିଏ ପ୍ଲାଣ୍ଟ ଉପରେ ଯେଉଁ ପରିମାଣର ଚାପ ପଢ଼ୁଛି ତାହା କମି ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe