ଚେକ୍‌ଡ୍ୟାମ୍‌ରେ ସଟର୍‌ ଲଗାଇବାକୁ ଦାବି

Advertisment

୧୫ ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହେବା ଆଶଙ୍କା, ଆନ୍ଦୋଳନ ଚେତାବନୀ

୧୫ ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହେବା ଆଶଙ୍କା, ଆନ୍ଦୋଳନ ଚେତାବନୀ

ଚେକ୍‌ଡ୍ୟାମ୍‌ରେ ସଟର୍‌ ଲଗାଇବାକୁ ଦାବି

Sambad

ମାହାଙ୍ଗା: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାହାଙ୍ଗା ବ୍ଲକ୍‌ ଦେଇ ପ୍ରବାହିତ ଗୋବରୀ ନଦୀର ବାରବାଟୀ ଜହଳରେ ନିର୍ମାଣ କରାଯାଇଥିବା ଚେକ୍‌ଡ୍ୟାମ୍‌ରେ ସଟର୍‌ ଲଗାଯାଇ ନ ଥିବାରୁ ୧୫ ହଜାର ଏକର ଚାଷଜମି ଜଳମଗ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚେକ୍‌ଡ୍ୟାମ୍‌ରେ ଯଥାଶୀଘ୍ର ସଟର୍‌ ଲଗା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ପ୍ରକାଶଥାଉ କି, ସାମାନ୍ୟ ବର୍ଷା ହେଲେ ଗୋବରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନଦୀର ବାରବାଟୀ ଜହଳ ଓ ଗୋବିନ୍ଦପୁର ମୁହାଣରେ ଚେକ୍‌ଡ୍ୟାମ୍‌ କରିବା ଏବଂ ଦୁଇ ବନ୍ଧକୁ ସ୍ପଲ୍‌ ପ୍ୟାକିଂ କରିବା ପାଇଁ ୨ କୋଟି ୧୬ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। ଠିକାଦାରଙ୍କ ମାଧ୍ୟମରେ ଏହି କାର୍ଯ୍ୟ ନିମନ୍ତେ ଡ୍ରେନେଜ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଗୋବିନ୍ଦପୁର ଓ ବାରବାଟୀ ଜହଳରେ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଛି। ହେଲେ, ଗୋବିନ୍ଦପୁର ଚେକ୍‌ଡ୍ୟାମ୍‌ରେ ସଟର ଲାଗିଥିବା ବେଳେ ବାରବାଟୀ ଜହଳରେ ସଟର ଲାଗି ନ ଥିବା ସୂଚନା ମିଳିଛି। ଫଳରେ ମାହାଙ୍ଗା ବ୍ଲକ୍‌ର ଚାହାପଡ଼ା, ପଲ୍ଲୀସାହି, ଜଳେଶ୍ବରପୁର, ରାହାଣିଆ ଓ ମାହାଙ୍ଗା ପଞ୍ଚାୟତର ପ୍ରାୟ ୧୫ ହଜାର ଏକର ଚାଷଜମି ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି। ଏହି ନିର୍ମାଣକାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି ବୋଲି ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ପଥର ପ୍ୟାକିଂ ଠିକ୍‌ ଭାବେ କରାଯାଇ ନ ଥିବାରୁ ପାଣି ଆସିଲେ ଏହା ଭୁଶୁଡ଼ି ଯିବାର ଆଶଙ୍କା ରହିଛି।

ସେହିପରି ବିଭିନ୍ନ ସ୍ଥାନରେ ହୋଇଥିବା ଗାର୍ଡ ୱାଲ ଫାଟି ଥିବା ଦେଖିବାକୁ ମିଳିଛି। ଚେକ୍‌ଡ୍ୟାମ୍‌ର ଦୁଇ ପାର୍ଶ୍ବ ବନ୍ଧ ନିଚା ଥିବାରୁ ଅଳ୍ପ ବର୍ଷା ପରେ ଜହଳ ଶ୍ମଶାନ ନିକଟ ୨୦୦ମିଟର ଦୂରତାରେ ପାଣି ଚାଲୁଥିବା ଚାଷୀମାନେ କହିଛନ୍ତି। ଏଥିସହ ନାମକୁମାତ୍ର ସଫେଇ କାର୍ଯ୍ୟ କରାଯାଇଥିବା ନେଇ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଆଜି ବାରବାଟୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ସହ ୭ ଦିନ ଭିତରେ ଚେକ୍‌ଡ୍ୟାମ୍‌ରେ ଲୁହା ସଟର ଲଗାଇବାକୁ ଚାଷୀମାନେ ଦାବି କରିଛନ୍ତି। ସମସ୍ୟାର ସମାଧାନ ନ ହେଲେ ଚାଷୀମାନେ ବାଧ୍ୟ ହୋଇ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥ ଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ରନାଥ ସୁନ୍ଦରାୟ, ଅଭିମନ୍ୟୁ ବେହୁରା, ସରୋଜ ଜେନା, ନବୀନ ବେହେରା, ସୁଧାଂଶୁ ଶେଖର ବେହେରା, ପ୍ରଶାନ୍ତ ମିଶ୍ର, ବିଜୟ ବେହୁରା, ନୀଳମଣି ପରିଡ଼ା, ଅକ୍ଷୟ ବେହେରା, ସନାତନ ବେହୁରା, ବାନାମ୍ବର ବାରିକ, ଅଜୟ ବାରିକ, ଜଳଧର ବେହୁରା, ଅନୋଜ ବାରିକ, ତାପସ ଦାସ, ଅଶ୍ବିନୀ ପଣ୍ଡା, କାଳନ୍ଦୀ ବାରିକଙ୍କ ସମେତ ବହୁ ଚାଷୀ ‌ଘୋଷଣା କରିଛନ୍ତି। ଏ ସଂପର୍କରେ କଟକ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀ ଉମେଶ ଦାଶଙ୍କୁ ଯୋଗାଯୋଗ କରିବାରୁ ସପ୍ତାହକ ଭିତରେ ସଟର୍‌ ଲଗାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe