Public Policy Institute of California
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଧୀନ ଝାରବେଡ଼ା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଘଟଣାରେ ବନ ବିଭାଗ ୩ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଧନୁତୀର ଜବତ କରିଛି। ଅଭିଯୁକ୍ତମାନେ ହେଲେ ତେଲକୋଇ ଥାନା ନମକାନି ଗ୍ରାମର ଯୁଗଳ ଜୁଆଙ୍ଗ (୪୦), ରଞ୍ଜନ ଜୁଆଙ୍ଗ (୨୦) ଓ ଗୋବର୍ଦ୍ଧନ ଜୁଆଙ୍ଗ (୨୫)।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତମାନେ ଜଙ୍ଗଲରେ ନିଆଁ ଲଗାଇବା ସହ ଧନୁତୀର ଧରି ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଛକି ରହିଥିଲେ। ବିମଳା ଫରେଷ୍ଟ ବିଟ୍ର କର୍ମଚାରୀମାନେ ପାଟ୍ରୋଲିଂ କରିବାବେଳେ ସେମାନଙ୍କୁ କାବୁ କରିଥିଲେ। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଫରେଷ୍ଟ ଗାର୍ଡ ସରୋଜ କୁମାର ପାତ୍ର ଆହତ ହୋଇଥିଲେ। ଏନେଇ ବନ ବିଭାଗ ପକ୍ଷରୁ କେସ୍ ନମ୍ବର ୨୪୮/ଟି ୨୦୨୦/୨୦୨୧ ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ ଧାରା ୨୭(୩)(ଏ), ୨୭(୩)(ଡି)ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ କହିଛନ୍ତି। ସୂଚନାଯୋଗ୍ୟ, ତେଲକୋଇ ବନାଞ୍ଚଳରେ ମନୁଷ୍ୟକୃତ ନିଆଁଦ୍ବାରା ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଡାକବାଜି ଯନ୍ତ୍ରଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଲେ ପୁରସ୍କୃତ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି।
Follow Us