ଝାରସୁଗୁଡ଼ାରେ ୪୦ ଅକ୍ସିଜେନ ଓ ୨୦ ଆଇସିୟୁ ବେଡ୍ ଲୋକାର୍ପଣ

ରାଜ୍ୟରେ ତୃତୀୟ ଲହର ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଝାରସୁଗୁଡ଼ାରେ ୪୦ ଅକ୍ସିଜେନ ଓ ୨୦ ଆଇସିୟୁ ବେଡ୍ ଲୋକାର୍ପଣ

ଝାରସୁଗୁଡ଼ା: ଝାରସୁଗୁଡ଼ା କୋଭିଡ୍ ହସପିଟାଲ ଠାରେ ଆଜି ଅଧିକ ୪୦ ଗୋଟି ଅକ୍ସିଜେନ୍ ଓ ୨୦ ଗୋଟି ଆଇସିୟୁ ବେଡ୍ ଲୋକାର୍ପଣ କରାଯାଇଛି। ଏହା ବ୍ୟତୀତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଗୋଟିଏ ବିଏଲ୍ଏସ୍ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଭାର୍ଚୁଆଲ ମୋଡ଼୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଲେ ଯେ, ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ହସପିଟାଲରେ ଅଧିକ ସଂଖ୍ୟାରେ ବେଡ୍ ବୃଦ୍ଧି କରାଯାଇଛି। ଏହା ଲୋକଙ୍କ କାମରେ ଆସିବ।

ଆସନ୍ତା କିଛି ଦିନ ମଧ୍ୟରେ ବନ୍ଧବାହାଲ ଠାରେ ଆଉ ଏକ କୋଭିଡ୍ ହସପିଟାଲ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ  ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କହିଥିଲେ। ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ କୋଭିଡ ପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ଡାକ୍ତରଙ୍କୁ ପଠାଯାଇଛି।

ତୃତୀୟ ଲହର ଶିଶୁମାନଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିବାରୁ ୧୧୧୪  ଡାକ୍ତର ଓ ୧୦୩୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା  କରାଯାଇ ସାରିଛି। ରାଜ୍ୟରେ ୧୬୧୦ ସାଧାରଣ ଶଯ୍ୟା ଓ ୬୧୦ ଆଇସିୟୁ ଶଯ୍ୟା ଶିଶୁ ମାନଙ୍କ ପାଇଁ ସଂରକ୍ଷିତ ରଖାଯିବ। ପ୍ରତି ଜିଲ୍ଲା ଓ ଉପଖଣ୍ଡରେ ୧୦ ଶଯ୍ୟା, ସିଏଚ୍ସିରେ ୨ ରୁ ୪ ଶଯ୍ୟା ସଂରକ୍ଷିତ ରଖାଯିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଥିଲେ।

ସେପରି ମେଡିକାଲ କଲେଜମାନଙ୍କରେ ମଧ୍ୟ ଏନ୍ଆଇସିୟୁ , ପିଆଇସିୟୁ, ଏଚ୍ଡିୟୁ ଓ ଆଇସୋଲେସନ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ସହିତ ଯଥେଷ୍ଟ ପରିମାଣରେ ଔଷଧ ମହଜୁଦ୍ ରଖାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ସାସଂଦ ସୁରେଶ ପୂଜାରୀ, ବିଧାୟକ କିଶୋର ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ । ସିଡିଏମ୍ଓ ଡ. ଲାଲ ମୋହନ ରାଉତରାୟ, ଡିପିଏମ୍ ବୁଲୁନାଥ ସାହୁ ପ୍ରମୁଖଙ୍କ ସମତେ ବହୁ ଡାକ୍ତର ଉପସ୍ଥିତ ଥିଲେ। କୋଭିଡ୍ ହସପିଟାଲ ଦାୟିତ୍ବରେ ଥିବା ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe