ଗଜପତି ଜିଲ୍ଲାରେ ପାହାଡ଼ ଧସିଲା, ୯୮ ଗ୍ରାମରୁ ୪୨୩୮ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବାତ୍ୟା ‘ଗୁଲାବ୍‌’ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ 

ଗଜପତି ଜିଲ୍ଲାରେ ପାହାଡ଼ ଧସିଲା, ୯୮ ଗ୍ରାମରୁ ୪୨୩୮ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ପାରଳାଖେମୁଣ୍ଡି: ବାତ୍ୟା ‘ଗୁଲାବ୍‌’ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି। ଏହାରି ମଧ୍ୟରେ ଗଜପତି ଜିଲ୍ଲାର ୭ଟି ବ୍ଲକ, ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପତି ଅଂଚଳ ପରିଷଦର ୯୮ଟି ଗାଁରୁ ୪୨୩୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକମାନଙ୍କୁ ଉଦ୍ଧାର କରାଯାଇ ୮୪ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସମସ୍ତଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

୨୦୧୮ ମସିହାର ବାତ୍ୟା ‘ତିତ୍‌ଲି’ ଭୟ ଗଜପତିବାସୀଙ୍କ ମନରୁ ନ ଲିଭୁଣୁ ପୁଣି ଏକ ବଡବାତ୍ୟା ଆସୁଛି। ପ୍ରକାଶ ଥାଉକି ତିତ୍‌ଲିରେ ଭୂସ୍ଖଳନରେ ୪୮ଜଣଙ୍କ ଜୀବନ ଯାଇଥିଲା। ଏହି ତମାମ ଘଟଣାବଳୀକୁ ଆଖି ଆଗରେ ରଖି ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ପାହାଡିଆ ଅଞ୍ଚଳ ଭାବେ ପରିଚିତ ଗୁମ୍ମା ବ୍ଲକ ଏବଂ ରାୟଗଡା ବ୍ଲକରେ କଡା ପଦକ୍ଷେପ ଗ୍ରହଣ କରିଛି। ଗତକାଲି ଠାରୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ବିଭିନ୍ନ ଅଞ୍ଚଳକୁ ପଠାଇବା ସହ ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରୁଛନ୍ତି।

publive-image

ଆଜି ସକାଳୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଗୁମ୍ମା ବ୍ଲକରେ ଭୂସ୍ଖଳନ କିଛି ଅଞ୍ଚଳରେ ହୋଇଛି। ବିଶେଷ କରି ସବୁଠାରୁ ବଡ ପାହାଡ଼ିଆ ଅଞ୍ଚଳ ଭବେ ପରିଚିତ ନାମୁନାଗଡ ଠାରୁ ଅଜୟଗଡ଼ ପି.ଏମ.ଜି.ଏସ.ୱାଇ ରାସ୍ତାରେ ପାହାଡ଼ ଧସିଥିବା ବେଳେ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବର୍ଷା କମିଥିବା ଯୋଗୁଁ ଏନ.ଡି.ଆର.ଏଫ ଟିମ ସେଠାରେ ପହଞ୍ଚି ରାସ୍ତାକୁ ସଫା କରିବା ପାଇଁ ପ୍ରୟାସ ଜାରି ରଖିଥିବା ନେଇ ମଧ୍ୟ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ମଧ୍ୟାହ୍ନ ସମୟରେ ୩୨୬(ଏ) ଜାତୀୟ ରାଜପଥରେ ନାରାୟଣପୁର ଠାରେ ପବନର ପ୍ରଭାବରେ ବଡବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଓଡ୍ରାଫର ଏକ ଟିମ ସେଠାରେ ପହଞ୍ଚି ରାସ୍ତାକୁ ସଫା କରିବା କାର୍ଯ୍ୟ ଜାରି ରଖିଥବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡାଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସହରର ସମସ୍ତ ଅଞ୍ଚଳ ଏବଂ ଗୋଷାଣୀ ବ୍ଲକର ଲୋକଙ୍କ ଉପରେ ନଜର ରଖିଛନ୍ତି ବୋଲି ସୂଚନା ଦିଆଯାଇଛି। ମୋହନା ବ୍ଲକରେ ୧୦ଜଣ ଗର୍ଭବତୀ ମହିଳାମାନଙ୍କୁ ମା ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ସେଠାରେ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବର ମିଳିଛି। ବର୍ତ୍ତମାନ ଜିଲ୍ଲାରେ ୬ଟି ଓଡ୍ରାଫ ଟିମ କଇଁପୁର, କାଶୀନଗର, ଖଜୁରିପଦା, ରା.ଉଦୟଗିରି ,ମୋହନା ଏବଂ ପାରଳାଖେମୁଣ୍ଡି ସହରରେ ମହଜୁଦ ରହିଥିବା ବେଳେ ଗୋଷାଣୀ ଏବଂ ଗୁମ୍ମା ବ୍ଲକରେ ୨ଟି ଏନ.ଡି. ଆର.ଏଫ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସମସ୍ତ ବ୍ଲକ ଗୁଡିକରେ ସ୍‌ତନ୍ତ୍ର ଭାବେ ଟୋଲ ଫ୍ରି ନମ୍ବର  ଜାରି କରାଯିବା ସହ ପଞ୍ଚାୟତ ଗୁଡି଼କରେ ଅଧିକାରୀ ମାନେ ପ୍ରସ୍ତୁତ ହୋଇ ରହିଛନ୍ତିଯ ଜିଲ୍ଲା ସ୍ତରରେ ଜରୁରୀକାଳୀନ ବିଭାଗ ଦ୍‌ାରା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe