image source-new indian express
ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଯାତ୍ରା ପଞ୍ଚାୟତର ଶୁକଡ଼ଳା, ଯାତ୍ରା, ଅଡ଼ାଳ, ଧାନଗଦୀ ଆଦି ଗ୍ରାମରେ ସ୍ବାସ୍ଥ୍ୟ କାର୍ଡ, ଇଶ୍ରମ କାର୍ଡ, କାଳିଆ ଯୋଜନା ଭଳି ସରକାରୀ ଯୋଜନାରେ ସାମିଲ କରାଇଦେବା ନାଁରେ ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍ ଏବଂ ଟିପଚିହ୍ନ ନେଇ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହରିଚନ୍ଦନପୁର ଥାନା ପଳାସପାଳ ଅଞ୍ଚଳର କୁଳମଣି ପାତ୍ର, କେନ୍ଦୁଝର ଟାଉନ୍ ଥାନା ଅଞ୍ଚଳର ବଳରାମ ପାତ୍ର ଓ ଗୌରୀଶଙ୍କର ପାତ୍ର। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ନଭେମ୍ବର ୧୦ ତାରିଖରେ କୁଳମଣି ଏବଂ ବଳରାମ ସ୍ବାସ୍ଥ୍ୟକାର୍ଡ କରାଇଦେବା ଉଦ୍ଦେଶ୍ୟରେ ଧାନଗଦୀ ଗ୍ରାମର ଅରୁଣ କୁମାର ବେହେରାଙ୍କ ପତ୍ନୀ ହୀରାମଣି ବେହେରାଙ୍କଠାରୁ ଆଧାରକାର୍ଡ, ବ୍ୟାଙ୍କ ପାସ୍ବୁକ୍ର ଫଟୋକପି ଏବଂ ରାସନକାର୍ଡ ନମ୍ବର ମାଗି ନେଇଥିଲେ। ଏପରିକି ହୀରାମଣିଙ୍କ ଟିପଚିହ୍ନ ସ୍କାନ୍ କରି ମଧ୍ୟ ନେଇଥିଲେ। ହୀରାମଣିଙ୍କ ମୋବାଇଲକୁ ଓଟିପି ପଠାଇଥିଲେ। ଉକ୍ତ ଓଟିପି ନମ୍ବର ମାଗି ନେଇଥିଲେ। ପରେ ହୀରାମଣି ଏବଂ ତାଙ୍କ ସ୍ବାମୀଙ୍କ ନାମରେ ଦୁଇଟି ଜାଲ୍ ସ୍ବାସ୍ଥ୍ୟକାର୍ଡ ତିଆରି କରି ହ୍ବାଟ୍ସଆପ୍ରେ ପଠାଇଥିଲେ। ଘରେ ଗ୍ୟାସ୍ ସରିଯିବାରୁ ଡିସେମ୍ବର ୬ ତାରିଖରେ ଧାନଗଦୀସ୍ଥିତ ଜନସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ ହୀରାମଣି। ସେଠାରେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ।
ଏନେଇ ହୀରାମଣି ସ୍ଥାନୀୟ ସରପଞ୍ଚ ବାବୁଲି ମୁଣ୍ଡାଙ୍କୁ ଜଣାଇଥିଲେ। କେବଳ ହୀରାମଣି ନୁହନ୍ତି ବଳରାମ ଓ କୁଳମଣିଙ୍କୁ ବିଭିନ୍ନ କାଗଜପତ୍ରର ଫଟୋକପି ଓ ଟିପଚିହ୍ନ ଦେଇଥିବା ବହୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିବା ଜଣାପଡ଼ି ଥିଲା। ଏ ସମ୍ପର୍କରେ ଆଖପାଖ ଅଞ୍ଚଳର ବହୁ ଲୋକେ ସ୍ଥାନୀୟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜଣାଇଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ସଠିକ୍ ସୂଚନା ଦେଇପାରି ନଥିଲେ। ଏହି ଘଟଣା ଜାଣିବା ପରେ ଗତକାଲି ସରପଞ୍ଚ ବାବୁଲି ମୁଣ୍ଡା କୌଶଳ କରି କୁଳମଣି ଏବଂ ବଳରାମଙ୍କୁ ଯାତ୍ରା ଗାଁକୁ ଡାକିଥିଲେ। ଉଭୟ ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ଲୋକେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ନୟାକୋଟ ପୁଲିସ ପହଞ୍ଚି କୁଳମଣି ଏବଂ ବଳରାମଙ୍କୁ ଥାନାକୁ ଆଣିଥିଲା। ବାଂଶପାଳ ଫାଣ୍ଡି ଅଧିକାରୀ ସୁଶାନ୍ତମଣି ମହାନ୍ତି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି। ଏନେଇ ନୟାକୋଟ ଥାନାରେ କେସ୍ ନମ୍ବର ୬୯/୨୧ରେ ଏକ ମାମଲା ରୁଜୁ ହୋଇଛି। ଲୋକେ କିପରି ସେମାନଙ୍କ ଟଙ୍କା ଫେରି ପାଇବେ ସେନେଇ ସରପଞ୍ଚ ଶ୍ରୀ ମୁଣ୍ଡା କେନ୍ଦୁଝର ଏସ୍ପି ଓ ଜିଲ୍ଲାପାଳଙ୍କୁ ଭେଟି ଜଣାଇଛନ୍ତି।
Follow Us