ପୂଜାରୀଗୁଡ଼ା ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ, ଚଞ୍ଚକତା କରି କିଣାଗଲା ୩୦୦ କୁଇଣ୍ଟାଲ ଧାନ

ପୂଜାରୀଗୁଡ଼ା ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ, ଚଞ୍ଚକତା କରି କିଣାଗଲା ୩୦୦ କୁଇଣ୍ଟାଲ ଧାନ

Photo: Jagran

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁରି: ଚାଷୀମାନେ ଯେମିତି ସୁବିଧାରେ ଧାନ ବିକ୍ରୟ କରିିବେ ଏବଂ ଧାନର ଉଚିତ ଦର ପାଇ ପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ମଣ୍ଡି ବ୍ୟବସ୍ଥା କରାଯାଇଛି। ତେବେ କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ତେନ୍ତୁଲିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ଧାନ ମଣ୍ଡିରୁ । ଏହି ମଣ୍ଡିରେ ଚଞ୍ଚକତା କରାଯାଇ ପରିଚାଳନା ନିର୍ଦ୍ଦେଶକଙ୍କ ଅଜାଣତରେ ୩୦୦ କୁଇଣ୍ଟାଲ ଧାନ କିଣାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ଲେମ୍ପସ ଅଧୀନରେ ପୂଜାରୀଗୁଡ଼ା, ଲମତାଗୁଡ଼ା ଏବଂ ମଞ୍ଚାଗାଁରେ ଧାନ ମଣ୍ଡିର ବ୍ୟବସ୍ଥା କରାଯାଇଛି। ପୂଜାରୀଗୁଡ଼ାଠାରେ ରବିବାର ଓ ମଙ୍ଗଳବାର, ଲମତାଗୁଡା ଠାରେ ଗୁରୁବାର ଏବଂ ମଞ୍ଚାଗାଁ ଠାରେ ଶୁକ୍ରବାର ଦିନ ମଣ୍ଡି ଖୋଲାଯାଉଛି।

ପ୍ରକୃତ ଚାଷୀ ଧାନ ଅମଳ କରି ବିକ୍ରି ପାଇଁ ଡହଳ ବିକଳ ହେଉଥିବା ବେଳେ ଲେମ୍ପସର କିଛି ଅସାଧୁ କର୍ମଚାରୀ, ମିଲର ଓ ଦଲାଲଙ୍କ ସହ ସଲାସୁତୁରା କରି ଧାନ କ୍ରୟ କରୁଛନ୍ତି।

ତେବେ ଗତ ୫ ତାରିଖ (ରବିବାର) ଦିନ ପୂଜାରୀଗୁଡ଼ା ମଣ୍ଡିରେ ଧାନ କିଣାଯିବାର ଯୋଜନା ଥିବା ବେଳେ ବର୍ଷା ପାଗକୁ ଦୃଷ୍ଟିରେ ରଖି ସେଦିନ ଉକ୍ତ ମଣ୍ଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ଲେମ୍ପସ କର୍ତ୍ତୃପକ୍ଷ ନୋଟିସ ଜାରି କରିଥିଲେ। ଚାଷୀମାନେ ମଧ୍ୟ ବନ୍ଦ ଖବର ଶୁଣି ମଣ୍ଡିକୁ ଧାନ ଆଣି ନ ଥିଲେ। କିନ୍ତୁ ମଣ୍ଡି ବନ୍ଦ ଥିବା ସତ୍ତ୍ୱେ ଲେମ୍ପସରେ କାର୍ଯ୍ୟରତ ଡିଇଓ ମହେଶ୍ୱର ନାୟକ ପରିଚାଳନା ନିର୍ଦ୍ଦେଶକଙ୍କ ଅଜାଣତରେ ୩୦୦ କୁଇଣ୍ଟାଲ ଧାନ କିଣା ଯାଇଥିବା ଦର୍ଶାଇଛନ୍ତି। ଲେମ୍ପସରେ କାର୍ଯ୍ୟରତ କୋଷାଧ୍ୟକ୍ଷ ରାମକୃଷ୍ଣ ପାଢ଼ୀଙ୍କ ପତ୍ନୀ ପରମିତା ସାବତଙ୍କ ନାମରେ୧୪୩ କୁଇଣ୍ଟାଲ, ଦିଗିସଲପା ଗ୍ରାମର ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ନାମରେ ୧୦୦ କୁଇଣ୍ଟାଲ ଏବଂ ଶିବଶଙ୍କର ପ୍ରଧାନଙ୍କ ନାମରେ ୫୮ କୁଇଣ୍ଟାଲ ଧାନ କିଣା ଯାଇଥିବା ଅନଲାଇନ୍‌ରେ ଦର୍ଶାଯାଇଛି।

ତେବେ ଚାଷୀଙ୍କ ଆଇ ସ୍କାନର ହୋଇ ନ ଥିବା ଜଣାପଡ଼ିଛି। ମଣ୍ଡି ବନ୍ଦ ଥିବା ଦିନ ମଣ୍ଡିକୁ ଧାନ ନ ଆସୁଣୁ ୩୦୦ କୁଇଣ୍ଟାଲ ଧାନ କେମିତି କିଣା ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଡିଇଓ ମହେଶ୍ୱର ନାୟକଙ୍କୁ ପଚରାଯିବାରୁ ସେ ନିଜର ଭୁଲକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଲେମ୍ପସର କୋଷାଧ୍ୟକ୍ଷ ରାମକୃଷ୍ଣ ପାଢ଼ୀଙ୍କ ଚାପରେ ପଡ଼ି ମଣ୍ଡି ବନ୍ଦ ଥିବା ଦିନ ୩୦୦ କୁଇଣ୍ଟାଲ ଧାନ କିଣାଯାଇଥିଲା। ଅନ୍ୟପଟେ ଲେମ୍ପସ ବୋର୍ଡ ସଭାପତି ଅଖିଳ ଭତରା ଏମିତି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe