Image Courtesy of India.com
ଝୁମ୍ପୁରା/ଦଶରଥପୁର/ସମ୍ବଲପୁର: ଲଗାଣ ବର୍ଷା ସାଜିଲା କାଳ | କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ନହବେଡ଼ା ପଞ୍ଚାୟତ ଘୁଣ୍ଟିପଶି ଗ୍ରାମରେ ମାଟି କାନ୍ଥ ପଡ଼ିଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀମତୀ ଲୋହାର (୭୦)। ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଓଦା ହୋଇ ଭୁଶୁଡ଼ି ପଡ଼ିଥିଲା। ବୃଦ୍ଧା ଶ୍ରୀମତୀ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ। ଝୁମ୍ପୁରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କାନ୍ଥ ତଳୁ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ଝୁମ୍ପୁରା ଥାନାରେ କେସ୍ ନମ୍ବର ୧୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଈଶ୍ବରପୁର ଗାଁର ସଦାବ୍ରତ ନାଳରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଈଶ୍ବରପୁର ଗ୍ରାମର ଶ୍ୟାମସୁନ୍ଦର ଜେନା (୫୨)। ଗତକାଲି ଅପରାହ୍ଣରେ ଶୌଚ ପାଇଁ ସେ ସଦାବ୍ରତ ନାଳକୁ ଯାଇଥିବା ବେଳେ ବର୍ଷା ପାଣିରେ ପୂରିଥିବା ନାଳରେ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଶ୍ୟାମସୁନ୍ଦର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ସେ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ମଙ୍ଗଳପୁର ପୁଲିସ ପହଞ୍ଚି ତାଙ୍କୁ ପାଣିରୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ବଲପୁର ଧନୁପାଲି ଥାନା ମୋତିଝରଣ କ୍ଷେତିପଡ଼ା ଠାରେ ପାଣିରେ ବୁଡ଼ି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୋତିଝରଣ କ୍ଷେତିପଡ଼ାର ମହମ୍ମଦ ମିଣ୍ଟୁ ଓ ରାନୀ ପରବୀନଙ୍କ ପୁଅ ମହମ୍ମଦ ତହସିଫ୍(୪)। ଘର କାମ କରିବା ପାଇଁ ଜଣେ ବ୍ୟକ୍ତି ଗାତ ଖୋଳି ଦେଇ ଛାଡ଼ି ଦେଇଥିବା ବେଳେ ବର୍ଷା ପାଣିରେ ସେଗୁଡ଼ିକ ଭର୍ତ୍ତି ହୋଇଯାଇଥିଲା। ସେହି ପାଣିରେ ବୁଡ଼ିଯାଇ ତହସିଫ୍ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ତହସିଫ୍ ବୁଧବାର ଅପରାହ୍ଣ ୫ଟା ପାଖାପାଖି ନିଖୋଜ ଥିଲେ। ତାଙ୍କୁ ପଡ଼ାବାସୀ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ସନ୍ଧ୍ୟା ସାଢ଼େ ୭ଟା ସମୟରେ ସେହି ଖାଲରେ ତହସିଫ୍ ଭାସୁଥିବା ଦେଖି ସ୍ଥାନୀୟ ଲକେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେଠାରେ ଖାଲ ଖୋଳିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ପଡ଼ାବାସୀ ଦାବି କରିଛନ୍ତି। ପଡ଼ାବାସୀଙ୍କ କହିବା ଅନୁଯାୟୀ, ଉକ୍ତ ଖାଲ ନିକଟରେ ପୂର୍ବରୁ ମଧ୍ୟ ଏକାଧିକ ଥର ଅଘଟଣ ଘଟିଛି। ଅଳ୍ପକେ ଶିଶୁମାନେ ବର୍ତ୍ତି ଯାଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଖାଲ ବନ୍ଦ କରିବା କିମ୍ବା ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। କିନ୍ତୁ ୬ ମାସରୁ ଅଧିକ ସମୟ ହେବ ପାଖାପାଖି ୧୨ ଫୁଟର ଖାଲ ଖୋଳିଦେଇ ବ୍ୟକ୍ତି ଜଣକ କୃତ୍ରିମ ବିପଦ ସୃଷ୍ଟି କରୁଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରାଯାଇଛି।
ଅନ୍ୟପଟେ ଯାଜପୁର ଓଲେଇପଡାରେ ବନ୍ୟାଜଳରେ ଭାସି ଯୁବକଙ୍କ ମୃତ୍ୟୁ ହୋଇଛି | ମୃତକ ହେଲେ ଓଲେଇପଡା ଗ୍ରାମର ଅଖିଆ ନାୟକ | ସେ ଯାଜପୁର ବୈତରଣୀ ଶାଖା ନଦୀ ବୁଢାରେ ଭାସି ଯାଇଥିଲେ |
Follow Us