Photo: Deccan Chronicle
ବରଗଡ଼: ତେଲେଙ୍ଗାନାରୁ ୩୩ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏମାନେ ସମସ୍ତେ ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳର ବୋଲି ଜଣାଯାଇଛି। ଓଡ଼ିଶା ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯିବା ପରେ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଅଣାଯାଇଛି।
ସୂଚନା ଅନୁସାରେ ପାଇକମାଳ ବ୍ଲକର ୩ରୁ ୪ଟି ଗାଁର ୨୨ ଜଣ ଶ୍ରମିକ ତେଲେଙ୍ଗାନା ରାଜ୍ୟର ଏକ ଇଟା ଭାଟିରେ କାମ କରୁଥିଲେ। ଏମାନେ ସାଥିରେ ନିଜର ୧୧ ଜଣ ଶିଶୁଙ୍କୁ ନେଇଯାଇଥିଲେ। ଇଟାଭାଟିରେ କାମ କରୁଥିବା ବେଳେ ସେମାନେ ମାଲିକଙ୍କ ଠାରୁ ଅକଥନୀୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଥିଲେ। ଶ୍ରମିକମାନଙ୍କୁ ଠିକଭାବେ ଖାଇବାକୁ ମଧ୍ୟ ମିଳୁ ନଥିଲା। ସେହିଭଳି ଇଟାଭାଟି ମାଲିକ ଠିକ୍ଭାବେ ପାରିଶ୍ରମିକ ମୂଳକ ଟଙ୍କା ଦେଉ ନଥିଲା।
ଇଟାଭାଟି ମାଲିକଙ୍କ ଠାରୁ ନିର୍ଯାତନା ପାଇବା ପରେ ଓଡ଼ିଆ ଶ୍ରମିକମାନେ ଏକ ଭିଡିଓ ପ୍ରସ୍ତୁତ କରି ୪ ଦିନ ତଳେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ଏହା ପରେ ବରଗଡ଼ ଜିଲ୍ଲା ପ୍ରଶାସନ ଓଡ଼ିଶା ରାଜ୍ୟ ଶ୍ରମ କମିସନରଙ୍କୁ ଏକ ଚିଠି ଲେଖିଥିଲା। ପରେ ଓଡ଼ିଶା ସରକାର ତେଲେଙ୍ଗାନା ସରକାରଙ୍କ ସହିତ ଯୋଗାଯୋଗ କରିଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ ରୋଜଗାର ମିଳୁ ନ ଥିବାରୁ ବରଗଡ଼, ବଲାଙ୍ଗୀର, କଳହାଣ୍ଡି ଓ ନୂଆପଡ଼ା ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନାକୁ ଯାଉଛନ୍ତି। ସେଠାରେ ସେମାନେ ଇଟାଭାଟିରେ କାମ କରୁଛନ୍ତି। ଅନେକ ସମୟରେ ଦାଦନ ଶ୍ରମିକମାନେ ଇଟାଭାଟି ମାଲିକଙ୍କ ଠାରୁ ନିର୍ଯାତନା ପାଉଥିବା ଅଭିଯୋଗ ହେଉଛି।
Follow Us