ବୈପାରିଗୁଡ଼ା: ଆଜି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲିର ମାଉଲି ମନ୍ଦିର ପରିସରରେ ବିଜେଡ଼ି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପାଡାଲଙ୍କ ଉପସ୍ଥିତିରେ ମହୁଲି ପଞ୍ଚାୟତର ୩୬୫ ଜଣ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ପ୍ରକାଶ ଥାଉ କି, କେଦାରଗୌରୀ ଦାସଙ୍କ ନେତୃତ୍ୱରେ ମହୁଲି ପଞ୍ଚାୟତରେ ଗରିବର ସାଥି ନାମକ ଏକ ସଂଗଠନ ଗତ କିଛି ବର୍ଷ ଧରି କାର୍ଯ୍ୟ କରି ଆସୁଛି। ଏହି ସଂଗଠନ ଗରିବ ଲୋକଙ୍କର ମୈଳିକ ସମସ୍ୟା ସବୁକୁ ପ୍ରଶାସନ ନିକଟରେ ଉପସ୍ଥାପନା କରିବା ସହ ସେ ସବୁର ସମାଧାନ କରିବା ପାଇଁ ପଦକ୍ଷେପ ନେଉଥିଲେ। ସମସ୍ତ ଜନମଙ୍ଗଳ କାର୍ଯ୍ୟ କିପରି ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ପଞ୍ଚାୟତବାସୀ ଉପକୃତ ହେବେ ସେ ଦିଗରେ କାର୍ଯ୍ୟ କରୁଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡି ସମସ୍ତେ ବିଜେଡିରେ ଯୋଗ ଦେଇଥିବା ଗରିବର ସାଥିର ଆବାହକ କେଦାରଗୌରୀ ଦାସ ପ୍ରକାଶ କରିଛନ୍ତି। ବିଧାୟକ ଶ୍ରୀ ପାଡାଲ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନଙ୍କୁ ବିପୁଳ ବିଜୟ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଗ୍ରାମବାସୀମାନେ ମହୁଲି ପଞ୍ଚାୟତର ପାନୀୟଜଳ, ରାସ୍ତା ଏବଂ ବିଦ୍ୟୁତକରଣ ପାଇଁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ବିଧାୟକ ଶ୍ରୀ ପାଡାଲ ଅଳ୍ପ ଦିନ ମଧ୍ୟରେ ମେଗା ଜଳ ପ୍ରକଳ୍ପର ଶୁଭାରମ୍ଭ ମହୁଲି ପଞ୍ଚାୟତରୁ ହିଁ ହେବ ବୋଲି ପ୍ରକାଶ କରିବା ସହ ପ୍ରତି ଗ୍ରାମରେ ବିଜୁଳି ଆଲୁଅ ଜଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଦାମ ଜାନୀଙ୍କୁ ମହୁଲି ପଞ୍ଚାୟତର ଯୁବ ସଭାପତି ରୂପେ ବାଛିବା ସହ ବାସନ୍ତୀ ହରିଜନଙ୍କୁ ପଞ୍ଚାୟତ ମହିଳା ସଭାନେତ୍ରୀ ରୂପେ ବଛାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ଆବାହକ ହେମନ୍ତ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ବରିଷ୍ଠ ବିଜେଡି ନେତା ଲମ୍ବୋଦର ଖରା, ସୁରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us