ଟିଟିଲାଗଡ଼: ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକରୁ କିଛିଦିନ ତଳେ ଲୁଟ୍ ହୋଇଥିବା ୩ ଲକ୍ଷ ଟଙ୍କାରୁ ପୁଲିସ ୧ଲକ୍ଷ ୯୪ ହଜାର ୭୫୦ ଟଙ୍କା ଗଞ୍ଜାମରୁ ଉଦ୍ଧାର କରିଛି। ହେଲେ ପୁଲିସ ଚଢ଼ଉ ସମୟରେ ଦୁଇ ଲୁଟେରା ଖସି ପଳାଇଥିଲେ। ଉଦ୍ଧାର ଟଙ୍କାକୁ ଲୁଟ୍ର ଶିକାର ହୋଇଥିବା ନବନୀତ ଜୈନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଏସ୍ଡିପିଓ ଅଙ୍କିତା କୁମ୍ଭାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କିଛିଦି ତଳେ ପୁରୁଣା ବ୍ୟାଙ୍କ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଶାଖାରୁ ନବନୀତ ତାଙ୍କ ଔଷଧ ଦୋକାନ ପାଇଁ ୩ ଲକ୍ଷ ଟଙ୍କା ଉଠାଇ ସାମନାରେ ଥିବା ଗଣେଶ ମନ୍ଦିରରେ ମୁଣ୍ଡିଆ ମାରୁଥିଲେ।
ଏହି ସମୟରେ ଦୁଇଜଣ ଲୁଟେରା ଏକ ବାଇକ୍ରେ ଆସି ଟଙ୍କାବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ନବନୀତଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏସ୍ପିଙ୍କ ନିର୍ଦେଶରେ ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ନରେନ୍ଦ୍ର ଛତର, ଏଏସ୍ଆଇ କାର୍ତିକ ପ୍ରଧାନ ପ୍ରମୁଖଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ବ୍ୟାପକ କରାଯାଇଥିଲା। ଲୁଟେରା ଦ୍ବୟ ଗଞ୍ଜାମ ଅଞ୍ଚଳର ବୋଲି ଜାଣିବା ପରେ ପୁଲିସ ଟିମ୍ ସେଠାକୁ ଯାଇ ଚଢ଼ଉ କରିଥିଲା। ଫେରାର ଲୁଟେରାମାନବହୁ ଶୀଘ୍ର କାବୁ କରାଯିବ ବୋଲି ଏସ୍ଡିପିସ କହିଛନ୍ତି।
Follow Us