ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୨ଟି ଜିଲ୍ଲାର ୪୮୧ ଗାଁ ପ୍ରଭାବିତ: ଏସଆରସି

ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୨ଟି ଜିଲ୍ଲାର ୪୮୧ ଗାଁ ପ୍ରଭାବିତ: ଏସଆରସି

ଭୁବନେଶ୍ୱର/ପୁରୀ: ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ ପଞ୍ଚାୟତର ୪୮୧ ଗାଁ ପ୍ରଭାବିତ ହୋଇଛି | ପ୍ରାୟ ୪୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୦୩ ଜାଗାରେ ରନ୍ଧା ଖାଦ୍ୟ ଦିଆଯାଉଛି | ସ୍ଥିତିର ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି | ଅନ୍ୟପଟେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମହାନଦୀର ବନ୍ୟାଜଳ ପୁରୀ ଜିଲ୍ଲାର ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା ଏବଂ ମକରା ନଦୀଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ପୁରୀ ଜିଲ୍ଲାର ଏଗାରଟି ବ୍କକ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦୟାନଦୀ ଅବବାହିକା କଣାସର ଚୁପୁରିଙ୍ଗି,ବଡପୁଟ, ଢୋଲପାଟଣା ଅଞ୍ଚଳ ସହ ପିପିଲି ଓ ବ୍ରହ୍ମଗିରି ଅଞ୍ଚଳ ପ୍ରଭାବିତ ହୋଇପାରେ |

ସେହିପରି ରତ୍ନଚିରା ନଦୀ ଯୋଗୁଁ ଗୋପ ,ବଳଙ୍ଗା ଅଞ୍ଚଳ, ଲୁଣାନଦୀ ଯୋଗୁଁ ବ୍ରହ୍ମଗିରି ଓ ଚନ୍ଦନପୁରର କିଛି ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କଣାସ ଅଞ୍ଚଳରେ ବାଲିବସ୍ତା ମହଜୁଦ କରି ରଖାଯାଇଛି ଏବଂ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିବା ସହ ୩୨ଟି ସରକାରୀ ଡଙ୍ଗାକୁ ପ୍ରସ୍ତୁତ ରଖାଯାଇଛି। ତେବେ ଏହାକୁ ନେଇ ଜିଲ୍ଲାପାଳ ସମ୍ପୃକ୍ତ ଡିଭିଜନ ଯନ୍ତ୍ରୀଙ୍କୁ ନେଇ ନଦୀବନ୍ଧର ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବା ସହ ରିଲିଫ, ଶୁଖିଲା ଖାଦ୍ୟ, ଔଷଧ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜରୀପାଲ ଆଦି ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ପାଇଁ ବିଡିଓ, ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe