ବଢ଼ୁଛି ଚୋରି, ଡକାୟତି; ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ୩୭ ଗ୍ରାମ୍ ସୁନା ଚେନ୍ 

Advertisment
ବଢ଼ୁଛି ଚୋରି, ଡକାୟତି; ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ୩୭ ଗ୍ରାମ୍ ସୁନା ଚେନ୍ 

ରାୟଗଡ଼ା: ରାୟଗଡ଼ା ସହରର ଟ୍ରେଜେରି ଲାଇନରେ ସକାଳ ୭ଟାରେ ବୃଦ୍ଧାଙ୍କ ବେକରୁ ୩୭ ଗ୍ରାମର ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ବୃଦ୍ଧାଙ୍କ ନାମ ସଂଯୁକ୍ତା ବକ୍ସିପାତ୍ର। ସଂଯୁକ୍ତା ଜଗନ୍ନାଥ ମନ୍ଦିରରୁ ନିଜ ଘର ରାମକୃଷ୍ଣ ନଗରକୁ ଫେରିବା ବେଳେ ଲୁଟେରାମାନେ ଏହି କାଣ୍ଡ ଭିଆଇଛନ୍ତି। ଥାନାରେ ଲିଖିତ ଅଭିଯୋଗ ପରେ ରାୟଗଡ଼ା ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି।

ଆଜି ବଡ ଏକାଦଶୀ ଥିବାରୁ ଭୋର ୫ଟାରେ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ ସଂଯୁକ୍ତା। ସକାଳ ୭ଟାରେ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରେଜେରି ଲାଇନରେ ଫୁଲ ତୋଳୁଥିଲେ। ଏହି ସମୟରେ ଜଗନ୍ନାଥ ମନ୍ଦିରରୁ ପିଛା କରି ଆସୁଥିବା ଦୁର୍ବୃତ୍ତ ଟ୍ରେଜେରି ଲାଇନରେ ପହଞ୍ଚି ଚକ୍କର୍ କାଟିଥିଲେ। ସଂଯୁକ୍ତା ଏକାକି ଫୁଲ ତୋଳୁଥିବା ବେଳେ ସାହିରେ ଆଉ କେହି ନଥିବାରୁ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନକୁ ଝାମ୍ପି ନେଇଥିଲେ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସଂଯୁକ୍ତା ଚିତ୍କାର କରିଥିଲେ। କିନ୍ତୁ ରାସ୍ତାରେ କେହି ଲୋକ ନଥିବାରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଧଳା ରଙ୍ଗର ଆପାଚି ବାଇକରେ ହେଲମେଟ୍ ପିନ୍ଧା ଦୁଇ ଯୁବକ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ସ୍ପଷ୍ଟ ହୋଇଥିଲା। ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଟିମ୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ସେହିପରି ଆଜି ସକାଳେ ଉକ୍ତ ଅଞ୍ଚଳରେ ଅନୁରୂପ ଭାବେ ଆଉ ଜଣେ ମହିଳାଙ୍କ ବେକରୁ ମଧ୍ୟ ସୁନା ଚେନ୍ ଲୁଟ୍ ହୋଇଛି।

ଦିନକୁ ଦିନ ରାୟଗଡ଼ା ସହରରେ ଚୋରି, ଡକାୟତି ମାମଲା ବୃଦ୍ଧି ପାଇବାରେ ଲାଗିଛି। ଜାନୁଆରୀ ୧୭ ତାରିଖରେ ରାୟଗଡ଼ା ବ୍ୟାଙ୍କ କଲୋନି ପ୍ରଥମ ଲାଇନରେ ରହୁଥିବା କେ. ସାଇ ଶ୍ରୀନିବାସଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତ ୭୮୦ ଗ୍ରାମ ସୁନା, ୫ ଲକ୍ଷ ଟଙ୍କାର ରୂପା ସହ ନଗଦ ୯ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ଏହି ଘଟଣାରେ ମଧ୍ୟ ପୁଲିସ୍ ଏଯାବତ୍ ସଫଳତା ପାଇପାରିନି। ଜାନୁଆରି ୧୯ ତାରିଖରେ ରାଣୀଗୁଡା ଫାର୍ମ ଅଞ୍ଚଳରୁ ମଧ୍ୟ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ସୁନା, ରୂପା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ ପ୍ରାତଃ ଭ୍ରମଣରେ ଫେରୁଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ ଦୁର୍ବୃତ୍ତ। ଇନ୍ଦିରା ନଗର ଷଷ୍ଠ ଲାଇନରେ ରହୁଥିବା ସରୋଜିନୀ ବିଷୋୟୀ ଲୁଟର ଶିକାର ହେବା ପରେ ପାଟି କରିଥିଲେ। ଦୁର୍ବୃତ୍ତମାନେ ଫେରାର୍ ହେଉଥିବା ବେଳେ ଅପର ପାର୍ଶ୍ବରୁ ଆସୁଥିବା ସିଆରପିଏଫ୍ ଯବାନ ଦୁର୍ବୃତ୍ତଙ୍କୁ କାବୁ କରିବା ପରେ ସୁନା ଚେନ୍ ଫୋପାଡ଼ି ଦେଇ ପଳାଇ ଯିବାରେ ସକ୍ଷମ ହୋଇଥିଲେ ଦୁଇ ଦୁର୍ବୃତ୍ତ। ପ୍ରତ୍ୟେକ ମାସରେ ଦୁର୍ବୃତ୍ତମାନେ ରାୟଗଡ଼ା ସହରରେ ଚୋରି, ଡକାୟତି କରୁଥିଲେ ମଧ୍ୟ ପୁଲିସ୍ ଲୁଟେରାଙ୍କ କୌଣସି ଟେର୍ ପାଇପାରୁନି। ଫଳରେ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପୁଲିସ୍ ପାଟ୍ରୋଲିଂ କଡାକଡି ସହ ଲୁଟେରା ଗ୍ୟାଙ୍ଗକୁ ପୁଲିସ୍ ଠାବ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe