୧୩ ଗାଡ଼ି ଜବତ, ୩୫ ଗୋରୁ ଉଦ୍ଧାର

୧୩ ଗାଡ଼ି ଜବତ, ୩୫ ଗୋରୁ ଉଦ୍ଧାର

Representative image

ତେଲକୋଇ/ହରିଚନ୍ଦନପୁର/ରାଇସୁଆଁ: କାଠ ବୋଝେଇ ଗାଡ଼ିକୁ ପିଛା କରିବାବେଳେ ଧରାପଡ଼ିଛି ୧୩ଟି ଗୋରୁ ବୋଝେଇ ଗାଡ଼ି। ଗାଡ଼ିରେ ଥିବା ୮ଟି ଗୋରୁ ପ୍ରାଣ ହରାଇଥିବା ବେଳେ ୩୫ଟି ଗୋରୁ ଉଦ୍ଧାର କରାଯାଇଛି। ବନ ବିଭାଗ ସହାୟତାରେ ହରିଚନ୍ଦନପୁର ‌ଓ ତେଲକୋଇ ପୁଲିସ ସମସ୍ତ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି। ମାଫିଆମାନେ ଫେରାର ହୋଇଯାଇଛନ୍ତି।

ଦୁଇଟି ଚୋରା କାଠ ବୋଝେଇ ଗାଡ଼ି ବଣେଇ ଅଞ୍ଚଳରୁ ଆସୁଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଗାଡ଼ି ଦୁଇଟିକୁ ଧରିବା ପାଇଁ ବିଭାଗ ପକ୍ଷରୁ କାଞ୍ଜିପାଣି, ବକ୍ସିବାରିଗାଁ, ତେଲକୋଇ କତରାପାଲି ଛକ ଓ ବାୟାପଣ୍ଡାଦର ନିକଟ‌ରେ ନାକାବନ୍ଦୀ କରାଯାଇଥିଲା। କାଠ ମାଫିଆମାନେ ସୂଚନା ପାଇ ସେହି ରାସ୍ତାରେ ନଆସି କାଞ୍ଜିପାଣି-ତେଲକୋଇ ପୂର୍ତ୍ତ ରାସ୍ତାରେ ଦ୍ରୁତଗତିରେ ବିମଳା, କାଳିଆହତା ଆଡ଼କୁ ପଳାଇଥିଲେ। କାଠ ବୋଝେଇ ଗାଡ଼ି ସହ ପ୍ରାୟ ୧୫ଟି ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍‌ ମଧ୍ୟ ସାମିଲ ଥିଲା। କାଠ ବୋଝେଇ ଗାଡ଼ି ଦୁଇଟି ଫେରାର ହୋଇଯାଇଥିବା ବେଳେ ୧୩ଟି ଗୋରୁ ବୋଝେଇ ଗାଡ଼ିକୁ ତେଲକୋଇ ଓ ହରିଚନ୍ଦନପୁର ପୁଲିସ ଜବତ କରିଛି।

କାଳିଆହତା ସାଆନ୍ତମୁଣ୍ଡି ଘାଟି ରାସ୍ତାରେ ୪ଟି ଗୋରୁ ବୋଝେଇ ଗାଡ଼ିକୁ ମାଫିଆମାନେ ରାସ୍ତା ମଝିରେ ରଖିଦେଇଥିଲେ। ବନ ବିଭାଗ ଅଧିକାରୀମାନେ ମାଫିଆଙ୍କୁ ପିଛା କରି ଘାଟି ରାସ୍ତାରେ ଅଟକି ଥିଲେ। ଘଟଣା ସମ୍ପର୍କରେ ତେଲକୋଇ ଓ ହରିଚନ୍ଦନପୁର ପୁଲିସକୁ ସୂଚନା ଦିଆଯାଇଥିଲା। ତେଲକୋଇ ପୁଲିସ ସାଆନ୍ତମୁଣ୍ଡି ଘାଟିରୁ ୪ଟି ଏବଂ ବିମଳା ନିକଟରୁ ଗୋଟିଏ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହିତ ୨୯ଟି ଗୋରୁ ଉଦ୍ଧାର କରିଛି। ଏଥିରୁ ୬ଟି ଗୋରୁ ପ୍ରାଣ ହରାଇଥିବା କାଳିଆହତା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ହରିଚନ୍ଦନପୁର ପୁଲିସ ପିଠାଗୋଳା ଗ୍ରାମରୁ ୪ଟି ଓ ଖରବା ଗ୍ରାମରୁ ୪ଟି ଗୋରୁ ବୋଝେଇ ଗାଡ଼ି ଜବତ କରିଛି। ସେଠାରୁ ୨୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ଗୋରୁ ପ୍ରାଣ ହରାଇଥିବା ଜଣାପଡ଼ିଛି।

ତେଲକୋଇ ପୁଲିସ ପକ୍ଷରୁ କାଳିଆହତା ଫାଣ୍ଡିରେ ଗୋରୁ ଗୁଡ଼ିକୁ ରଖାଯାଇଛି। ହରିଚନ୍ଦନପୁର ପୁଲିସ ପକ୍ଷରୁ ପିଠାଗୋଳା ସରପଞ୍ଚ ସନ୍ତୋଷୀ ଦେହୁରୀଙ୍କୁ ୨୦ଟି ଗୋରୁ ହସ୍ତାନ୍ତର କରାଯାଇଛି। ଗୋରୁଗୁଡ଼ିକ ସୁସ୍ଥ ହେବା ପରେ ସେମାନଙ୍କୁ କୌଣସି ଗୋଶାଳାରେ ରଖାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପିଠାଗୋଳାରେ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ହରିଚନ୍ଦନପୁର ଆଇଆଇସି ସସ୍ମିତା ଦେବତା ଘଟଣାର ଅନୁସନ୍ଧାନ କରୁଛନ୍ତି। ଘଟଗାଁ ଅଞ୍ଚଳର କିଛି କାଠ ମାଫିଆ ଓ ବେଆଇନ ଗୋ ଚାଲାଣକାରୀ ବନ କର୍ମଚାରୀ ଓ ପୁଲିସକୁ ଚକ୍‌ମା ଦେଇ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଗତ ୩୧ ତାରିଖ ବିଳମ୍ବିତ ରାତିରେ ତେଲକୋଇ ପୁଲିସ ୭ଟି ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ଜବତ ସହିତ ୬୧ ଗୋରୁଙ୍କୁ ଉଦ୍ଧାର କରିଥିଲା। ଏଥିରେ ସଂପୃକ୍ତ ୧୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe