ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ଉ: ଲାଇସେନ୍ସ କରାଉଥିବା ୪ ଦଲାଲ ଗିରଫ

Advertisment
ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ଉ: ଲାଇସେନ୍ସ କରାଉଥିବା ୪ ଦଲାଲ ଗିରଫ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପରିବହନ(ଆର୍‌ଟିଓ) କାର୍ଯ୍ୟାଳୟରେ ବହୁଦିନ ବ୍ୟବଧାନରେ ଆଜି ପୁଣି ଅଚାନକ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ଛତ୍ରପୁର ପୁଲିସ ୪ ଜଣ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଛତ୍ରପୁର ଥାନା କୁମାରବେଗପଲ୍ଲୀ ଗ୍ରାମର ରବୀନ୍ଦ୍ର କୁମାର ଗୌଡ଼, ପାଲିଆଛତ୍ରପୁରର ଜଗନ୍ନାଥ ସାହୁ, ଛତ୍ରପୁର କଲେଜ ଛକ ଅଞ୍ଚଳ ବାସିନ୍ଦା ମହମ୍ମଦ ଆଲାଉଦ୍ଦିନ୍ ଏବଂ ବ୍ରହ୍ମପୁର କାମ୍ପସାହି ତୃତୀୟ ଲାଇନ୍‌ର ପି.ଚନ୍ଦ୍ରଶେଖର। ସେମାନଙ୍କ ଠାରୁ ୭ଟି ଆର୍‌ସି ବୁକ୍ , ୧୨ଟି ଗାଡ଼ି ଲାଇସେନ୍ସ୍, ୮ଟି ଲର୍ଣ୍ଣିଂ ଲାଇସେନ୍ସ୍ ଓ ୪ଟି ମୋବାଇଲ୍ ସମେତ ବିଭିନ୍ନ ଆବେଦନ ପାଇଁ ଆବଶ୍ୟକ ପଡ଼ୁଥିବା ବିପୁଳ ପରିମାଣର ଫର୍ମ ଜବତ ହୋଇଛି। ଏନେଇ ଛତ୍ରପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି।

ଏହି ୪ ଜଣ ଅଭିଯୁକ୍ତ ଆର୍‌ଟିଓ ଅଫିସ୍‌ରେ ବହୁଦିନ ହେଲା ସକ୍ରିୟ ଥିଲେ। ଲାଇସେନ୍ସ୍ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ କାମ କରାଇଦେବାକୁ କହି ଦଲାଲଗିରି କରିବା ସହ ବିପୁଳ ଅର୍ଥ ରୋଜଗାର କରୁଥିଲେ। ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାଶଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ କାର୍ଯ୍ୟାଳୟ ପରିସରରେ ଆଜି ଅତର୍କିତ ଚଢ଼ଉ କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। କେସ୍ ନମ୍ବର ୭୬୪/୨୩ରେ ଏକ ଠକେଇ ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତେବ‌େ ଏହି ଅଭିଯୁକ୍ତମାନଙ୍କୁ କାର୍ଯ୍ୟାଳୟର କେଉଁ କର୍ମଚାରୀ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉଥିଲେ କି ନାହିଁ ଓ ସେମାନଙ୍କଠୁ ଜବତ ହୋଇଥିବା ବିଭିନ୍ନ ଲାଇସେନ୍ସ୍ ବାବଦରେ କେତେ ଟଙ୍କା କାରବାର ହୋଇଛି ଏହାକୁ ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ଫଳରେ ବହୁ ରହସ୍ୟ ପଦାକୁ ଆସିବା ଅନୁମାନ କରାଯାଉଛି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆଇ ବିଶ୍ବଜିତ୍ ନାୟକ ଉପସ୍ଥିତ ଥିଲେ। ତେବେ ଏହି ଚଢ଼ଉ ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ‌ରେ ସକ୍ରିୟ ହୋଇ ରହିଥିବା ଦଲାଲଙ୍କ ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe