କ୍ଷତିପୂରଣ ଦାବି କରି କୋତାମେଟାରେ ରାସ୍ତାରୋକ ଘଟଣା, ୪ଜଣଙ୍କୁ ବାନ୍ଧିଲା ପୁଲିସ

Advertisment

୧୯ ଜଣକୁ ଅଟକ ପରେ ଛାଡିଦେଲା, ଆଜି ଶବ ପରିବାର ଲୋକଙ୍କୁ ହସ୍ତାନ୍ତର

୧୯ ଜଣକୁ ଅଟକ ପରେ ଛାଡିଦେଲା, ଆଜି ଶବ ପରିବାର ଲୋକଙ୍କୁ ହସ୍ତାନ୍ତର

କ୍ଷତିପୂରଣ ଦାବି କରି କୋତାମେଟାରେ ରାସ୍ତାରୋକ ଘଟଣା, ୪ଜଣଙ୍କୁ ବାନ୍ଧିଲା ପୁଲିସ

ମାଲକାନଗିରି: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ମାଳିପଦର ଗ୍ରାମରେ ଗତ ୧୦ ତାରିଖ ଦିନ ପୁଲିସ ମାଓବାଦୀ କହି ଦୁଇ ଜଣଙ୍କୁ ମାରିଥିବା ବେଳେ ଜଣେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମର ଧନ କମାର ଅଟନ୍ତି। ତେବେ କଂଗ୍ରେସର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଧନ କମାରର ପରିବାର ଲୋକଙ୍କ ସହ ଶତାଧିକ ଅଂଚଳବାସୀ କୋତାମେଟା ସ୍ଥିତ ୩୨୬ ଜାତୀୟ ରାଜପଥକୁ ଗତକାଲି ଅବରୋଧ କରିଥିଲେ।ଏପରିକି ରାତି ତମାମ ସେଠାରେ ଅଂଚଳବାସୀ ଶୋଇ ରହିଥିଲେ। ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତୁରନ୍ତ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ। ଗତକାଲି ସଂଧ୍ୟାରେ ଜିଲ୍ଲା ପ୍ରଶାସନ ସହ ପୁଲିସ ପ୍ରଶାସନ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଲୋକେ ବୁଝିବାକୁ ନାରାଜ ଥିଲେ। କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଆମେ ରାସ୍ତାରୁ ହଟିବୁ ନାହିଁ ବୋଲି ଲୋକେ ସଫା ସଫା ମନା କରିଦେଇଥିଲେ। ତେବେ ଆଜି ଭୋର ସକାଳୁ ପୁଲିସ ଏକ ଟିମ ନେଇ ଧାରଣାରେ ବସିଥିବା ୨୪ ଜଣଙ୍କୁ ଉଠାଇ ନେଇଥିଲା।

ସେମାନଙ୍କ ମଧ୍ୟରୁ ଶରତ ଚନ୍ଦ୍ର ବୁରୁଦା,ଧନ ଧରମା,ସୁଶାନ୍ତ କଲାକାରା ଏବଂ ବନମାଳୀ କଲକାରାଙ୍କୁ ଗିରଫ କରି କେସ ରୁଜୁ କରିଥିବାବେଳେ ଅନ୍ୟ ୧୯ ଜଣଙ୍କୁ ଅଟକ ରଖିଥିଲା। ତେବେ ସେମାନଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଥିଲେ। ଏମାନଙ୍କ ନାମରେ ଆଇପିସି ଧାରା ୩୪୧, ୧୪୩, ୧୪୭, ୧୪୯, ୨୯୪, ୩୫୩, ୫୦୮ ଏବଂ ସରକାରୀ ସଂପତ୍ତିକୁ ନଷ୍ଟ କରିଥିବା ଧାରା ୪ ଅନୁଯାୟୀ କେଶ ରୁଜୁ ହୋଇଥିବା ଜଣାପଡିଛି। ତେବେ ଆଜି ସକାଳୁ ମହିଳାମାନେ କୋତାମେଟାଠାରେ ରୁଣ୍ଡ ହୋଇଥିଲେ ସିନା ରାସ୍ତା ଅବରୋଧ କରିନଥିଲେ।ରାସ୍ତା କଡରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ। ପରେ ପୁଲିସ ତରଫରୁ ଧନ କମାରଙ୍କ ଶବ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥିଲା। ପରିବାର ଲୋକେ ଶବ ପାଇବା ପରେ ଶେଷକୃତ୍ୟ ସଂପନ୍ନ କରିଥିଲେ। ତେବେ ସେଠାରେ ଶବ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଲୋକେ ଜଣେ ନିରୀହ ଶ୍ରମିକକୁ ହତ୍ୟା କରିଥିବା ଆଲୋଚନା କରୁଥିଲେ।

ପୁଲିସ ନିଜର ଦୋଷ ଲୁଚାଇବାକୁ ଯାଇ ପରିବାର ଲୋକଙ୍କ ଉପରେ ଚାପ ପକାଉଥିବା ଲୋକେ ଅଭିଯୋଗ କରିଥିଲେ। ତେବେ ରୋଜଗାରିଆ ହରାଇଥିବାରୁ ପରିବାର ଲୋକେ ତୁରନ୍ତ କ୍ଷତିପୂରଣ ଦେବାକୁ ଅଡି ବସିଥିଲେ। ତେବେ ପ୍ରଶାସନ ଏବଂ ପୁଲିସ ତରଫରୁ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ଏହି ଏନକାଉଣ୍ଟରରେ ନିରୀହ ଲୋକ ମୃତ୍ୟୁବରଣ କରିଥିବା ନେଇ ପୁଲିସକୁ ପ୍ରଶ୍ନ କରାଯିବାରୁ ଏନେଇ କୋରାପୁଟ ପୁଲିସ ତରଫରୁ ତଦନ୍ତ ଚାଲିଥିବା କହି ପ୍ରଶ୍ନକୁ ଏଡାଇ ଦିଆଯାଇଥିଲା। ତେବେ ଏହି ଏନକାଉଣ୍ଟର ଘଟଣାରେ ପୁଲିସର ତଦନ୍ତ କେଉଁଆଡେ ଯାଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe