ହୀରାକୁଦ: ହୀରାକୁଦରେ ଝାଡ଼ାବାନ୍ତିରେ ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଝାଡ଼ାବାନ୍ତି ପ୍ରଥମେ କାଲୁପଡ଼ା ନିବାସୀ ଟିକେଶ୍ବର ନାୟକଙ୍କ ଜୀବନ ନେଇଥିଲା। ଏହା ପରେ ଆଉ ଜଣେ ଆକ୍ରାନ୍ତ ଭେଜରାପାଲିର ଯୁଧିଷ୍ଠିର ଧରୁଆ ପ୍ରାଣ ହରାଇଥିଲେ। ଆଜି ପୁଣି ସହରର ନୂଆବଜାର ମେହେନ୍ତରପଡ଼ା ଅଞ୍ଚଳର ଯମୁନା ବେହେରା(୬୦)ଙ୍କ ମୃତ୍ୟୁ ଘଟିଛି।
ଉଲ୍ଳେଖଯୋଗ୍ୟ ଯେ, ହୀରାକୁଦରେ ଗତ ୧୭ ତାରିଖରେ ପ୍ରଥମେ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ୩ ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରନ୍ତ ହୋଇ ହୀରାକୁଦ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ପରେ କିନ୍ତୁ ଏହା ବଢ଼ିବାରେ ଲାଗିଥିଲା। ହୀରାକୁଦ ଡାକ୍ତରଖାନାରେ ୱାର୍ଡ଼ରେ ରୋଗି ସଂଖ୍ୟା ବୃଦ୍ଧି ହେବା ପରେ ବାରଣ୍ଡାରେ ଶଯ୍ୟା ପକାଇ ଚିକିତ୍ସା କରାଯାଉଥିଲା। ଦୂଷିତ ପାଇପ୍ ପାଣି ପିଇବା ଯୋଗୁ ସହରରେ ଝାଡ଼ାବାନ୍ତି ବ୍ୟାପିଥିବା କହାଯାଉଛି। ପୂର୍ବାପେକ୍ଷା ଆକ୍ରାନ୍ତ ହାର ହ୍ରାସ ପାଇଥିଲେ ବି ଆଜି ୩ ଜଣ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପଟେ ଆଶା କର୍ମୀ, ଡାକ୍ତରଖାନା କର୍ମଚାରୀ ଘରକୁ ଘର ଯାଇ ଔଷଧ ବିତରଣ କରୁଛନ୍ତି। ପ୍ରଶାସନ ଡାକବାଜି ଯନ୍ତ୍ରରେ ସହରରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ମୋବାଇଲ ଭ୍ୟାନ୍ ଯୋଗେ ଡାକ୍ତରୀ ଦଳ ଘରକୁ ଘର ଯାଇ ଚିକିତ୍ସା ମଧ୍ୟ କରୁଛନ୍ତି। ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ସହରର ସମସ୍ତ ଅଞ୍ଚଳ ବୁଲି ପାଣି ପାଇପ୍ ଯାଂଚ କରୁଥିବା ଦେଖିବାକୁ ମିଳିଛି। ନାଳି ଭିତରେ ଯାଇଥିବା ପାଇପ୍ ଗୁଡିକୁ ବାହାର କରାଯାଉଛି।
Follow Us